ଟଙ୍କା ଦ୍ୱାରା ମୂଲ୍ୟବାନ ସାମଗ୍ରୀ କିଣିହୁଏ ସିନା କିଣିହୁଏନି ସଚ୍ଚୋଟତା ଆଉ ସାଧୁତା ! ରିକ୍ସାଚାଳକ ମଣ୍ଟୁ ଫେରାଇଲେ ମହିଳା ଯାତ୍ରୀଙ୍କ ଟଙ୍କା ଓ ସୁନା ବ୍ୟାଗ୍

90

ଆଜିକାଲି କିଛି ଲୋକଙ୍କର ଭ୍ରାନ୍ତ ଧାରଣା ରହିଛି, ଟଙ୍କା ଥିଲେ ମଣିଷ ସବୁକିଛି କରିପାରିବ । ଟଙ୍କା ଦ୍ୱାରା ଜିନିଷପତ୍ର କିଣିହୁଏ ସିନା, ହେଲେ ସଚ୍ଚୋଟତା, ସାଧୁତା ଓ ଆତ୍ମସମ୍ମାନ କିଣିହୁଏନି । ଏସବୁ ମଣିଷର ବ୍ୟକ୍ତିଗତ ପ୍ରବୃତ୍ତି । କୌଣସି ଟଙ୍କା ସୁନା ରୂପା ଏସବୁ ଗୁଣକୁ କିଣିପାରେନି । ଏସବୁ ଗୁଣ ଯୋଗୁଁ ମଣିଷ ଧନବାନ ନହେଲେ ମଧ୍ୟ ଲୋକଙ୍କ ମଧ୍ୟରେ ପ୍ରିୟ ହୋଇପାରନ୍ତି । ତେବେ ସବୁ ମଣିଷ ପାଖରେ ଏପରି ସୁଗୁଣ ନଥାଏ । ଆଜିକା ସମୟରେ ଟଙ୍କା ସମସ୍ତଙ୍କ ପାଇଁ ଅତି ଜରୁରୀ । କିନ୍ତୁ ଟଙ୍କା ଦ୍ୱାରା ଯେ ସବୁକିିଛି ହୋଇପାରିବ ତାହା କେବେ ସମ୍ଭବ ନୁହେଁ । ସମସ୍ତେ ଟଙ୍କା ପାଇଁ ନିଜର ସାଧୁତା ଓ ସଚ୍ଚୋଟତା ବିକ୍ରି କରିଦିଅନ୍ତି ନାହିଁ । ଏପରି ଜଣେ ମଣିଷ ହେଲେ କୋଲାକାତାର ମଂଟୁ ସାହା ।

ଶୁକ୍ରବାର ସନ୍ଧ୍ୟାବେଳେ ମଣ୍ଟୁଙ୍କ ରିକ୍ସାରେ ଜଣେ ମହିଳା ଯାତ୍ରୀ ୨. ୯୮ ଲକ୍ଷ ଟଙ୍କାର ହୀରା ଓ ସୁନା ଗହଣା ଏବଂ ନଗଦ ୬୦ ହଜାର ଟଙ୍କା ଥିବା ବ୍ୟାଗ୍ ଭୁଲବଶତଃ ଛାଡ଼ିଯାଇଥିଲେ । ଏତେ ଟଙ୍କା ଓ ମୂଲ୍ୟବାନ ସାମଗ୍ରୀ ଦେଖି ଯେ କେହି ଲୋଭଗ୍ରସ୍ତ ହୋଇପଡ଼ିବ । କିନ୍ତୁ ମଂଟୁ ନିଜ ରୋଗୀଣା ପୁଅ କଥା କିମ୍ବା ନିଜର ଆର୍ଥିକ ପରିସ୍ଥିତି କଥା ଚିନ୍ତା ନକରି ତୁରନ୍ତ ସମସ୍ତ ସାମଗ୍ରୀକୁ ଫେରାଇ ଦେଇଛନ୍ତି । ମଣ୍ଟୁଙ୍କର ଦୁଇଟି ପୁଅ ଓ ଦୁଇଟି ଝିଅ ଅଛନ୍ତି । ଗୋଟିଏ ପୁଅ ଅସୁସ୍ଥ । କିନ୍ତୁ ଅର୍ଥାଭାବ ଯୋଗୁଁ ତାହାର ଚିକିତ୍ସା ସମ୍ଭବ ହେଉନାହିଁ । ମଣ୍ଟୁଙ୍କ ଜାଗାରେ ଆଉ କିଏ ଥିଲେ ବୋଧେ ଦ୍ୱିତୀୟ ଥର ପାଇଁ ନିଶ୍ଚୟ ଚିନ୍ତା କରିଥାଆନ୍ତା । ତଥାପି କାଳବିଳମ୍ବ ନ କରି ମଣ୍ଟୁ ଥାନାକୁ ଯାଇ ବ୍ୟାଗଟିକୁ ଜିମା ଦେଇଦେଲେ ।

ସୂଚନା ଅନୁସାରେ ମହିଳା ଯାତ୍ରୀ ଜଣକ ଲିଲୁହାସ୍ଥିତ ନିଜ ଘରେ ଓହ୍ଲାଇବା ସମୟରେ ଟଙ୍କା ଓ ଅଳଙ୍କାର ଥିବା ବ୍ୟାଗଟିକୁ ରିକ୍ସାରେ ଭୁଲି ଆସିଥିଲେ । ଆଉ ଘରେ ପହଞ୍ଚିଲା ବେଳେକୁ ଜାଣିପାରିଲେ ଯେ ସେ ରିକ୍ସାରେ ସବୁ ଭୁଲିଯାଇଛନ୍ତି । ଆଉ ସେ ଥାନାରେ ଏନେଇ ଅଭିଯୋଗ କରିଥିଲେ । ତେବେ ରିକ୍ସାଚାଳକ ମଣ୍ଟୁ ନିଜ ରିକ୍ସାରେ ଏତେ ଟଙ୍କା ଥିବା କଥା ଜାଣିନଥିଲେ । ଘରେ ପହଞ୍ଚି ରିକ୍ସା ରଖିଲା ବେଳକୁ ବ୍ୟାଗ ଦେଖିପାରିଲେ । ତେବେ ମହିଳା ଯାତ୍ରୀଙ୍କ ବ୍ୟାଗକୁ ଦେଖି ସେ କାଳବିଳମ୍ବ ନକରି ତୁରନ୍ତ ପୋଲିସ ପାଖରେ ସବୁ ସାମଗ୍ରୀର ଜିମା ଦେଇଥିଲେ । ରିକ୍ସା ଚାଳକ ମଂଟୁଙ୍କ ସାଧୁତାରେ ଅଭିଭୂତ ହୋଇ ମହିଳା ଯାତ୍ରୀ ଜଣକ ତାଙ୍କୁ ୧୦ ହଜାର ଟଙ୍କା ପୁରସ୍କାର ଦେଇଛନ୍ତି । ଏହାସହ ମହିଳା ଜଣକ ଦୁବାଇ ଫେରି ମଂଟୁଙ୍କୁ ଟଙ୍କା ପଠାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଯଦ୍ୱାରା ସେ ନିଜର ଏକ ଅଟୋ କିଣି ଗୁଜୁରାଣ ମେଂଟାଇ ପାରିବେ ।