ଚିନ୍ତା ବଢାଉଛି ବ୍ରାହ୍ମଣୀ ! ଯାଜପୁର ବରିରେ ଘାଇ, ଜେନାପୁର ରାସ୍ତା ଉପରେ ଚାଲୁଛି ବନ୍ୟା ଜଳ

24

କନକ ବ୍ୟୁରୋ: ଚିନ୍ତା ବଢାଉଛି ବ୍ରାହ୍ମଣୀ । ବ୍ରାହ୍ମଣୀ ନଦୀରେ ବନ୍ୟା ଜଳ ପରେ ଯାଜପୁର ବରିରେ ଘାଇ ସୃଷ୍ଟି ହୋଇଛି । ୧୫ଟି ପଂଚାୟତର ୩୦ଟି ଗାଁ ପାଣି ଘେରରେ । ଜେନାପୁରର ରାସ୍ତା ଉପରେ ମଧ୍ୟ ବୋହୁଛି ବନ୍ୟା ପାଣି । ରେଙ୍ଗାଳିଠାରେ ୧୦ଟି ଗେଟ୍ ଖୋଲାଯିବା ପରେ ବ୍ରାହ୍ମଣୀ ନଦୀରେ ଜଳସ୍ତର ବୃଦ୍ଧିପାଇଛି ।

ବ୍ରାହ୍ମଣୀ ନଦୀ ଜେନାପୁର ଠାରେ ବିପଦ ସଙ୍କେତ ୬୭ଫୁଟ ରହିଥିବା ବେଳେ ବର୍ତ୍ତମାନ ଜଳସ୍ତର ୬୭.୬୦ଫୁଟରେ ପ୍ରବାହିତ ହେଉଛି । ବନ୍ୟାସ୍ଥିତିକୁ ନେଇ ଅଂଚଳବାସୀ ଭୟଭୀତ ଥିବା ବେଳେ ବଢିପାଣି ଚାଷ ଜମିରେ ପଶି ନଷ୍ଟ କରୁଛି । ଦୁର୍ବଳ ନଦୀ ବନ୍ଧଗୁଡିକ ଉପରେ ସତର୍କ ଦୃଷ୍ଟି ରଖାଯାଇଛି ବୋଲି ଜଳସେଚନ ବିଭାଗ ପକ୍ଷରୁ କୁହାଯାଇଛି । ଅନ୍ୟପଟରେ ଧର୍ମଶାଳା ବ୍ଳକ ଇମାମନଗର ଠାରେ ଏକ କଲଭର୍ଟ ଭାସିଯିବାରୁ ଗମନାଗମନ ଏକପ୍ରକାରେ ଠପ୍ ହୋଇଯାଇଛି ।

ସେପଟେ ଭୋଗରାଇରେ ସୁବର୍ଣ୍ଣରେଖା ଜଳସ୍ତର ବିପଦସଙ୍କେତ ତଳେ ରହିଛି । ଭୋଗରାଇର ତଳିଆ ଅଂଚଳରେ ଏବେବି ଅନେକ ଲୋକ ପାଣି ଘେରରେ ଅଛନ୍ତି । ସୁବର୍ଣ୍ଣରେଖାର ବଢି ପାଣିରେ ଶହ ଶହ ଲୋକ ଜଳବନ୍ଦୀ ହୋଇଛନ୍ତି । ଅନ୍ୟପଟେ ଜଳସ୍ତର କମୁଥିବା ସ୍ଥାନଗୁଡିକରେ ଲୋକଙ୍କ ଦୁର୍ଦ୍ଦଶା ବଢିବାରେ ଲାଗିଛି । ଗତ ୫ ଦିନ ହେଲା ଭୋଗରାଇର ଅନେକ ଗାଁ ପାଣି ଘେରରେ ରହିଛି । ୫୭ନମ୍ବର ଜାତୀୟ ରାଜପଥରେ ୧ କିଲୋମିଟର ପର୍ଯ୍ୟନ୍ତ ପାଣି ଜମି ରହିଥିବାରୁ ଯାତାୟତ ବନ୍ଦ ରହିଛି । ପ୍ରଶାସନ ଏଯାଏଁ ଲୋକଙ୍କ ନିକଟରେ ପହଂଚିପାରିନାହିଁ ।

କେନ୍ଦ୍ରାପଡା ଜିଲ୍ଲାର କାଣୀ, ଖରସ୍ରୋତା ଓ ବ୍ରାହ୍ମଣୀ ନଦୀରେ ବନ୍ୟା ଆସିବା ଫଳରେ ପେଣ୍ଠପାଳ,ସିଂହଗାଁ ଓ ଅଳପୁଆ ପଂଚାୟତର ପ୍ରାୟ ୧୫ଟି ଗାଁ ଜଳମଗ୍ନ ହୋଇଛି । ୧୫ଟି ଗାଁ ବାହ୍ୟ ଜଗତରୁ ସଂପୂର୍ଣ୍ଣ ବିଚ୍ଚିନ୍ନ ହୋଇଯାଇଛି । ଏ ପର୍ଯ୍ୟନ୍ତ କୌଣସି ସରକାରୀ ସହାୟତା ପହଚିଂପାରିନି ।