ଚୋରି ସୁନା ଟିଫିନରେ ଚୋର କରୁଥିଲା ଭୋଜନ । ୭ ଦିନ ମଧ୍ୟରେ ୧୦୦ କୋଟି ଚୋରିର ହେଲା ପର୍ଦ୍ଦାଫାଶ

54

ହାଇଦ୍ରାବାଦ ପୋଲିସକୁ ବଡ ସଫଳତା । ଗୋଟିଏ ସପ୍ତାହ ପୂର୍ବରୁ ହାଇଦ୍ରାବାଦ ନିଜାମଙ୍କ ଚୋରି ହୋଇଥିବା ସୁନାର ଟିଫିନ ଓ ଚାହା କପ ପାଇଛି ପୋଲିସ । ଚୋରି ହୋଇଥିବା ଏହି ମୂଲ୍ୟବାନ ସାମଗ୍ରୀକୁ ମୁମ୍ବାଇରୁ ଉଦ୍ଧାର କରିଛି ହାଇଦ୍ରାବାଦ ପୋଲିସ ଟାସ୍କ ଫୋର୍ସ । ଚୋରଙ୍କୁ ଧରିବର ପାଇଁ ୧୫ଟି ଟିମ ଗଠନ କରିଥିଲା ହାଇଦ୍ରାବାଦ ପୋଲିସ ।

ଏକ ସପ୍ତାହ ପୂର୍ବରୁ ହାଇଦ୍ରାବାଦର ନିଜାମ ମ୍ୟୁଜିୟମରୁ ମୂଲ୍ୟବାନ ସୁନାର ଟିଫିନ ଓ ଚାହା କପ ଚୋରି ହୋଇଥିଲା । ଏହାର ବ୍ୟବହାର ହାଇଦ୍ରାବାଦର ଶେଷ ନିଜାମ ମୀର ଉସମାନ ଅଲ୍ଲୀ ଖାନ୍ ଓ ସପ୍ତମ ଆସଫ ଯାହ କରୁଥିଲେ । ତେବେ ତାଙ୍କ ପରେ ଏହାକୁ ନିଜାମ ମ୍ୟୁଜିୟମରେ ରଖା ଯାଇଥିଲା । ଯାହାକୁ ପରବର୍ତ୍ତୀ ସମୟରେ ନିଜାମ ମ୍ୟୁଜିୟମରେ ରଖା ଯାଇଥିଲା । ତେବେ ସପ୍ତାହ ପୂର୍ବରୁ ହଲିଉଡ ଫିଲ୍ମ ଷ୍ଟାଇଲରେ ଏହି ମୂଲ୍ୟବାନ ସାମଗ୍ରୀ ଚୋରି ହୋଇଥିଲା । ଏହି ବହୁମୂଲ୍ୟ ସାମଗ୍ରୀର ବଜାର ମୂଲ୍ୟ ପାଖାପାଖି ୧୦୦ କୋଟି ଟଙ୍କାରୁ ଅଧିକ ଥିଲା ।

ସୁନାର ଟିଫିନ ବକ୍ସ ଓ ଚାହା କପର ମୂଲ୍ୟ ୧୦୦ କୋଟିରୁ ଅଧିକ ଏଥିପାଇଁ ଥିଲା କାରଣ ଏଥିରେ ହୀରା ଓ ମୂଲ୍ୟବାନ ପଥର ଲାଗିଥିଲା । ଯାହାର ଓଜନ ୨ କିଲୋଗ୍ରାମରୁ ମଧ୍ୟ ଅଧିକ ଥିଲା । ତେବେ ଏହି ମାମଲାରେ ପୋଲିସ ଦୁଇଜଣ ଅଭିଯୁକ୍ତ ଘୋସେ ପାଶା ଓ ମହମ୍ମଦ ମୁବିନଙ୍କୁ ଗିରଫ କରିଛି । ଅଭିଯୁକ୍ତ ଘୋସେ ପାଶା ସାଏବରବାଦର ରାଜେନ୍ଦ୍ର ନଗର ଅଞ୍ଚଳର ହୋଇଥିବା ବେଳେ ତାଙ୍କ ନାମରେ ପୂର୍ବରୁ ମଧ୍ୟ ୧୫ଟି ମାମଲା ରହିଛି । ସେହିଭଳି ଅନ୍ୟ ଅଭିଯୁକ୍ତ ମହମ୍ମଦ ମୁବିନ ଗତ କିଛି ଦିନ ପୂର୍ବେ ସାଉଦି ଆରବରୁ ଭାରତକୁ ଫେରିଥିଲେ । ତେବେ ନିଜାମ ମ୍ୟୁଜିୟମ ବୁଲିବାକୁ ଯାଇଥିବା ବେଳେ ତାଙ୍କର ନଜର ନିଜାମଙ୍କ ବହୁମୂଲ୍ୟ ସୁନାର ଟିଫିନ ଓ କପ ଉପରେ ପଡିଥିଲା । ପରେ ଏହାକୁ ଚୋରି କରିବାକୁ ପ୍ରସ୍ତୁତ ହୋଇଥିଲା ବ୍ଲୁ ପ୍ରିଣ୍ଟ ।

ଏହି ବହୁମୂଲ୍ୟ ସାମଗ୍ରୀକୁ ଚୋରି କରିବାକୁ ରାତି ସମୟ ବାଛିଥିଲେ ଦୁଇ ଅଭିଯୁକ୍ତ । କାଠ ଫାଙ୍କ ମଧ୍ୟରେ ମ୍ୟୁଜିୟମ ରୁମକୁ ପଶିବା ପରେ କଳାକନା ବୁଲାଇଥିଲେ ଦୁଇ ଅଭିଯୁକ୍ତ । ଏପରିକି କ୍ୟାମେରାରେ ଧରା ନ ପଡିବା ପାଇଁ ସିସିଟିଭିକୁ ବୁଲାଇ ଦେଇଥିଲେ । ଯେଉଁଥିପାଇଁ ଯାଞ୍ଚ ସମୟରେ ଉଭୟଙ୍କ ମୁହଁ ଝାପସା ଆସିଥିଲା । ପୋଲିସ ସୂଚନା ଅନୁଯାୟୀ, ଚୋରି କରିବା ପରେ ଏହାକୁ ବିକିବା ପାଇଁ ମୁମ୍ବାଇରେ ଗରାଖ ଖୋଜୁଥିଲେ ଅଭିଯୁକ୍ତ । କିନ୍ତୁ ଗୁଇନ୍ଦା ସୂଚନାକୁ ଆଧାର କରି ଦୁଇ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚିଥିଲା ପୋଲିସ ।ଏହି ମୂଲ୍ୟବାନ ସାମଗ୍ରୀକୁ ଏକ ଡାଏରୀ ଫାର୍ମରେ ଲୁଚାଇ ରଖିଥିଲେ ଅଭିଯୁକ୍ତ ।ଏପରିକି ଏହି ୧୦୦ କୋଟି ଟଙ୍କାର ଟିଫିନ ବକ୍ସରେ ପ୍ରତିଦିନ ଭୋଜନ ମଧ୍ୟ କରୁଥିଲେ ଅଭିଯୁକ୍ତ

କେବଳ ଟିଫିନ ବକ୍ସ କିମ୍ବା ଚାହା କପ ନୁହେଁ ବରଂ ନିଜାମଙ୍କ ପବିତ୍ର ଗ୍ରନ୍ଥକୁ ଚୋରି କରିବାକୁ ମଧ୍ୟ ମନ ବଳାଇ ସାରିଥିଲେ ଦୁଇ ଅଭିଯୁକ୍ତ । କିନ୍ତୁ ଏହାକୁ ଛୁଇଁବା ମାତ୍ରେ ଅଜାନର ଶବ୍ଦ ଶୁଣି ଧରାପଡିଯିବା ଭୟରେ କେବଳ ସୁନା ଟିଫିନ ଓ କପ ଧରି ଚୋରି କରି ଫେରାର ହୋଇଯାଇଥିଲେ । ଏହି ମାମଲାରେ ଚୋରଙ୍କୁ ଧରିବା ପାଇଁ ପ୍ରାୟ ଏକ ଲକ୍ଷ ଫୋନ କଲକୁ ଟ୍ରାକ କରୁଥିଲା ପୋଲିସ । ଆଉ ଶେଷରେ ଦୁଇ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଥିଲା ପୋଲିସ ।