ଚାଷୀ ସାଜିଲେ ଉଦାହରଣ : ଝାଡଖଣ୍ଡର ମାଇକେଲ ତିନିଶହ ଚାଷୀଙ୍କ ଜୀବନରେ ଆଣିଲେ ପରିବର୍ତ୍ତନ

113

“ଆତ୍ମହତ୍ୟା ଚାଷୀର ପ୍ରବୃତ୍ତି ନୁହେଁ, ମାଟିରୁ ଫସଲ ଉତ୍ପାଦନକରିବା ତାର ବୃତ୍ତି । ସମାଜର ହିତ ପାଇଁ ଚାଷୀର ଜନ୍ମ,ସମସ୍ତଙ୍କ ପାଇଁ ଖାଦ୍ୟ ଯୋଗାଇବା ତାର ପ୍ରଧାନ କର୍ତ୍ତବ୍ୟ । ସଂଘର୍ଷ ହିଁ ସଫଳତାର ମାପକାଠି । ସଂଘର୍ଷ ବିହୀନ ଜୀବନର ମାନେ କ’ଣ ?”ଓଡିଶାରେ ଚାଷୀ ଆତ୍ମହତ୍ୟା ବଢୁଥିବା ବେଳେ ଆମ ପଡୋଶୀ ରାଜ୍ୟ ଝାଡଖଂଡର ଜଣେ ଚାଷୀ କେବଳ ନିଜର ନୁହେଁ ନିଜ ଅଂଚଳ ଲୋକଙ୍କର ଜୀବନଧାରଣର ମାନ ପରିବର୍ତନ କରିବାରେ ସକ୍ଷମ ହୋଇଛନ୍ତି ।

ଜୁଲାଇ ମାସର ପ୍ରଥମ ସପ୍ତାହରେ ଝାଡଖଂଡ ସିଲମ ଗାଁରେ ବିର୍ଲା ଖରିୟା ନିଜ ଜମିରେ ଟମାଟୋ ଚାରା ଲଗାଇବାରେ ବ୍ୟସ୍ତ ଥାଆନ୍ତି । ନିକଟସ୍ତ ଗାଁର ମାଇକେଲ ହିକ୍କା କରିଥିବା ନର୍ସରୀରୁ ୩୫ଶହ ଚାରା କିଣି ଜମିରେ ଲଗାଇଛନ୍ତି । ପୂର୍ବରୁ ବିର୍ଲା ୧୦ଗ୍ରାମ ମଞ୍ଜି ପ୍ୟାକେଟ କିଣି ନିଜେ ଚାରା କରୁଥିଲେ କିନ୍ତୁ ଗତବର୍ଷ ଠାରୁ ସେ ଏକ୍କାଙ୍କ ନର୍ସରୀରୁ ଚାରା କିଣୁଛନ୍ତି । ଏହା ପଛରେ ଥିବା କାରଣ କିନ୍ତୁ ଭିନ୍ନ । ଏହିଭଳି ଭାବେ କେବଳ ବିର୍ଲା ଚାଷ କରୁନାହାନ୍ତି , ତାଙ୍କ ଭଳି ଅନେକ ଚାଷୀ ମାଇକେଲଙ୍କ ଉପରେ ନିର୍ଭର କରୁଛନ୍ତି । ତାର କାରଣ ହେଲା,କମ କ୍ଷତି ଓ ଘର ନିକଟରେ ଅଧିକ ସୁବିଧାସୁଯୋଗ ମିଳୁଥିବାରୁ ସିଲମ ଗାଁର ଅନେକ ଚାଷୀ ଅଦିକ ଜମିରେ ଚାଷ କରୁଛନ୍ତି । ଏହା ଏକ୍କାଙ୍କ ଭଳି ଚାଷୀଙ୍କୁ ପ୍ରୋତ୍ସାହିତ କରିବା ସହ ନୂଆ ପ୍ରଣାଳୀ ଆପଣାଇ କେବଳ ଚାଷ କରୁନାହାନ୍ତି ବରଂ ସେମାନଙ୍କ ଜୀବନଧାରଣର ମାନରେ ବିରାଟ ପରିବର୍ତ୍ତନ ଆଣିପାରିଛନ୍ତି ।

ଝାଡଖଂଡ ଗୁମଲା ଜିଲ୍ଲାର ଦକ୍ଷିଣ-ପଶ୍ଚିମାଂଚଳରେ ରାଇଡିହି ବ୍ଲକ । ଏଠାରେ ରହୁଥିବା ୧୩ହଜାର ୬ଶହ ପରିବାର ମଧ୍ୟରୁ ଶତକଡା ୬୫ ଭାଗ ଆଦିବାସୀ ସଂପ୍ରଦାୟ । ଦଶହଜାର ପରିବାରର ଦୁଇ ହେକ୍ଟରରୁ କମ ଜମି । ୩୦ହଜାର ୫ଶହ ହେକ୍ଟର ଜମିରୁ ମାତ୍ର ୬ ପ୍ରତିଶତ ଜଳସେଚିତ ହୋଇପାରୁଛି । ତେବେ ଯାହା ଜଣାପଡୁଛି ଏଠାରେ ଚାଷ କରିବାକୁ ହେଲେ କେବଳ ବର୍ଷା ଉପରେ ନିର୍ଭର କରିବାକୁ ପଡେ । ବର୍ଷକ ମଧ୍ୟରୁ ମାତ୍ର ୭୦ଦିନ ରେ କେବଳ ୧୨ଶହ ମିଲିମିଟର ବର୍ଷା ହୋଇଥାଏ । ଏଭଳି ଭୌଗଳିକ ସ୍ଥିତିରେ ରାଇଡିହି ବ୍ଲକର ଲୋକମାନେ ଚାଷକୁ ନେଇ ବଂଚିବା ଆଶା କରିନଥିଲେ । ତେଣୁ ଏହି ଅଂଚଳର ଯୁବକମାନେ ରୋଜଗାର ଆଶାରେ ବାହାରକୁ ଚାଲିଯାଇଥାଆନ୍ତି । ତା ସହ ଆଜିକାଲି ଯୁବଗୋଷ୍ଠୀକୁ କୃଷିକୁ ଆଦର ନକରିବା ଆଉ ଏକ କାରଣ । ସେମାନେ ଭାବିଥାନ୍ତି ସହରରେ କୃଷି ଠାରୁ ଅଧିକ ଟଙ୍କା ଉପାର୍ଜନ କରିହେବ । ଫଳରେ କେବଳ ବର୍ଷା ଦିନେ ସେହି ମାନେ ଗାଁକୁ ଫେରି ଚାଷ କରିଥାଆନ୍ତି । ସମୁଦ୍ର ପତନ ଠାରୁ ୬୫୦ ଉଚ୍ଚତାରେ ଥିବା ରାଇଡିହିରେ ନାତିଶୀତୋଷ୍ଣ ଜଳବାୟୁ ଦେଖିବାକୁ ମିଳିଥାଏ ।

ତେବେ ଏସବୁ ଭିତରେ ଲୋକଙ୍କ ମନରେ ଆଶା ସଂଚାର କରିଥିଲେ ମାଇକେଲ ଏକ୍କା । ନିଜେ କୃଷି ଉଦ୍ୟୋଗକାରୀ ହେବା ସହ ନିଜ ଅଂଚଳବାସୀଙ୍କର ସାମାଜିକ ଓ ଅର୍ଥନୈତିକ ସ୍ଥିତି ସୁଧାରିପାରିଥିଲେ । ବର୍ଷାଦିନରେ ପଡୋଶୀ ରାଜ୍ୟ ଓଡିଶା,ବିହାର ଓ ପଶ୍ଟିମବଂଗରେ ପରିବା ଚାଷ ଭଲ ହୋଇନଥାଏ । ଏହାର ସୁଯୋଗ ନେଇଥିଲେ ମାଇକେଲ । ପ୍ରଦାନ ସଂଗଠନ ସାହାଯ୍ୟରେ ଆରମ୍ଭ କରିଥିଲେ ପନିପରିବା ଚାଷ । ଯେହେତୁ ବର୍ଷା ଦିନେ ବଜାରରେ ପନିପରିବାର ଅଧିକ ଡିମାଣ୍ଡ ଥାଏ, ଏହା ଚାଷୀଙ୍କୁ ସୁହାଇଥାଏ ।ରାଇଡିହି ବ୍ଲକ ସିଲମ ପାଟ୍ରୋଲି ମାତ୍ର ୪୦ ବର୍ଷରେ ଜଣେ ସକ୍ରିୟ ଚାଷୀ ହୋଇପାରିଥିଲେ । କୃଷିରେ ନୂଆ କୈାଶଳ ଆପଣାଇ ନିଜ ଗାଁ ଲୋକଙ୍କର ସାମାଜିକ ଓ ଅର୍ଥନୈତିକ ସ୍ଥିତି ସୁଧାରିବା ପାଇଁ ଚେଷ୍ଟା କରିଥିଲେ । ମାଇକେଲ ଗାଁ ଲୋକଙ୍କୁ ସମୃଦ୍ଧିଶାଳୀ କରିବା ସହ ନିଜେ କୃଷି ଉଦ୍ୟୋଗକାରୀ ପାଲଟିଗଲେ ।

କୃଷି ଉଦ୍ୟୋଗକାରୀ ଭାବେ ଗାଁରେ ଖୋଲିଲେ ୱାନ ଷ୍ଟପ ସପ । ଯାହାର ଉଦ୍ଦେଶ୍ୟ ଥିଲା କୃଷି ସମ୍ବନ୍ଧୀୟ ତଥ୍ୟ ପ୍ରଦାନ, ଉନ୍ନତ ଧରଣର ଚାରା ବିକିବା , କୃଷି ଯନ୍ତ୍ରପାତି ଯଥା ପାୱାର ଟିଲର ଆଦି ମାଇକ୍ରୋଫାନ୍ସ ସହାୟତାରେ ଚାଷୀଙ୍କୁ ଋଣ ସହାୟତା କରିବା । ତା ସହ ଚାଷୀଙ୍କ ନିକଟରୁ ପନିପରିବା ଓ ଆମ୍ବ କିଣି ମାର୍କେଟିଂ କରୁଥିଲେ । ଏବର୍ଷ ୧୮୦ଜଣ ଚାଷୀଙ୍କ ପନିପରିବା ରାଉରକେଲା ଓ ରାଂଚି ପଠାଇ ସେମାନଙ୍କ ଜୀବନଶୈଳୀ ବଦଳାଇ ଦେଇଥିଲେ ମାଇକେଲ । ଟ୍ରାନସଫର୍ମ ରୁରାଲ ଇଂଡିଆ ଓ ସିନଜେଂଟ ଫାଉଣ୍ଡେସନର ମିଳିତ ସହଯୋଗରେ ସେଲଫହେଲପ ଗ୍ରୁପ ଦ୍ୱାରା କୃଷି ଉଦ୍ୟୋଗକାରୀ ଟ୍ରେନିଂ ମାଇକେଲ ଏକ୍କାଙ୍କୁ ପରିଚିତ କରାଇଥିଲା । କୃଷି ବୈଷୟିକ ଜ୍ଞାନ, ବେପାର ପରିଚାଳନା, କିପରି ସଫଳତା ପାଇହେବ, ସେହିଭଳି ଅନେକ ଟ୍ରେନିଂ ନେଇଥିଲେ ମାଇକେଲ । ଏଭଳି ଟ୍ରେନିଂ ଦ୍ୱାରା ସେ କୃଷିର ଗୁରୁତ୍ୱ ବୁଝିବା ସହ ନିଜ ବଜାରରେ ଲୋକଙ୍କ ଚାହିଦା କଣ ଓ କିପରି ବ୍ୟବସାୟ କଲେ ଚାଷୀ ଉପକୃତ ହୋଇପାରିବେ ସେ ବୁଝିପାରିଥିଲେ ।

ପ୍ରତିଶ୍ରୁତିବଦ୍ଧତା ମାଇକେଲଙ୍କ ଆଗରେ ଥିଲା ସବୁଠୁ ବଡ ଚ୍ୟାଲେଂଜ । ଅନେକ ସମୟରେ ଚାଷୀମାନେ ଠିକ ସମୟରେ ପରିିବା ଦେଇନଥାନ୍ତି । ପରିବା ଦର କମ ଥିବା ବେଳେ ଚାଷୀମାନେ ଏକ୍କାଙ୍କ ନିକଟକୁ ଆସିଥାନ୍ତି ଓ ବଜାରରେ ପରିବା ଦର ଉଚ୍ଚା ଥିବା ବେଳେ ନିଜେ ବଜାରରେ ବିକ୍ରିକରିଥାଆନ୍ତି । ଫଳରେ ଏଥିପାଇଁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡୁଥିଲା । କିନ୍ତୁ କୌଣସି ପରିସ୍ଥିତିରେ ଭାଙ୍ଗି ପଡିନଥିଲେ ଏକ୍କା ।
ଧୀରେ ଧୀରେ ଚାଷୀମାନେ ଅଧିକ ଜମିରେ ଚାଷ କରିବାରୁ ସମସ୍ୟା ଦୂର ହୋଇଥିଲା । କେବଳ ସେତିକି ନୁହେଁ ତା ସହ ପଣସ, ଆମ୍ବ, ଧାନ ଓ ଚାଉଳ ବେପାରରେ ପଶିଥିଲେ ଏକ୍କା ଓ ସଫଳ ବି ହୋଇଥିଲେ । ଏସଏଚଜି ସଂଘର ମହିଳା ବିକାଶ ମଣ୍ଡଳ ସହ ଯୋଡି ହୋଇ ମାଇକେଲ ଜାଣିଥିଲେ ତାଙ୍କ ଗାଁରେ ଖରିଫ ଟମାଟୋ କ୍ଲଷ୍ଟର ଅଛି । ତିନିଶହରୁ ଅଧିକ ଚାଷୀ ଖରିଫ ହାଇବ୍ରିଡ ଟମାଟୋ ଚାରା କରୁଛନ୍ତି ।

ଧୀରେ ଧୀରେ ମାଇକେଲଙ୍କ ମାଇକେଲଙ୍କ ଚାରାର ଚାହିଦା ଦ୍ରୁତଗତିରେ ବଢିଲା । ଏକାଥରେ ସେ କୋବି, ଫୁଲକୋବି, ଲଙ୍କା ଚାରା ବର୍ଷକୁ ଦୁଇ ଥର ବିକ୍ରି କରି ବର୍ଷକୁ ପଚାଶହଜାର ଟଙ୍କା ଲାଭ ପାଇଥିଲେ । ଶେଷରେ ସରକାରଙ୍କ ନଜରକୁ ଆସିଥିଲେ ମାଇକେଲ ଏକ୍କା । ତାଙ୍କୁ ଫୁଳ ଚାଷ କରିବା ପାଇଁ ପ୍ରବର୍ତାଇ ଥିଲେ ଜିଲ୍ଲା କୃଷି ଅଧିକାରୀ । ତାଙ୍କୁ ଏବେ ମଂଜି ଓ କୀଟନାଶକ ବିକ୍ରିକରିବା ଲାଇସେନ୍ସ ବି ମିଳିଛି । ତାଙ୍କ ଚାରାର ଚାହିଦା ବଢିବାରୁ ଟମାଟୋ ଚାରା ସହ ବାଇଗଣ ଓ ଲଙ୍କା ଚାରା ବିକ୍ରି କରିଛନ୍ତି । ଭିଲେଜ ସଂଘ ଦ୍ୱାରା ପାୱାର ଟିଲର ଓ ଧାନକଟା ମେସିନ ପାଇଛନ୍ତି । ତାଙ୍କ ମଂଜି ଦୋକାନରେ ବ୍ୟବସାୟ ଭଲ ହୋଇଛି । ଜୁଲାଇ ମାସ ସୁଦ୍ଧା ତାଙ୍କର ତିରିଶ ହଜାର ଟଙ୍କାର ବେପାର ହୋଇଥିଲା । ହିମାଚଳରୁ ଫେରି ମାଇକେଲଙ୍କ ପୁଅ ଏବେ ବାପାଙ୍କ ବେପାରରେ ସାମିଲ ହୋଇଛି । ବର୍ଷକୁ ଦୁଇ କୋଟି ଟଙ୍କା ବ୍ୟବସାୟ କରିବା ମାଇକେଲଙ୍କ ଲକ୍ଷ୍ୟ । ତା ସହ ନିଜ ଅଂଚଳର କାମ ପାଇଁ ବାହାରକୁ ଯାଉଥିବା ଯୁବକମାନଙ୍କୁ ରୋକିବା ସହ ସେମାନଙ୍କୁ ଆତ୍ମନିର୍ଭରଶୀଳ କରାଇବା ଉଦ୍ଦେଶ୍ୟରେ କାମ କରୁଛନ୍ତି ।

କେବଳ ନିଜେ ବଂଚିବା ବା ନିଜେ ବିକାଶର ଶୀର୍ଷରେ ପହଞ୍ଚିବା ପାଇଁ କାମ ନକରି ନିଜ ଗାଁ ତଥା ଅନ୍ୟଚାଷୀଙ୍କ ବିକାଶ ପାଇଁ କାମକରିବା ନିଶ୍ଚିତଭାବେ ସ୍ୱାଗତଯୋଗ୍ୟ । ଜଣେ ନୁହେଁ ତିନିଶହ ଚାଷୀଙ୍କୁ ଆତ୍ମନିର୍ଭରଶୀଳ କରାଇବାରେ ମୁଖ୍ୟ ଭୂମିକା ନେଇଥିଲେ ମାଇକେଲ । ନିଜ ଅଂଚଳର ବିକାଶ ତଥା ଲୋକଙ୍କର ସାମାଜିକ ଓ ଅର୍ଥନୈତିକ ସ୍ଥିତି ସୁଧାରିବାରେ ସକ୍ଷମ ହୋଇଥିଲେ । କୌଣସି ସାମୟିକ ହତାଶାରେ ଭାଙ୍ଗିନଯାଇ , ଧୈର୍ଯ୍ୟ ଓ ସାହସ ମାଇକେଲଙ୍କ ସଫଳତାର ଚାବିକାଠି । ମାଇକେଲ ଅନ୍ୟ ଚାଷୀ ଭାଇଙ୍କ ପାଇଁ ନିଶ୍ଚିତ ଭାବେ ସୁନ୍ଦର ଉଦାହରଣ