ଆର୍ଥିକ ଅପରାଧୀଙ୍କ ପାଇଁ ବଢିବ ଅଡୁଆ । ଆର୍ଥିକ ଠକମାନଙ୍କୁ ସାବାଡ କରିବାକୁ ସରକାର ଆଣିବେ ନୂଆ ଆଇନ

39

କନକ ବ୍ୟୁରୋ: ନୀରବ ମୋଦି, ମେହୁଲ ଚୋକସି ଓ ବିଜୟ ମାଲ୍ୟାଙ୍କ ଭଳି ପଳାତକ ତଥା ଆର୍ଥିକ ଅପରାଧୀଙ୍କ ଉପରେ ଲାଗିବ ଲଗାମ । କେନ୍ଦ୍ର ସରକାର ବଜେଟ ଅଧିବେଶନର ଦ୍ୱିତୀୟ ଚରଣରେ ଏନେଇ ସଂସଦରେ ନୂଆ ବିଧେୟକ ଆଗତ କରିବେ ବୋଲି ଖବର ମିଳୁଛି । ବିଧେୟକର ବ୍ୟବସ୍ଥା ଅନୁସାରେ ୬ ସପ୍ତାହ ଭିତରେ ଅଭିଯୁକ୍ତକୁ ପଳାତକ ଘୋଷଣା କରାଯାଇ ପାରିବ । ଏଥିସହ ଦୋଷୀ ସାବ୍ୟସ୍ତ ହେବା ଆଗରୁ ପଳାତକଙ୍କ ସଂପତି ଜବତ କରି ବିକ୍ରି ମଧ୍ୟ କରାଯାଇ ପାରିବ । ୧ ମାସ ବନ୍ଦ ରହିବା ପରେ ଆସନ୍ତା ସପ୍ତାହରୁ ଆରମ୍ଭ ହେଉଥିବା ବଜେଟ ଅଧିବେଶନରେ ଏହି ବିଧେୟକ ପାରିତ ହୋଇ ଆଇନରେ ପରିଣତ ହେଲେ, ଆର୍ଥିକ ଅପରାଧୀଙ୍କ ଅଡୁଆ ବଢିବ ।

ତେବେ ଦେଶରେ ବଡ଼ ବଡ଼ ଆର୍ଥିକ ଠକେଇ କରି ବିଦେଶ ପଳେଇଯାଉଥିବା ଠକମାନଙ୍କ ସଂଖ୍ୟା ବଢିଚାଲିଛି । ଏହାକୁ ନେଇ ଦେଶରେ ଅସନ୍ତୋଷ ବଢିଚାଲିଥିବାବେଳେ ଆଗକୁ ଯେପରି ଏଭଳି ଘଟଣା ନହୁଏ ତାହା ନିଶ୍ଚିତ କରିବାକୁ ସରକାର ଏକ ଆଇନ ଆଣିବାକୁ ଯାଉଛନ୍ତି । ମାର୍ଚ୍ଚ ୬ରୁ ଆରମ୍ଭ ହେବାକୁ ଯାଉଥିବା ସଂସଦର ବଜେଟ ଅଧିବେଶନର ଦ୍ୱିତୀୟ ଭାଗରେ ଏହି ବିଲ୍ ଆଗତ ହେବାର ସମ୍ଭାବନା ରହିଛି । ଭାରତୀୟ ଆଇନର ଜାଲରୁ ବର୍ତ୍ତିବା ପାଇଁ ବଡ଼ ବଡ଼ ଆର୍ଥିକ ଠକେଇରେ ସଂପୃକ୍ତ ବ୍ୟକ୍ତିମାନେ ବିଦେଶକୁ ପଳାୟନ କରୁଥିବାରୁ ତାହାକୁ ଯେପରି ରୋକାଯାଇପାରିବ ସେ ନେଇ ଏହି ଆଇନରେ ବ୍ୟବସ୍ଥା ରହିଛି । ଏହି ଚିଠା ଆଇନ ଅନୁସାରେ ଜଣେ ଫେରାର ଆର୍ଥିକ ଅପରାଧୀର ଅର୍ଥ ହେଉଛି ଯାହା ବିରୋଧରେ ଏକ ଆର୍ଥିକ ଠକେଇକୁ ନେଇ ଓ୍ଵାରେଣ୍ଟ ଜାରି ହୋଇଛି, କିନ୍ତୁ ସେ ଦେଶଛାଡି ପଳାଇଛି ଓ ଫେରିବାକୁ ମନା କରୁଛି । ଏପରି କ୍ଷେତ୍ରରେ ଭାରତରେ ଥିବା ତାହାର ସଂପତ୍ତିକୁ ଚିହ୍ନଟ କରି ଜବତ କରାଯାଇପାରିବ ।

ପୁଣି ଯେଉଁମାନେ ଭାରତ ଛାଡି ପଳାଇଯିବାର ସମ୍ଭାବନା ରହିଛି ସେମାନଙ୍କୁ ଚିହ୍ନଟ କରି ଆଗୁଆ ସେମାନଙ୍କ ପାସପୋର୍ଟ ରଦ୍ଦ କରିଦିଆଯିବ । ଆହୁରିମଧ୍ୟ ଯେଉଁମାନଙ୍କ ଆର୍ଥିକ କାରବାର ଉପରେ ସଂଦେହ ହେଉଛି ସେମାନଙ୍କ ଉପରେ ବିଶେଷ ନଜର ରଖିବାକୁ ଚିନ୍ତା କରାଯାଉଛି । ସରକାର କରୁଥିବା ଯୋଜନା ଅନୁସାରେ ବିଭିନ୍ନ କମ୍ପାନିର ବିଦେଶୀ କାରବାର ଉପରେ ନଜର ରଖାଯିବ । ରିଜର୍ଭ ବ୍ୟାଙ୍କ ଓ ଫାଇନାନ୍ସିଆଲ ଇଣ୍ଟେଲିଜେନ୍ସ ୟୁନିଟ୍ ଏସବୁ କାରବାର ଉପରେ ନଜର ରଖିବେ ଓ ସଂଦେହ ହେଲେ ସରକାରଙ୍କୁ ସତର୍କ କରାଇଦେବେ । ଅଧିକ ସଂଦେହ ହେଲେ ସେମାନଙ୍କ ପାସପୋର୍ଟକୁ ଜବତ କରିଦିଆଯିବ ।