ଆମେରିକାରେ ବି ମୋଦିଙ୍କ ଯାଦୁ : ଟ୍ରମ୍ପ କହିଲେ, ରାଷ୍ଟ୍ରପତି ହେଲେ ଅନୁସରଣ କରିବି ମୋଦି ନୀତି

28

କନକ ବ୍ୟୁରୋ : ଆମେରିକାରେବି ମୋଦିଙ୍କ ଯାଦୁ । ଆମେରିକାରେ ଲାଗୁ ହେବ ମୋଦି ନୀତି । ଏହା କହିଛନ୍ତି ଆମେରିକାର ପରବର୍ତି ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ବିଭିନ୍ନ ନୀତିକୁ ପ୍ରଶଂସା କରି ଏହା କହିଛନ୍ତି । ଟ୍ରମ୍ପ କହିଛନ୍ତି ସେ ଯଦି ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୁଅନ୍ତି ତେବେ ଭାରତର ଅତି ଉତମ ବଂଧୁ ହେବା ସହ ଆମେରିକାରେ ମୋଦି ନୀତିଙ୍କୁ ଅନୁସରଣ କରିବେ ।

ଭାରତର ଆତଙ୍କବାଦ ବିରୋଧରେ କଡା ଆଭିମୁଖ୍ୟକୁ ସାଧୁବାଦ ଜଣାଇଛନ୍ତି ଟ୍ରମ୍ପ । ସେ କହିଛନ୍ତି ଇସଲାମିକ୍ ଆତଙ୍କବାଦୀ ବିରୋଧୀ ଲଢ଼େଇରେ ଆମେରିକା ସହ ଭାରତ ରହିଛି । ଏଥିପାଇଁ ମୋଦିଙ୍କ ଆଭିମୁଖ୍ୟ ପ୍ରଶଂସନୀୟ । ସେ ଆହୁରି କହିଛନ୍ତି ଭାରତ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରି ଅନେକ ଭୟଙ୍କର ଆକ୍ରମଣ ଦେଖି ସାରିଛି । ତେଣୁ ଉଭୟ ରାଷ୍ଟ୍ର ଆତଙ୍କବାଦୀଙ୍କ ବିରୋଧରେ ମିଳିତ ଭାବେ କାର୍ଯ୍ୟ କରିବା ପାଇଁ ସହମତ ।

ରାଷ୍ଟ୍ରପତି ନିର୍ବାଚନ ପରିପେକ୍ଷେୀରେ ନ୍ୟୁଜର୍ସିରେ ଆୟୋଜିତ ସଭାରେ ଭାରତୀୟ ସମୁଦାୟକୁ ସମ୍ବୋଧିତ କରି ଟ୍ରମ୍ପ ଏହା କହିଛନ୍ତି । ଏପରିକି ସମ୍ବୋଧନର ଶେଷରେ ଟ୍ରମ୍ପ କହିଛନ୍ତି ଉଇ ଲଭ୍ ୟୁ ଓ ଆଇ ଲଭ୍ ୟୁ ଇଣ୍ଡିଆ । ସମ୍ପୂର୍ଣ୍ଣ ହିନ୍ଦୁ ପରମ୍ପରା ଅନୁଯାୟୀ ଦୀପଜାଳି ସଭାର ଉଦଘାଟନ କରିଥିଲେ ଟ୍ରମ୍ପ । ଏହା ଦ୍ୱାରା ଟ୍ରମ୍ପ ଭାରତୀୟ ସମୁଦାୟଙ୍କ ମନ ଜିଣିବାକୁ ପ୍ରୟାସ କରିଛନ୍ତି । ଏହା ପୂର୍ବରୁ ସେ ଏକ ସଭାରେ ଆମେରିକା ଅର୍ଥନୀତିରେ ହିନ୍ଦୁମାନଙ୍କର ଯୋଗଦାନକୁ ନେଇ ପ୍ରଶଂସା ମଧ୍ୟ କରିଥିଲେ ।