ପଶ୍ଚିମବଙ୍ଗରେ କମିଲା ତେଲ ଦର ! ଓଡିଶାରେ ସରକାର କମାଇବେ କି ଭ୍ୟାଟ୍, ରାଜନୀତି ଜୋର ।

66

ଦେଶରେ ତେଲ ଦରରେ ନିଆଁ ଲାଗିଥିବା ବେଳେ ଏହାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି । ତୈଳ ଦର ବୃଦ୍ଧିକୁ ନେଇ କେନ୍ଦ୍ର ସରକାର ଏବଂ ବିରୋଧୀଙ୍କ ମଧ୍ୟରେ ଚାଲିଛି କାଦୁଅ ଫିଙ୍ଗା ରାଜନୀତି । ଏପରିକି କଂଗ୍ରେସ ପକ୍ଷରୁ ଗତକାଲି ସାରା ଦେଶରେ ବନ୍ଦ ଡାକରା ଦିଆଯାଇଥିଲା । ଆଉ ଏହି ତେଲ ରାଜନୀତି ଭିତରେ ଆଜି କେତୋଟି ରାଜ୍ୟରେ ତେଲ ଦର ସାମାନ୍ୟ କମ୍ ହୋଇଛି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗରେ ମମତା ସରକାର ପେଟ୍ରୋଲ ଏବଂ ଡିଜେଲ ଦର ଉପରେ ୧ ଟଙ୍କା କମ୍ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହା ପୂର୍ବରୁ ଗତକାଲି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଦର ଉପରେ ଦୁଇ ଟଙ୍କା କମିବା ନେଇ ଘୋଷଣା କରିଥିଲେ ।

ତେଲ ଦର କମ କରିବା ଉପରେ ପଦକ୍ଷେପ ପ୍ରଥମେ ରାଜସ୍ଥାନ ଠାରୁ ଆରମ୍ଭ ହୋଇଥିଲା । ଯେଉଁଥିରେ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ପେଟ୍ରୋଲ ଏବଂ ଡିଜେଲରେ ଲାଗୁଥିବା ଭ୍ୟାଟ୍ ଉପରେ ୪ ପ୍ରତିଶତ କମ କରିବା ନେଇ ଘୋଷଣା କରିଥିଲେ । ତେବେ ଏବେ ମଧ୍ୟ ତେଲ ଦରକୁ ନେଇ ଦେଶରେ ରାଜନୀତି ଲାଗି ରହିଛି । ଗତକାଲି କଂଗ୍ରେସ ପକ୍ଷରୁ ମଧ୍ୟ ସାରା ଦେଶରେ ବନ୍ଦ ଡାକରା ଦିଆଯାଇଥିଲା । ଅନ୍ୟ କେତେକ ସହଯୋଗୀ ଦଳ ମଧ୍ୟ କଂଗ୍ରେସର ଏହି ବନ୍ଦକୁ ସମର୍ଥନ କରିଥିଲେ । ବନ୍ଦ ପାଳନ ସମୟରେ ଅନେକ ସ୍ଥାନରେ ହିଂସା ହୋଇଥିବା ଖବର ମଧ୍ୟ ସାମ୍ନାକୁ ଆସିଥିଲା । ତେବେ ଏସବୁ ଖବର ମଧ୍ୟରେ ଏବେ ରାଜ୍ୟ ରାଜନୀତି ଜୋର ଧରିଛି । ଓଡିଶାରେ ତେଲ ଦର ଅପରିବର୍ତ୍ତିତ ରହିଥିବା ବେଳେ ରାଜ୍ୟ ସରକାର ତେଲ ଦର କମ କରିବା ନେଇ କେବେ ନିଷ୍ପତ୍ତି ନେଉଛନ୍ତି, ସେନେଇ ତେଜୁଛି ରାଜନୀତି ।