କଟକ ଯୁବକଙ୍କ ବଡ ଆବିଷ୍କାର ! ବ୍ୟାଟେରୀରେ ଚାଲୁଛି ସ୍କୁଟର, ଥରେ ଚାର୍ଜ ହେଲେ ଦୌଡୁଛି ୧୮ ରୁ ୨୦ କିମି, ରହିଛି ଫୋଲ୍ଡିଂ ବ୍ୟବସ୍ଥା । 

260

କନକ ବ୍ୟୁରୋ : ବ୍ୟାଟେରୀରେ ଚାଲୁଛି ସ୍କୁଟର । ଥରେ ଚାର୍ଜ ହେଲେ ୧୮ ରୁ ୨୦ କିଲୋମିଟର ଚାଲିବା ସହ ଫୋଲ୍ଡ କରି ଏହାକୁ ଅନ୍ୟ ସ୍ଥାନକୁ ମଧ୍ୟ ନିଆଯାଇପାରିବ । ତାହା ପୁଣି ତିଆରି ହୋଇଛି କିଛି ଅବ୍ୟବହୃତ ସାମଗ୍ରୀରୁ । ଏଭଳି ଏକ ଫୋଲ୍ଡିଂ ସ୍କୁଟର କରି ଚର୍ଚ୍ଚାକୁ ଆସିଛନ୍ତି କଟକର ଜୋବ୍ରା ନୌବାଣିଜ୍ୟ ସଂଗ୍ରାହଳାୟର କର୍ମଚାରୀ ସନ୍ତୋଷ କୁମାର ଦଳେଇ ।

ମାତ୍ର ୧୨ ହଜାର ଟଙ୍କା ଖର୍ଚ୍ଚରେ ତିଆରି ହୋଇଛି ସ୍କୁଟର । ଏହା ସହ ଅରିଜିନାଲ ସ୍କୁଟର ଭଳି ଏଥିରେ ଅଛି ହ୍ୟାଣ୍ଡେଲ, ଏକ୍ସିଲେଟର ଏବଂ ମୋଟର । ଚାବି ଲଗେଇ ଅନ୍ କଲେ ଷ୍ଟାର୍ଟ ହେବ ସ୍କୁଟର । ସବୁଠୁ ବଡ କଥା ହେଲା ଏହାକୁ ଫୋଲ୍ଡ କରି ଅନ୍ୟ ସ୍ଥାନକୁ ମଧ୍ୟ ନିଆଯାଇପାରିବ । ବ୍ୟାଟେରୀ ଦ୍ୱାରା ଚାଲୁଥିବା ଏହି ସ୍କୁଟର ୫ ଘଣ୍ଟା ଚାର୍ଜ ହେଲେ ୧୮ ରୁ ୨୦ କିଲୋମିଟର ଚାଲିବ । ଜୋବ୍ରା ନୌବାଣିଜ୍ୟ ସଂଗ୍ରହାଳୟରେ ଟେକ୍ନିକାଲ ବିଭାଗର ଗ୍ୟାଲେରୀ ଆଟେଣ୍ଡାଣ୍ଟ ଭାବେ କାର୍ଯ୍ୟ କରୁଥିବା ସନ୍ତୋଷ ଭୁବନେଶ୍ୱରରେ ରହୁଥିବା ବେଳେ କଟକରୁ ଯିବା ଆସିବା କରିବାକୁ ସମସ୍ୟା ହେବାରୁ ଏପରି ଏକ ଫୋଲ୍ଡିଂ ସ୍କୁଟର ଉଦ୍ଭାବନ କରିଥିବା କହିଛନ୍ତି ।

ଏହି ଫୋଲ୍ଡିଂ ସ୍କୁଟର ତିଆରି କରିବାକୁ ସନ୍ତୋଷଙ୍କୁ ୩ ରୁ ୪ ମାସ ଲାଗିଥିଲା । ଏହି ସ୍କୁଟରରେ ରହିଛି ଡିସି ମୋଟର, ମୋଟର କଣ୍ଟ୍ରୋଲର, ସକପଚର ସହ ୨ଟି ଚକା । ଏହା ସହ କିଛି ଅବ୍ୟବହୃତ ସାମଗ୍ରୀ ମଧ୍ୟ ଏହି ସ୍କୁଟରରେ ଲାଗିଛି । ସନ୍ତୋଷ ନିଜସ୍ୱ ବୁଦ୍ଧି ଏବଂ ଖର୍ଚ୍ଚରେ ତିଆରି କରିଥିବା ଏହି ସ୍କୁଟରରେ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଏହାକୁ ଚଲାଇ ପାରିବେ ବୋଲି କହିଛନ୍ତି ସନ୍ତୋଷ  । ମେକାନିକାଲ୍ ଇଞ୍ଜିନିୟରିଂରେ ଡିପ୍ଲୋମା କରିଥିବା ସନ୍ତୋଷଙ୍କ ଏପରି ପ୍ରତିଭାକୁ ସମସ୍ତେ ପ୍ରଶଂସା କରିଛନ୍ତି । ବିନା ପେଟ୍ରାଲରେ ଚାଲୁଥିବା ଏହି ସ୍କୁଟର ଦ୍ୱାରା ପ୍ରଦୁଷଣ ମଧ୍ୟ କମ ହେବ । ତେବେ ସନ୍ତୋଷଙ୍କୁ ଯଦି ସରକାରୀ ପୋତ୍ସାହନ ମିଳନ୍ତା ଆଗକୁ ଏକ ଅଟୋ ଚାର୍ଜ ବାଲା ସ୍କୁଟର ତିଆରି କରିପାରନ୍ତେ ବୋଲି ସେ କହିଛନ୍ତି ।