ବିକ୍ରି ହେବ ୧୪୫ ବର୍ଷ ପୁରୁଣା ବ୍ରାଣ୍ଡ ହର୍ଲିକ୍ସ ! ଜାଣନ୍ତୁ କିଏ କିଣୁଛି ?

60

ବିକ୍ରି ହେବ ‘ହର୍ଲିକ୍ସ’ । ବ୍ରିଟେନ୍‌ର ଲୋକପ୍ରିୟ ଔଷଧ କଂପାନି ଗ୍ଲାକ୍ସୋସ୍ମିଥ୍‌କ୍ଲାଇନ୍‌ (ଜିଏସ୍‌କେ) ଏହାର ଦୁଇ ଲୋକପ୍ରିୟ ବ୍ରାଣ୍ଡ୍‌ ହର୍ଲିକ୍ସ ଓ ବୁଷ୍ଟ୍‍କୁ ବିକ୍ରି କରିବା ଉପରେ ବିଚାର କରୁଛି । ଏହି ଦୁଇ ବ୍ରାଣ୍ଡ୍‌କୁ ଜିଏସ୍‌କେ ଅନ୍ୟ କଂପାନି ହାତକୁ ଟେକିଦେବ । ଏକ ନୂଆ ବ୍ୟବସାୟ ଡିଲ୍‌ ନିମନ୍ତେ ପାଣ୍ଠି ଯୋଗାଣ କରିବା ପାଇଁ ଜିଏସ୍‌କେ ଏଭଳି ପଦକ୍ଷେପ ନେବାକୁ ଯାଉଛି । ଜିଏସ୍‌କେ ବିଶ୍ୱର ବିଭିନ୍ନ ଦେଶରେ କାରବାର କରୁଛି । ଜିଏସ୍‌କେ କଞ୍ଜ୍ୟୁମର ହେଲଥକେୟାର (ଜିଏସ୍‌କେସିଏଚ୍‌) ନାମରେ ଏହା ଭାରତରେ ବ୍ୟବସାୟ କରୁଛି । ହର୍ଲିକ୍ସ ଓ ବୁଷ୍ଟ ଜରିଆରେ ଏହି ସଂସ୍ଥାର ୯୦% ଆୟ ହେଉଛି । ହର୍ଲିକ୍ସ ହେଉଛି ଏକ ୧୪୫ ବର୍ଷ ପୁରୁଣା ବ୍ରାଣ୍ଡ୍‌ । କଞ୍ଜ୍ୟୁମର୍‌ ହେଲଥ୍‌କେୟାର କାରବାର ପାଇଁ ଜିଏସ୍‌କେ ପକ୍ଷରୁ ୨୦୧୪ରେ ନୋଭାର୍ଟିସ୍‌ ସହିତ ଯୌଥ ଉଦ୍ୟୋଗ ସ୍ଥାପନ କରାଯାଇଥିଲା ।

ସେଥିରେ ନୋଭାର୍ଟିସ୍‌ର ଥିବା ଅଂଶଧନକୁ ଜିଏସ୍‌କେ କିଣିବାକୁ ଚାହୁଁଛି ଯଦ୍ୱାରା ଏହି ଯୌଥ ଉଦ୍ୟୋଗର ପୂର୍ଣ୍ଣ ନିୟନ୍ତ୍ରଣ ଜିଏସ୍‌କେ ହାତକୁ ଚାଲିଆସିବ । ତେବେ ନୋଭାର୍ଟିସ୍‌ର ସବୁ ସେୟାରକୁ କିଣିବାକୁ ହେଲେ ୧୩୦୦ କୋଟି ଡଲାର ଦରକା ର। ଏତେ ପରିମାଣର ଅର୍ଥରାଶି ଯୋଗାଡ଼ କରିବା ଜିଏସ୍‌କେ ପାଇଁ ସହଜ ନୁହେଁ। ତେଣୁ ଏହା ହର୍ଲିକ୍ସ ଓ ବୁଷ୍ଟ୍‍ ବ୍ରାଣ୍ଡ୍‌କୁ ବିକ୍ରି କରି ପାଣ୍ଠି ଯୋଗାଡ଼ କରିବା ଉପରେ ବିଚାର କରୁଛି। ଆବଶ୍ୟକ ହେଲେ ଜିଏସ୍‌କେ ଏହାର ଭାରତରେ ଥିବା ସଂସ୍ଥାକୁ ସମ୍ପୂର୍ଣ୍ଣ ବିକ୍ରି କରିଦେଇପାରେ । ଭାରତୀୟ ସଂସ୍ଥାରେ ଜିଏସ୍‌କେର ୭୨.୫% ଅଂଶଧନ ରହିଛି । ଜିଏସ୍‌କେର ଭାରତୀୟ ସଂସ୍ଥା ୨୦୧୬-୧୭ରେ ୪୪୨୧ କୋଟି ଟଙ୍କାର କାରବାର କରିଥିଲା ।

ଏହି ସଂସ୍ଥା ପାଇଁ ଏଠାରେ ୩୩୦୦ ଲୋକ କାମ କରୁଛନ୍ତି । ହର୍ଲିକ୍ସ ଭାରତର ଏକ ବହୁତ ପରିଚିତ ବ୍ରାଣ୍ଡ୍‌ । ଗାଁଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁ ସ୍ଥାନରେ ଏହା ବେଶ ଲୋକପ୍ରିୟ । ହର୍ଲିକ୍ସ ଓ ବୁଷ୍ଟ୍‍ ବ୍ରାଣ୍ଡ୍‌କୁ ବିକ୍ରି କରିବା ଉପରେ କଂପାନି କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇନାହିଁ । ଏହା କେବଳ ବିକ୍ରି ସମ୍ଭାବନା ଆକଳନ କରୁଛି । ୨୦୧୮ ଶେଷ ଆଡକୁ ହର୍ଲିକ୍ସ ବିକ୍ରି ସମ୍ପର୍କିତ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ । ଏହି ବିକ୍ରି ପାଇଁ ଭାରତ ସରକାରଙ୍କଠାରୁ ଆରମ୍ଭ କରି ଆହୁରି ବହୁତ ନିୟାମକ ସଂସ୍ଥାର ମଞ୍ଜୁରି ଦରକାର ପଡ଼ିବ । ସବୁ କିଛି ଠିକଠାକ୍‌ ରହିଲେ ହର୍ଲିକ୍ସ ବ୍ରାଣ୍ଡ୍‌ ବିକ୍ରି ହେବ । କଂପାନି ଏହା ମଧ୍ୟ ସ୍ପଷ୍ଟ କରିଦେଇଛି ଯେ, ହର୍ଲିକ୍ସ ସତରେ ବିକ୍ରି ହେବ ନା ନାହିଁ ଏବେଠାରୁ ତାହାର କୌଣସି ଗ୍ୟାରେଣ୍ଟି ଦେଇନାହିଁ । ଜିଏସ୍‌କେ ଭାରତରେ ସେନ୍‌ସୋଡାଇନ୍‌ ଟୁଥ୍‌ପେଷ୍ଟ୍‍, ଭୋଲ୍‌ଟାରିନ୍‌ ମସଲ୍‌ ଜେଲ୍‌, ଫୁଡୁଲ୍‌ସ, ଆକ୍ଟିବେସ୍‌, ଭାଇଭା ଓ ମାଲ୍‌ଟୋଭା ଆଦି ବ୍ରାଣ୍ଡ୍‌ର ଉତ୍ପାଦ ବିକ୍ରି କରୁଛି ।

ଉଲ୍ଲେଖଯୋଗ୍ୟ, ବଜାରକୁ ବିଭିନ୍ନ ପ୍ରକାର ଜୁସ୍‌ ଓ ଓଟସ୍‌ ଉତ୍ପାଦ ଆସିବା ପରେ ହର୍ଲିକ୍ସ ଓ ବୁଷ୍ଟ୍‍ର ଲୋକପ୍ରିୟତା ପ୍ରଭାବିତ ହୋଇଛି । ଏଥିପାଇଁ ଆହୁରି ଅନେକ ପ୍ରକାର କାରଣ ମଧ୍ୟ ରହିଛି । ଜିଏସ୍‌କେ ଆଗାମୀ ଦିନରେ କ୍ରୋସିନ୍‌, ଆୟୋଡେକ୍ସ ଓ ଇନୋ ଭଳି ଉତ୍ପାଦ ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରିବାକୁ ଚାହୁଁଛି । ଏହା ହର୍ଲିକ୍ସ ଭଳି ନ୍ୟୁଟ୍ରିସନ୍‌ ଉତ୍ପାଦକୁ ଆଉ ଏତେ ଗୁରୁତ୍ୱ ଦେବାକୁ ଚାହୁଁନାହିଁ । ହର୍ଲିକ୍ସ ପାଇଁ ସବୁଠୁ ବଡ଼ ବଜାର ହେଉଛି ଭାରତ, ଶ୍ରୀଲଙ୍କା ଓ ବାଲାଂଦେଶ ।

ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଭାରତ ଆସିଥିଲା
୧୮୭୩ ମସିହାରେ ବ୍ରିଟେନ୍‌ରେ ଜନ୍ମ ଗ୍ରହଣ କରିଥିବା ଦୁଇ ଭାଇ ଓ୍ଵିଲିୟମ୍‌ ଓ ଜେମ୍‌ସ ହର୍ଲିକ୍ସଙ୍କ ଦ୍ୱାରା ହର୍ଲିକ୍ସକୁ ବିକଶିତ କରାଯାଇଥିଲା । କିଛି ବର୍ଷ ପରେ ସେମାନେ ଆମେରିକା ଚାଲିଯାଇଥିଲେ ଓ ସେଠାରେ କାରଖାନା ସ୍ଥାପନ କରି ହର୍ଲିକ୍ସ ଉତ୍ପାଦନ କରିଥିଲେ । ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ହର୍ଲିକ୍ସ ଭାରତକୁ ଆସିଥିଲା । ବ୍ରିଟିସ୍‌ ସେନା ଏହାକୁ ଭାରତ ଆଣିଥିଲା ବୋଲି କୁହାଯାଉଛି । କିଛି ଦିନ ଭିତରେ ଏହା ଭାରତୀୟଙ୍କ ଦ୍ୱାରା ଆଦୃତ ହୋଇଥିଲା । ପଞ୍ଜାବ, ବେଙ୍ଗଲ ଓ ମାଡ୍ରାସ୍‌ର ଲୋକମାନେ ପ୍ରଥମେ ଏହାକୁ ବ୍ୟବହାର କରିଥିଲେ । ୧୯୪୦ ଓ ୧୯୫୦ ବେଳକୁ ଏହା ଏକ ପାରିବାରିକ ପାନୀୟ ଉତ୍ପାଦରେ ପରିଣତ ହୋଇଥିଲା । କିଛି ବର୍ଷ ପରେ ଏଭଳି ଏକ ସମୟ ଆସିଥିଲା ଯେତେବେଳେ ହର୍ଲିକ୍ସ ଥିବା ଘରକୁ ଧନୀ ଘର ବୋଲି ବିଚାର କରାଯାଉଥିଲା । ନିଜକୁ ସମ୍ଭ୍ରାନ୍ତ ବୋଲି ଦେଖେଇ ହେବାକୁ ଚାହୁଁଥିବା ଲୋକମାନେ ହର୍ଲିକ୍ସ କିଣୁଥିଲେ ।

ପ୍ରାରମ୍ଭିକ ପର୍ଯ୍ୟାୟରେ ହର୍ଲିକ୍ସକୁ ବ୍ରିଟେନ୍‌ରୁ ଆମଦାନି କରାଯାଉଥିଲା ଓ ଏଠାରେ ପ୍ୟାକେଟ୍‌ ପ୍ରସ୍ତୁତ କରି ତାହାକୁ ବିକ୍ରି କରାଯାଉଥିଲା । ୧୯୫୮ ମସିହାରେ ପଞ୍ଜାବରେ ଏକ କାରଖାନା ସ୍ଥାପନ କରି ହର୍ଲିକ୍ସର ସ୍ଥାନୀୟ ଉତ୍ପାଦନ ଆରମ୍ଭ କରାଯାଇଥିଲା । ଚକୋଲେଟ୍‌, କେସର ବାଦାମ ଭଳି ବିଭିନ୍ନ ସ୍ୱାଦରେ ଏହାକୁ ବଜାରରେ ବିକ୍ରି କରାଯାଉଛି । ଏହି ବ୍ରାଣ୍ଡ୍‌ର ଲୋକପ୍ରିୟତା ଏତେ ବଢ଼ିଯାଇଥିଲା ଯେ ଏହାର ମୂଳ କଂପାନି ହର୍ଲିକ୍ସ ନାମରେ ବିସ୍କୁଟ୍‌ ମଧ୍ୟ ବଜାରକୁ ଆଣିଥିଲା । ନିଜର ୧୪୫ ବର୍ଷ ଯାତ୍ରାରେ ହର୍ଲିକ୍ସ ଅନେକ ମାଲିକ ବଦଳାଇଛି । ବିଚମ୍‌ ନାମକ ଏକ କଂପାନି ଏହାକୁ କିଣିଥିଲା । ୧୯୬୯ରେ ସ୍ମିଥ୍‌କ୍ଲାଇନ୍‌ ସହିତ ବିଚମ୍‌ର ମିଶ୍ରଣ ହୋଇଥିଲା । ଏହି ମିଶ୍ରଣରୁ ଯେଉଁ ନୂଆ କଂପାନି ସୃଷ୍ଟି ହୋଇଥିଲା ତାହା ୧୯୮୯ରେ ଗ୍ଲାକ୍ସୋ ସହିତ ମିଶିଯାଇଥିଲା । ଏହା ପରେ ସୃଷ୍ଟି ହୋଇଥିବା ଗ୍ଲାକ୍ସୋସ୍ମିଥ୍‌କ୍ଲାଇନ୍‌ (ଜିଏସ୍‌କେ) । ସେହିଦିନଠାରୁ ଜିଏସ୍‌କେ ମାଲିକାନାରେ ହର୍ଲିକ୍ସ ରହିଛି ।

କିଣିବା ଦୌଡ଼ରେ ନେସ୍‌ଲେ, ୟୁନିଲିଭର!

ହର୍ଲିକ୍ସ ବିକ୍ରି ହେବା ଖବର ପ୍ରଚାରିତ ହେବା ସହିତ ଏହାକୁ କିଣିବା ପାଇଁ ବିଭିନ୍ନ କଂପାନି ମଧ୍ୟ ପ୍ରତିଦ୍ୱନ୍ଦିତା ଆରମ୍ଭ ହୋଇଛି । ବିଶ୍ୱର ତିନିଟି ବଡ଼ ଖାଦ୍ୟ ଉତ୍ପାଦ ପ୍ରସ୍ତୁତକାରୀ କଂପାନି ନେସ୍‌ଲେ, ୟୁନିଲିଭର୍‌ ଓ କ୍ରାଫ୍ଟ ହେଇଞ୍ଜ୍‌ ଏହି ବ୍ରାଣ୍ଡ୍‌କୁ କିଣିବା ପାଇଁ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଦେଲେଣି । ହର୍ଲିକ୍ସକୁ କିଣିବା ପାଇଁ ଅତୀତରେ ନେସ୍‌ଲେ ପ୍ରୟାସ କରିଥିଲା ଓ ଏହାର ଅଭିପ୍ରାୟ ଜିଏସ୍‌କେକୁ ମଧ୍ୟ ଜଣାଇଥିଲା । କୋକାକୋଲା, ପେପ୍‌ସି, ସନ୍‌ଟୋରି, ମଣ୍ଡୋଲେଜ୍‌ ଇଣ୍ଟରନ୍ୟାସନାଲ୍‌ ଓ ଜେଏବି ଭଳି ବିଶ୍ୱ ସ୍ତରୀୟ କଂପାନି ମଧ୍ୟ ହର୍ଲିକ୍ସ କିଣିବା ପାଇଁ ଆଗ୍ରହ ଦେଖାଇ ପାରନ୍ତି ବୋଲି ବଜାର ବିଶେଷଜ୍ଞମାନେ ଆକଳନ କରିଛନ୍ତି । କେଉଁ ସଂସ୍ଥା ହାତକୁ ହର୍ଲିକ୍ସ ଯିବ ତାହା ଆଗାମୀ ଦିନରେ ଜଣାପଡ଼ିବ ।