ଛାତ୍ରଛାତ୍ରଙ୍କ ସହ ନାଚି ଅଡୁଆରେ ପଡ଼ିଲେ ପ୍ରଧାନଶିକ୍ଷକ । ଜିଲ୍ଲା ଶିକ୍ଷାଧିକାରୀ କହିଲେ, ତଦନ୍ତ ପରେ ନିଆଯିବ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ

ସ୍କୁଲ ଭୋଜିରେ ପ୍ରଧାନଶିକ୍ଷକ ନାଚୁଥିବା ଭିଡିଓ ହୋଇଥିଲା ଭାଇରାଲ୍

491

କନକ ବ୍ୟୁରୋ: ସ୍କୁଲର ଛାତ୍ରଛାତ୍ରୀମାନଙ୍କ ସହ ପ୍ରଧାନଶିକ୍ଷକ ନାଚିବାର ଭିଡିଓ ଭାଇରାଲ ହେବା ଘଟଣାରେ ପ୍ରଧାନଶିକ୍ଷକଙ୍କ ବିରୋଧରେ ନିଆଯିବ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ । ସୁନ୍ଦରଗଡ ଜିଲ୍ଲା ଶିକ୍ଷା ଅଧିକାରୀ ଏହି ସୂଚନା ଦେଇଛନ୍ତି । ଏପରି ଘଟଣାକୁ ନିନ୍ଦା କରିବା ସହିତ ପୁରା ଘଟଣାର ତଦନ୍ତ କରି ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି । ସେପଟେ ଶିକ୍ଷାବିତ୍ କହିଛନ୍ତି କେଉଁ ପରିସ୍ଥିତିରେ ପ୍ରଧାନ ଶିକ୍ଷକ ନାଚିଲେ, ତାହା ତଦନ୍ତ ପରିସର ଭୁକ୍ତ ହେଉ ।

ଦେଖନ୍ତୁ ଏହି ଚିତ୍ରକୁ । ସ୍କୁଲର ଛାତ୍ରଛାତ୍ରୀମାନଙ୍କ ସହ କିପରି ନାଚରେ ମସଗୁଲ ପ୍ରଧାନ ଶିକ୍ଷକ । ନାଚ ଗୀତର ମଜା ଉଠାଉଛନ୍ତି ପ୍ରଧାନ ଶିକ୍ଷକ । ସୁନ୍ଦରଗଡ ଜିଲ୍ଲା କନିକା ଉଚ୍ଚ ବିଦ୍ୟାଳୟର ସ୍କୁଲ କ୍ୟାମ୍ପସରେ ଚାଲିଥିଲା ନାଚ ଗୀତ । ଛାତ୍ରଛାତ୍ରୀମାନେ ତ ନାଚୁଥିଲେ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ନାୟକ ମଧ୍ୟ ନାଚରେ ମାତିଯାଇଥିଲେ । କ୍ୟାମେରାରେ କଏଦ ହେଉଥିଲା ଏହି ଚିତ୍ର । ଏହି ଭିଡିଓ ଭାଇରାଲ ହେବା ପରେ ଗ୍ରାମବାସୀ ପ୍ରଧାନଶିକ୍ଷକଙ୍କ ନାଚକୁ ନେଇ ଆପତି ଉଠାଇଛନ୍ତି । ସୁନ୍ଦରଗଡ ଜିଲ୍ଲା ଶିକ୍ଷା ଅଧିକାରୀ ପୁରା ଘଟଣାକୁ ନିନ୍ଦା କରିଛନ୍ତି । ତଦନ୍ତ କରାଯାଇ ପ୍ରଧାନଶିକ୍ଷକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।

 

ଅନ୍ୟ ପକ୍ଷରେ ଭୋଜି ଅବସରରେ ଛାତ୍ରଛାତ୍ରୀମାନଙ୍କ ସହ ପ୍ରଧାନଶିକ୍ଷକଙ୍କ ଏପରି ନାଚକୁ ସକାରାତ୍ମକ ଭାବେ ନେଇଛନ୍ତି ଶିକ୍ଷାବିତ । ପ୍ରଧାନଶିକ୍ଷକ କେଉଁ ପରିସ୍ଥିତିରେ ନାଚିଲେ, କଣ ଅବସର ଥିଲା ଏସବୁ କଥାକୁ ତଦନ୍ତ ପରିସରଭୁକ୍ତ କରିବାକୁ ଦେଇଛନ୍ତି ପରାମର୍ଶ । ଗତ ୯ ତାରିଖରେ ସ୍କୁଲ ପରିସରରେ ଚାଲିଥିଲା ଭୋଜି । ଏହି ସମୟରେ ସ୍କୁଲର ଛାତ୍ରଛାତ୍ରୀମାନେ କ୍ୟାମ୍ପସ ପରିସରରେ ନାଚିବାର ମଜା ଉଠାଇଥିଲେ । ଆଉ ଆକ୍ସନ ମୁଡକୁ ଆସିଯାଇଥିଲେ ପ୍ରଧାନ ଶିକ୍ଷକ । ଛାତ୍ରଛାତ୍ରୀମାନଙ୍କ ସହ ମିଶି ହିନ୍ଦି ଓ ଓଡିଆ ଗୀତରେ ନାଚିଥିଲେ, ଯାହା ଏବେ ବିବାଦୀୟ ହୋଇପଡିଛି ।