ବିିଦେଶ ଚାଲିଯିବେ ବାବାଙ୍କ ଲାଡଲି ! ଖୋଜୁଛି ହରିଆଣା ପୋଲିସ୍, ଲାଗିଛି ଦେଶଦ୍ରୋହ ମାମଲା

20

କନକ ବ୍ୟୁରୋ : ବାବା ରାମରହିମ ସିଂଙ୍କ ପାଳିତା ଝିଅ କୁହାଯାଉଥିବା ହନିପ୍ରୀତ ସିଂ ଇନସାନ ଏବେ କେଉଁଠି । ବାବାଙ୍କ ହାଇଜାକ ପ୍ଲାନ ପାଇଁ ହନିପ୍ରୀତଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଲଗାଇଛି ହରିଆଣା ପୋଲିସ । ଅଗଷ୍ଟ ୨୫ରେ ଯେତେବେଳେ ବାବା ରାମରହିମଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ସ୍ୱତନ୍ତ୍ର ସିବିଆଇ କୋର୍ଟ, ଠିକ ସେତିକିବେଳେ ବାବାଙ୍କୁ କୋର୍ଟରୁ ଖସାଇ ନେବାକୁ ଷଡଯନ୍ତ୍ର କରିଥିଲେ ହନିପ୍ରୀତ । ହେଲେ ଯୋଜନାକୁ ପଣ୍ଡ କରିଦେଇଥିଲା ପୋଲିସ । ଆଉ ସେହିଦିନଠାରୁ ଫେରାର ଅଛନ୍ତି ବାବାଙ୍କ ଲାଡଲି । ହନିପ୍ରୀତଙ୍କ ବିରୋଧରେ ଲୁକଆଉଟ ନୋଟିସ ଜାରି କରିବା ସହ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ହରିଆଣା ପୋଲିସ ।

କୁହାଯାଉଛି ଡେରା ମୁଖ୍ୟଙ୍କ ସହ ସବୁବେଳେ ରହୁଥିଲେ ପାଳିତା ଝିଅ ହନିପ୍ରୀତ । ଏପରିକି କୋର୍ଟରେ ଶୁଣାଣିବେଳେ ଦୁହେଁ ଏକାଠିଥିଲେ । ଏପଟେ ଜେଲକୁ ଯିବା ପରେ ବି ଝିଅଙ୍କୁ ସାଙ୍ଗରେ ରଖିବାକୁ ଚାହୁଁଥିଲେ ବାବା ରାମରହିମ । ଏଥିପାଇଁ କୋର୍ଟରେ ଆବେଦନ ବି କରିଥିଲେ । ସେପଟେ କିନ୍ତୁ ବାବା ଗିରଫ ହେବା ଦିନରୁ ହନିପ୍ରୀତଙ୍କର ପତା ମିଳୁନି । ଜାତୀୟ ଗଣମାଧ୍ୟମର ଖବର ଅନୁସାରେ ନେପାଳ ଚାଲିଯାଇଛନ୍ତି ହନିପ୍ରୀତ । ଗୁରୁଗ୍ରାମରେ ଅଛନ୍ତି ବିବାଙ୍କ ଲାଡଲି

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ନେପାଳ ସୀମାନ୍ତ ଗୁରୁଗ୍ରାମରେ ଶେଷଥର ପାଇଁ ନିଜ ଇଂଟରନେଟ ଡୋଙ୍ଗଲ ବ୍ୟବହାର କରିଥିଲେ ହନିପ୍ରୀତ । ଏପରିକି ଡେରା ସଚ୍ଚା ସୌଦାର ଲୋକସଂପର୍କ ଅଧିକାରୀ ଆଦିତ୍ୟ ଇନସାନ ବି ତାଙ୍କ ସହ ଅଛନ୍ତି । ଦୁହିଁଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଲଗାଇ ଜୋରଦାର ଝାନଭିନ ଚଳାଇଛି ପୋଲିସ ।

କେବଳ ବାବାଙ୍କୁ ହାଇଜକା ପ୍ଲାନ ନୁହେଁ କୁହାଯାଉଛି ରାମରହିମଙ୍କ ଡେରା ସାମ୍ରାଜ୍ୟର ସମାନ ଭାଗିଦାର ଥିଲେ ହନିପ୍ରୀତ । ସେଥିପାଇଁ ତାଙ୍କୁ ତୁରନ୍ତ କାବୁ କରିବାକୁ ଚାହୁଁଛି ହରିଆଣା ପୋଲିସ । ହେଲେ ପୋଲିସ ଆଖିରେ ଧୁଳିଦେଇ ଫେରାର ହୋଇଯାଇଛନ୍ତି ଏହି ବ୍ୟୁଟି ୱିଥ ବ୍ରେନ୍ । ଗିରଫଦାରିରୁ ବଂଚିବା ପାଇଁ ବାବା ଦୋଷୀ ସାବ୍ୟସ୍ତ ହେବା ଦିନରୁ ବିଦେଶ ଚାଲିଯିବାକୁ ଯୋଜନା ଚଳାଇଛନ୍ତି ।