ରାଜଧାନୀରେ ଭଡା ଘରୁ ମିଳିଲା ଯୁବତୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ! ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପରିବାର ଲୋକ

39

କନକ ବ୍ୟୁରୋ : ରାତି ଅଧରେ ମୁଖ୍ୟଫାଟକ ଖୋଲା ଥିବା ଦେଖି ଧାଇଁ ଆସିଲେ ଘରର ମାଲିକ । ଉପର ମହଲାରୁ ତଳ ମହଲାକୁ ଆସି ଦେଖିଲା ବେଳକୁ ଆଖି ସାମ୍ନାରେ ରକ୍ତଜୁଡୁବୁଡୁ ଅବସ୍ଥାରେ ଯୁବତୀଙ୍କ ମୃତଦେହ । ଯିଏ କାନନବିହାର ଫେଜ୍-ଟୁରେ ଘର ଭଡ଼ା ନେଇ ରହୁଥିଲେ । ସନ୍ଦେହ ଜନକ ଅବସ୍ଥାରେ ଭଡ଼ା ରହୁଥିବା ଯୁବତୀଙ୍କ ମୃତଦେହ ଦେଖି ବିବ୍ରତ ହୋଇ ପଡ଼ିଥିଲେ ଘର ମାଲିକ । ଆଉ କୌଣସି ଉପାୟ ନପାଇ ଫୋନ୍ କରିଥିଲେ ଇନଫୋସିସ୍ ଥାନାକୁ ।

ସୂଚନା ପାଇ କାନନବିହାର ଫେଜ୍-ଟୁର ଏମ୍ଆଇଜି-୫ନମ୍ବର ଫ୍ଲାଟରେ ପହଂଚିଥିଲା ପୁଲିସ । ଘଟଣାର ଗୁରୁତ୍ୱକୁ ବୁଝି ଘଟଣାସ୍ଥଳରେ ପହଂଚିଥିଲେ ଖୋଦ୍ ଡିସିପି । ଆଉ ସାଇନିଫିକ୍ ଟିମ୍ ଏବଂ ପୁଲିସର ଛାନବିନ୍ ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା । ସେପଟେ ଜଗତସିଂହପୁର ଏରସମାରୁ ଆସିଥିବା ଯୁବତୀଙ୍କ ପରିବାରବର୍ଗ, ଦୁଷ୍କର୍ମ ପରେ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ।

ମୃତ ଯୁବତୀଙ୍କ ଶରୀରରେ ଅନେକ କ୍ଷତ ଚିହ୍ନ ଥିବାରୁ ପୁରା ଘଟଣା ଏକ ଭିନ୍ନ ଦିଗକୁ ଇସାରା କରୁଛି । ତେବେ ପ୍ରଶ୍ନ ଉଠୁଛି-ସତରେ କ’ଣ ଯୁବତୀଙ୍କୁ ଦୁର୍ଷ୍କମ ପରେ ହତ୍ୟା କରାଯାଇଛି ? ଏହା ହତ୍ୟା ନା’ ଆତ୍ମହତ୍ୟା ? ଏହି ସବୁ ପ୍ରଶ୍ନର ଉତ୍ତର, କେବଳ ସାଇନଟିଫ୍ ଟିମ୍ ଏବଂ ପୋଷ୍ଟମର୍ଟମ୍ ରିପୋର୍ଟ ଆସିବା ପରେ ହିଁ ମିଳିବ ।