ହାତୀ ସାରିଦେଲା ସେଲ୍ଫି ସଉକ ! ଫଟୋ ନେବାବେଳେ ଦଳିଦେଲା ଜଙ୍ଗଲୀ ହାତୀ

34

କନକ ବ୍ୟୁରୋ : ସେଲଫି ନିଶାରେ ଯୁବପିଢୀ । କିନ୍ତୁ ଏହି ସେଲ୍ଫି ନିଶା ଏପରି ଭୟାନକ ହୋଇପାରେ, ଆଉ ଏଥିପାଇଁ ଜୀବନ ହରାଇବାକୁ ପଡେ, ଆଜି ତାହାର ଏକ ନମୂନା ଦେଖିବାକୁ ମିଳିଛି ରାଜଗାଙ୍ଗପୁରରେ । ଘଟଣାଟି ଘଟିଛି ମାଣ୍ଡିଆକୁଦର ସ୍ଥିତ ପୁରୁଷୋତମ ଇଂଜିନିଅରିଂ କଲେଜ ନିକଟରେ । ଦିନ ପ୍ରାୟ ସାଢ଼େ ୧୨ଟା ବେଳେ ହାତୀ ସହ ସେଲ୍ଫି ନେଉଥିବା ଅଶୋକ ଭାରତୀ ନାମକ ଯୁବକଙ୍କୁ ଦଳି ଦେଇଛି ଜଙ୍ଗଲୀ ହାତୀ । ଯାହା ପୁଣି ଥରେ ପ୍ରମାଣିତ କରିଛିି ସେଲ୍ଫି ନେବା କେତେ ଘାତକ ହୋଇପାରେ ।

ସୂଚନା ଅନୁସାରେ, ପୁରୁଷୋତମ ଇଂଜିନିଅରିଂ କଲେଜ ପଛପଟେ ଆଜି ସକାଳୁ ହାତୀପଲରୁ ବାଟହୁଡି ଆସିଥିବା ଗୋଟିଏ ହାତୀ ଦେଖିବାକୁ ମିଳିଥିଲା । ତାକୁ ଦେଖିବାକୁ ଲୋକଙ୍କ ଭିଡ ଜମିଥିଲା ଏବଂ ଭିଡ ଦେଖି ହାତୀ ରାଗିଯାଇଥିଲା । ଏହି ସମୟରେ ଅଶୋକ ଭାରତୀ ନାମକ ଜଣେ ଯୁବକ ହୁଡା ଉପରେ ଠିଆ ହୋଇ ମୋବାଇଲରେ ଭିଡିଓ ରେକଡିଂ କରୁଥିଲେ ଏବଂ ସେଲଫି ନେଉଥିଲେ । ରାଗିଯାଇ ହାତୀ ତାଙ୍କୁ ଗୋଡାଇଥିଲା ।

ହାତୀକୁ ଚକମା ଦେଇ ଖସିଆସୁଥିବା ବେଳେ ତାଙ୍କର ଗୋଡ ଖସିଯିବାରୁ ସେ ତଳେ ପଡିଯାଇଥିଲେ ଏବଂ ହାତୀ ତାଙ୍କୁ ପାଦରେ ଦଳି ଦେଇଥିଲା । ଏହା ପରେ ହାତୀ ବଣ ଭିତରକୁ ଚାଲିଯାଇଥିଲା । କିଛି ଯୁବକ ଅଶୋକଙ୍କୁ ବଂଚାଇବାକୁ ଘଟଣାସ୍ଥଳରେ ପହଁଚିଥିଲେ । ସେତେବେଳକୁ ଆଶୋକଙ୍କର ମୃତ୍ୟୁ ହୋଇସାରିଥିଲା । ଅଶୋକଙ୍କ ଘର କଟକ ବିଡାନାସୀ ଅଂଚଳରେ । ରାଜଗାଙ୍ଗପୁରର ଏକ ପିଚୁ କାରଖାନାରେ ସେ କାମ କରୁଥିବା ଜଣାପଡିଛି ।