ନୀତି ଆୟୋଗ ବୈଠକରୁ ଓଡିଶା ଦୂରେଇ ରହିବା ପରେ ଧର୍ମେନ୍ଦ୍ରଙ୍କ ଟାର୍ଗେଟ ।  କହିଲେ, ରାଜନୈତିକ ବିରୋଧ କରୁଛନ୍ତି ନବୀନ 

82

କନକ ବ୍ୟୁରୋ : ପଛୁଆ ଜିଲ୍ଲା ବିକାଶକୁ ନେଇ ଜୋରଦାର ହେଲା ବିଜେଡି-ବିଜେପି ରାଜନୀତି । ନୀତି ଆୟୋଗ ବୈଠକରେ ଓଡିଶା ଯୋଗ ନଦେବାରୁ ରାଜ୍ୟର ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିକାଶ ପ୍ରସଙ୍ଗରେ ନବୀନ ସରକାର କେବଳ ରାଜନୈତିକ ବିରୋଧ କରୁଥିବା ସେ ଅଭିଯୋଗ ଆଣିଛନ୍ତି । ଅନ୍ୟ ପକ୍ଷରେ ଓଡିଶାର ମତାମତ ନନେଇ କାହିଁକି ଏକପାଖିଆ ନିଷ୍ପତି କରାଗଲା ବୋଲି ପ୍ରଶ୍ନ ଉଠାଇଛି ବିଜେଡି । କେନ୍ଦ୍ର ଦ୍ୱାରା ନିଯୁକ୍ତ ଅଧିକାରୀଙ୍କ ଅଧିନରେ ଜିଲ୍ଲାପାଳମାନେ ବିକାଶ ପାଇଁ କାମ କରିପାରିବେ କି ବୋଲି ପାଲଟା ପ୍ରଶ୍ନ କରିଛି ।

ପଛୁଆ ଜିଲ୍ଲା ବିକାଶ ନାଁରେ କେନ୍ଦ୍ରର ଏକପାଖିଆ ନିଷ୍ପତିକୁ ବିରୋଧ କରି ନୀତି ଆୟୋଗ ବେଠକରୁ ଦୂରେଇ ରହିଲା ଓଡିଶା । ଆଉ ମୋଦି-ନବୀନ ମୁହାଁମୁହିଁ ସ୍ଥିତିରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ରଖିବାକୁ ସାମ୍ବାଦିକ ସମ୍ମିଳନୀ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଧର୍ମେନ୍ଦ୍ର କହିଛନ୍ତି ମୋଦିଙ୍କ ନ୍ୟୁ ଇଣ୍ଡିଆ ୨୦୨୨ ପାଇଁ ଦେଶର ୧୧୫ଟି ପଛୁଆ ଜିଲ୍ଲା ମଧ୍ୟରେ ରହିଛି ଓଡିଶାର ୮ଟି ଜିଲ୍ଲା । ବିଭିନ୍ନ ମାନକକୁ ବିଚାର କରି ଏହି ଜିଲ୍ଲାଗୁଡିକୁ ଚୟନ କରାଯାଇଥିବାବେଳେ ରାଜ୍ୟ ସରକାରଙ୍କୁ ସଂଶୋଧନ ପାଇଁ ପୂର୍ଣ୍ଣ କ୍ଷମତା ଦିଆଯାଇଛି । ଏନେଇ ନୀତି ଆୟୋଗର ସିଇଓ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠିଲେଖି ଅବଗତ କରିଥିଲେ । ଅଥଚ ଜିଲ୍ଲା ଚୟନରେ ଓଡିଶାର ମତାମତ ନିଆଯାଇ ନାହିଁ ବୋଲି ପ୍ରତିକ୍ରିୟା ରଖିବା ଦୁର୍ଭାଗ୍ୟଜନକ । ମୋଦି ସରକାର ପଛୁଆ ଜିଲ୍ଲାର ବିକାଶ ଚାହୁଁଥିବାବେଳେ ନବୀନ ସରକାର ରାଜନୈତିକ ବିରୋଧ କରୁଥିବା ସେ କହିଛନ୍ତି ।

କଳାହାଣ୍ଡି, ଡେଙ୍କାନାଳ, କନ୍ଧମାଳ, ରାୟଗଡା, କୋରାପୁଟ, ବଲାଙ୍ଗିର, ଗଜପତି ଓ ମାଲକାନଗିରି । ଦାରିଦ୍ର୍ୟ, ସ୍ୱାସ୍ଥ୍ୟ, ଶିକ୍ଷା ଓ ଭିତିଭୂମି କ୍ଷେତ୍ରରେ ପଛରେ ପଡିଥିବା ଏବଂ ମାଓବାଦୀ ଅଧ୍ୟୁଷିତ ଜିଲ୍ଲାକୁ ନେଇ ନୀତି ଆୟୋଗ ତିଆରି କରିଥିବା ତାଲିକାରେ ରହିଛି ଓଡିଶାର ଏହି ୮ଟି ଜିଲ୍ଲା । ଯେଉଁ ଜିଲ୍ଲାଗୁଡିକ ପାଇଁ କେନ୍ଦ୍ର ସରକାର ଅତିରିକ୍ତ ସଚିବ ବା ଯୁଗ୍ମ ସଚିବ ପାହ୍ୟାର ଅଫିସର ନିଯୁକ୍ତ କରିଛନ୍ତି । ଦିଲ୍ଲୀରେ ଡେପୁଟେସନରେ ଥିବା ଏହି ଅଫିସରମାନେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ୱୟ ରକ୍ଷା କରି କାମ କରିବେ ବୋଲି ସ୍ଥିର କରାଯାଇଛି । ଯାହାକୁ ନେଇ ମଧ୍ୟ ଆପତି ଉଠାଇଛି ବିଜେଡି ।

ଗୋଟିଏ ପଟେ ରାଜ୍ୟର ଅନୁନ୍ନତି ଜିଲ୍ଲା ଚୟନ କଲାବେଳେ କେନ୍ଦ୍ର ସରକାର ଓଡିଶା ସହ ଆଲୋଚନା ନକରିବା ଓ ଅନ୍ୟପଟେ ଦିଆଯାଇଥିବା ତାଲିକାରେ ରାଜ୍ୟ ଆବଶ୍ୟକ ସଂଶୋଧନ କରିପାରିବ ବୋଲି ସର୍ତଥାଇ ଓଡିଶା ଏହାକୁ ବିରୋଧ କରିବା ଗୋଟିଏ ରାଜନୈତିକ ଲଢେଇର ଆଭାସ ଦେଉଛି । ଆଉ ଏହି ରାଜନୈତିକ ଛକାପଂଝା ଭିତରେ ଓଡିଶାର ପଛୁଆ ଜିଲ୍ଲାର ବିକାଶ ବାଧାପ୍ରାପ୍ତ ହେବା ଆଶଙ୍କା ଉପୁଜିଛି ।