ସହିଦ୍ ଜୟୀ ରାଜଗୁରୁ : ସ୍ୱାଧୀନତା ସଂଗ୍ରାମର ପ୍ରଥମ ଓଡିଆ ସହୀଦ୍ ।

648

ଇଂରେଜ ଓ ଖୋର୍ଦ୍ଧା ରାଜାଙ୍କ ସହିତ ଇଂରେଜମାନଙ୍କର ମତାନ୍ତର ଘଟି ଉଭୟଙ୍କ ମଧ୍ୟରେ ୧୮୦୪ରେ ଏକ ସଂଗ୍ରାମ ସଂଘଟିତ ହୋଇଥିଲା । ଏହି ଇତିହାସ ପ୍ରସିଦ୍ଧ ସଂଗ୍ରାମର କେନ୍ଦ୍ରବିନ୍ଦୁ ଥିଲେ ଜୟୀ ରାଜଗୁରୁ ନାମରେ ପରିଚିତ ଜୟୀକୃଷ୍ଣ ରାଜଗୁରୁ । ଜୟୀ ରାଜଗୁରୁଙ୍କର ଜନ୍ମ ପୁରୀ ଜିଲ୍ଲାର ବୀରହରେକୃଷ୍ଣ ଗ୍ରାମରେ ୧୭୩୯ ମସିହା ପବିତ୍ର ଅଁଳା ନବମୀ କାର୍ତ୍ତିକ ମାସ ୨୪ ତାରିଖ ନଭେମ୍ବର ୩ ତାରିଖରେ । ସେ ତନ୍ତ୍ର ସାଧନାରେ ସିଦ୍ଧିଲାଭ କରିଥିଲେ । ୧୭୯୩ ଖ୍ରୀଷ୍ଟାବ୍ଦରେ ଗଜପତି ଦ୍ୱିତୀୟ ଦିବ୍ୟସିଂହଙ୍କ ଅଧୀନରେ ଜୟୀ ରାଜଗୁରୁ ପ୍ରଧାନମନ୍ତ୍ରୀ ଏବଂ ରାଜଗୁରୁ ରୂପେ ନିଯୁକ୍ତ ହୋଇଥିଲେ । ୧୭୯୮ ଖ୍ରୀଷ୍ଟାବ୍ଦରେ ଦ୍ୱିତୀୟ ମୁକୁନ୍ଦଦେବ ହୋଇଥିଲେ ଗଜପତି । ସେତେବେଳେ ସେ ଥିଲେ ନାବାଳକ । ତେଣୁ ରାଜକାର୍ଯ୍ୟ ପରିଚାଳନା କରିବାର ଦାୟିତ୍ୱ ନ୍ୟସ୍ତ ହୋଇଥିଲା ଜୟୀକୃଷ୍ଣ ରାଜଗୁରୁଙ୍କ ଉପରେ ।

ଖୋର୍ଦ୍ଧା ରାଜ୍ୟର ରାହାଙ୍ଗ,ସରାଇ,ଚବିଶକୁଦ,ଲିମ୍ବାଇ ନାମରେ ୪ ଟି ମୂଲ୍ୟବାନ୍ ପ୍ରଗଣା ମରହଟ୍ଟାମାନେ ଛଡାଇ ନେଇଥିଲେ । ସେହି ପ୍ରଗଣାଗୁଡିକ ଫେରି ମିଳିବା ସହିତ ଏକଲକ୍ଷ ଟଙ୍କା ପୁରସ୍କାର ସ୍ୱରୂପ ମିଳିବ ବୋଲି ଇଂରେଜ ସେନାଧ୍ୟକ୍ଷ କର୍ଣ୍ଣେଲ ହାରକୋଟ ଗଜପତି ଦ୍ୱିତୀୟ ମୁକୁନ୍ଦଦେବଙ୍କୁ ପ୍ରସ୍ତାବ ଦେଇଥିଲେ । ମାତ୍ର ସେ ମରହଟ୍ଟାମାନଙ୍କ ସହିତ ଯୁଦ୍ଧରେ ଇଂରେଜମାନଙ୍କୁ ସାହାଯ୍ୟ ଦେବେ,ଏହା ଥିଲା ସର୍ତ୍ତ । ଏହି ପ୍ରଲୋଭନ ଏଡାଇ ନ ପାରି ମୁକୁନ୍ଦଦେବ ଇଂରେଜମାନଙ୍କୁ ପାଇକ ଯୋଗାଇଥିଲେ । ଇଂରେଜମାନେ ବିଜୟ ହେଲେ ମାତ୍ର କର୍ଣ୍ଣେଲ ହାରକୋଟ୍ ପ୍ରତିଶ୍ରୁତି ପୂରଣ କଲେ ନାହିଁ । ଫଳରେ ଜୟୀ ରାଜଗୁରୁଙ୍କ ପରାମର୍ଶ କ୍ରମେ ଗଜପତି ମୁକୁନ୍ଦଦେବ ଇଂରେଜମାନଙ୍କ ବିରୋଧରେ ୧୮୦୪ ମସିହାରେ ଯୁଦ୍ଧ ଘୋଷଣା ପାଇଁ ବାଧ୍ୟ ହୋଇଥିଲେ ।

ପ୍ରାଥମିକ ଅବସ୍ଥାରେ ପାଇକମାନେ ଇଂରେଜ ସୈନ୍ୟମାନଙ୍କୁ ବିପର୍ଯ୍ୟସ୍ତ କରିପକାଇଥିଲେ । ଏହି କାରଣରୁ କର୍ଣ୍ଣେଲ ହାରକୋଟ ମାନ୍ଦ୍ରାଜରୁ ଏକ ସେନାବାହିନୀ ମଗାଇଥିଲେ । ସେହି ସେନାବାହିନୀର ଅଧ୍ୟକ୍ଷ ଥିଲେ ମେଜର ଫ୍ଲେଚର । ତିନି ସପ୍ତାହ ଲଢେଇ ପରେ ମେଜର ଫ୍ଲେଚର ଖୋର୍ଦ୍ଧାରାଜାଙ୍କ ଦୁର୍ଗ ଅଧିକାର କରିନେଲେ ; ମାତ୍ର ସେତେବେଳକୁ ଉଭୟ ମୁକୁନ୍ଦଦେବ ଓ ଜୟୀ ରାଜଗୁରୁ ଖୋର୍ଦ୍ଧା ଦୁର୍ଗ ଛାଡି ଚାଲିଯାଇଥିଲେ । ପରେ ପରେ ଦୁଇଜଣଙ୍କୁ ବନ୍ଦୀକରି ପ୍ରଥମେ ବାରବାଟୀ ଦୁର୍ଗ ଏବଂ ପରେ ମେଦିନୀପୁର କାରାଗାରରେ ରଖାଯାଇଥିଲା । ବିଚାର ସମୟରେ ନିଜକୁ ସେ ଦାୟୀ କହିିଥିଲେ । ଗଜପତି ନାବାଳକ ଥିବାରୁ ସେ ତାଙ୍କୁ ନିର୍ଦ୍ଧୋଷ କହି ସମସ୍ତ ଦୋଷ ନିଜ ଉପରକୁ ନେଇଥିଲେ । ଉଭୟଙ୍କର ବିଚାର କରାଯାଇ ଜୟୀ ରାଜଗୁରୁଙ୍କୁ ବାଜିତୋଟାର ଏକ ବରଗଛରେ ଫାଶୀ ଦିଆଯାଇଥିଲା । ଅନ୍ତିମ ସମୟରେ ସେ ହସି ହସି ପ୍ରାଣବଳି ଦେଇଥିଲେ ।