ଗୋଟିଏ ପଦବୀରେ ଦୁଇଜଣ ଅଫିସର ! ଗଂଜାମ ଜିଲ୍ଲା ରମ୍ଭା ଏନଏସିରେ ବିଚିତ୍ର ପରିସ୍ଥିତ

23

ଗଂଜାମ : ଗୋଟିଏ ପଦବୀ ଦୁଇଜଣ ଅଫିସର । କଥାଟା ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ । କିନ୍ତୁ କଥା ହେଉଛି ସତ । ଏଭଳି ସ୍ଥିତି ସୃଷ୍ଟି ହୋଇଛି ରମ୍ଭା ଏନଏସିରେ । ଏଠାରେ ଥିବା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପଦରେ ଅଛନ୍ତି ଦୁଇ ଜଣ ଅଫିସର ।

ଅର୍ଚ୍ଚନା ନାୟକ ଓ ରାମଚନ୍ଦ୍ର ସାହୁ । ଏହି ଦୁଇଜଣ ଏବେ ରମ୍ଭା ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ । ଅର୍ଚ୍ଚନା ନାୟକ ଜାନୁଆରୀ ୨୦୧୫ରୁ ଏଠାରେ କାର୍ଯ୍ୟନିର୍ବାହୀ ଅଧିକାରୀ ଅଛନ୍ତି । କିନ୍ତୁ ଗତ ୫ ତାରିଖରେ ପ୍ରକାଶିତ ବଦଳି ନିର୍ଦେଶରେ ତାଙ୍କୁ ପୁରୀ ବଦଳି ହୋଇଥିବା ବେଳେ ତାଙ୍କ ସ୍ଥାନରେ ଆସିଛନ୍ତି ରାମଚନ୍ଦ୍ର ସାହୁ । ନିଜ ବଦଳିକୁ ବିରୋଧ କରି ହାଇକୋର୍ଟରୁ ଷ୍ଟେ ଅର୍ଡର ଆଣିଛନ୍ତି ଅର୍ଚ୍ଚନା । ଜଣକ ପାଖରେ ଅଛି ସରକାରୀ ନିର୍ଦେଶ ଆଉ ଅନ୍ୟ ଜଣ ପାଖରେ ଅଛି କୋର୍ଟ ନିର୍ଦେଶ । ଅର୍ଚ୍ଚନା ନାୟକ ଛୁଟିରେ ଥିବା ବେଳେ ଏହି ପଦରେ ନିଯୁକ୍ତି ପାଇଛନ୍ତି ରାମଚନ୍ଦ୍ର । କାର୍ଯ୍ୟନିର୍ବାହୀ ଚୌକିରେ ବସୁଛନ୍ତି ଅର୍ଚ୍ଚନା ଏବଂ ବାହାରେ ବସୁଛନ୍ତି ରାମଚନ୍ଦ୍ର । ଜଣେ କାମ କରୁଛନ୍ତି, ଅନ୍ୟ ଜଣେ ବସି ରହୁଛନ୍ତି ଆଉ ଅପେକ୍ଷା କରୁଛନ୍ତି ଦାୟିତ୍ୱ ହସ୍ତାନ୍ତର ନିର୍ଦେଶକୁ।

କାର୍ଯ୍ୟନିର୍ବାହୀ ଅଧିକାରୀ ବଦଳି ନିର୍ଦେଶ ଜାଣିବା ପରେ ରମ୍ଭା ଏନଏସିର ଅଧ୍ୟକ୍ଷା ଓ ଅନ୍ୟ କେତେକ କାଉନସିଲର, ମନ୍ତ୍ରୀ ଓ ସଚିବଙ୍କୁ ଭେଟି ଅଭିଯୋଗ କରିଥିଲେ । ନୂଆ ଭାବେ ଆସୁଥିବା ରାମଚନ୍ଦ୍ର ସାହୁଙ୍କ ନେଇ ସେମାନେ ଅସନ୍ତୁଷ୍ଟ ଥିବା ଜଣାଇଥିଲେ । ସରକାରଙ୍କ ନିର୍ଦେଶରେ କାମ କରିବେ କହିଛନ୍ତି ଏନଏସି ଅଧ୍ୟକ୍ଷା ।