ବିଜେଡିି ହାତକୁ ଆସିବ ବିଜେପୁର ! ନେତା କହିଲେ ଆମେ ହେବୁ ଏକ ନମ୍ବର, ଦୁଇ ଓ ତିନି ନମ୍ବର ସ୍ଥାନ ପାଇଁ ଲଢୁଛନ୍ତି ଅନ୍ୟ ଦଳ

118

କନକ ବ୍ୟୁରୋ : ବିଜେପୁରରେ ବିଜେଡିର ବିଜୟ ସୁନିଶ୍ଚିତ । ନବୀନଙ୍କ ଲୋକପ୍ରିୟତା ହିଁ ବିଜେଡିକୁ ବିଜେପୁରରେ ବିଜୟ ଦେବ । ଏଭଳି କହି ବିଜେପୁର ଗଡ ଜିତିବା ପାଇଁ ଦମ୍ଭ ଦେଖାଇଛି ବିଜେଡି । ଏହାଛଡା ବିଜେପୁର ଉପନିର୍ବାଚନରେ ଦଳ ଏକ ନମ୍ବର ସ୍ଥାନ ଦଖଲ କରିବ ବୋଲିି କହି ବିଜେପିର ଚିନ୍ତା ବଢାଇଛି ବିଜେଡି । ବିଜେପୁର ଦାୟିତ୍ୱରେ ଥିବା ବିଜେଡିର ତୁଙ୍ଗ ନେତା ଦେବୀ ମିଶ୍ର ଆଜି ଏଭି ପ୍ରତିକ୍ରିୟା ଦେବା ପରେ ବିଜେପି କ୍ୟାମ୍ପ ଥରିଉଠିଛି । ଗତକାଲି ନାମାଙ୍କନ ଦାଖଲ କରିବା ପୂର୍ବରୁ ଅଶୋକ ପାଣିଗ୍ରାହୀ ଦୃଢୋକ୍ତି ଦେଇ କହିଥିଲେ ବିଜେପୁରରେ ବିଜେପି ୩୦ ହଜାର ଭୋଟରେ ବିଜୟ ହେବ ।ଏହା ଦଳୀୟ କର୍ମୀଙ୍କ ମନରେ ଜୋଶ ଭରି ଦେଇଥିଲା ସତ । କିନ୍ତୁ ଅଶୋକଙ୍କ ବୟାନକୁ ଗୋଟିଏ ଦିନ ସୁଦ୍ଧା ବିତିନାହିଁ ତାହାକୁ ନେଇ ବିଜେଡି କାଉଣ୍ଟର ଆଟାକ କରିଛି । ବିଜେପୁରରେ ବିଜେଡି ବିଜୟୀ ହେବା ସହ ଏକ ନମ୍ବର ସ୍ଥାନ ଦଖଲ କରିବ । ତେବେ ଦୁଇ ଓ ତିନି ନମ୍ବର ସ୍ଥାନ ପାଇଁ କଂଗ୍ରେସ ଓ ବିଜେପି ମଧ୍ୟରେ ଲଢେଇ ହେବ କହି ମାଇଣ୍ଡଗେମ ଖେଳିଛି ବିଜେଡି । ଯାହା ଅନ୍ୟ ଦୁଇ ଦଳକୁ ଏବେ ଚିନ୍ତାରେ ପକାଇଛି । ଦେବୀଙ୍କ ଭଳି ଅନୁଭବୀ ନେତାଙ୍କ ମୁହଁରେ ଏଭଳି ଦମ୍ଭ ଦେଖି ବିଜେଡି କ୍ୟାମ୍ପରେ ଜୋସ ଭରିଯାଇଛି ।

ଏହାସହ ଦେବୀ ମିଶ୍ର କହିଛନ୍ତି, ବିଜେଡି ବହୁ ବ୍ୟବଧାନରେ ବିଜେପୁରରେ ବିଜୟୀ ହେବ । ଏନେଇ ଆଭାସ ମଧ୍ୟ ମିଳି ସାରିଲାଣି । କିନ୍ତୁ କେତେ ଭୋଟରେ ବିଜୟୀ ହେବ ତାହା ନିର୍ବାଚନ ପରେ ଜଣାପଡିବ । କାରଣ ବିଜେପୁର ବାସୀ ଏବେ ବିକାଶ ଚାହୁଁଛନ୍ତି । ତେଣୁ ଏହି ଷ୍ଟ୍ରାଟେଜିକୁ ନଜରରେ ରଖି ବିଜୟଟିକା ପିନ୍ଧିବାକୁ ଜୋର ଲଗାଇଛି ବିଜେଡି । ଏହାସହ ଚଳିତ ଉପନିର୍ବାଚନରେ ନବୀନଙ୍କ ଲୋକପ୍ରିୟତା ହିଁ ବିଜେଡି ପାଇଁ ଭୋଟ ବ୍ୟାଙ୍କ ଭାବେ ଉଭା ହେବ । ଯାହା ଦଳ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ଏଭଳି କହି ବିରୋଧୀଙ୍କ ମନୋବଳ ଭାଙ୍ଗିବାକୁ ଚେଷ୍ଟା କରିଛି ବିଜେଡି ।

ତେବେ ନାମାଙ୍କନ ପୂର୍ବରୁ ବିଜେପିର ମନୋବଳ ଭାଙ୍ଗିବାକୁ ବିଜେଡି ଚେଷ୍ଟା କରୁଥିବା ବେଳେ ପଦ୍ମ ଦଳକୁ ଜୋରଦାର ଝଟକା ଦେଇଛନ୍ତି ଦଳୀୟ ନେତା । ବରପାଲିର ମଣ୍ଡଳ ସଭାପତି ଅଜିତ ଦାସ ପଦ୍ମ ପୋଖରୀ ଛାଡି ବିଜେଡି କ୍ୟାମ୍ପରେ ଯୋଗ ଦେଇଛନ୍ତି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ବିଜେପୁର ଦାୟିତ୍ୱରେ ଥିବା ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ । ତେବେ ଯେତେବେଳେ ବିଜେପୁର ଜିତିବା ପାଇଁ ବିଜେପି ସ୍ୱପ୍ନ ଦେଖୁଛି ସେହି ସମୟରେ ଦଳର କିଛି ଛାମୁଆ ନେତା ଅଶୋକ ପ୍ରାଣିଗ୍ରାହିଙ୍କୁ ବିରୋଧ କରି ଦଳ ଛାଡିବା ବିଜେଡିକୁ ସୁହାଇଛି । ଏହା ପୂର୍ବରୁ ଦଳରେ ଅଶୋକ ପାଣିଗ୍ରାହୀଙ୍କୁ ବିରୋଧ କରି ବିଜେପିର ଜିଲ୍ଲା ସଭାପତି ନାରାୟଣ ପଦ୍ମ ଛାଡି ଶଙ୍ଖ ଧରିଥିଲେ । ଏହା ଦଳକୁ ସବୁଠାରୁ ବଡ ଝଟକା ଥିଲା । ଏଥିରୁ ଝଟକାରୁ ଦଳ ଉଠିନଥିବା ବେଳେ ବିଜେପିକୁ ପୁଣି ଲାଗିଥିଲା ଆଉ ଏକ ୪୪୦ ଭୋଲ୍ଟର ଝଟକା ।

bijepurଅଶୋକଙ୍କୁ ବିଜେପୁର ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିବା ପରେ ଦଳର ଦୁର୍ଗ ଭୁଷୁଡିବା ଆରମ୍ଭ କରିଛି । ତୃଣମୁଳ ସ୍ତରର କର୍ମୀ ଅଶୋକଙ୍କୁ ବିରୋଧ କରିବା ଆରମ୍ଭ କରିଛନ୍ତି । ଯାହାଦ୍ୱାରା ବିଜେପିର ଭୋଟବ୍ୟାଙ୍କ ପ୍ରଭାବିତ ହେବାର ଆଶଙ୍କା ରହିଛି । ଏପରିକି ଅଶୋକଙ୍କ ପ୍ରାର୍ଥୀତ୍ୱକୁ ଚ୍ୟାଲେଞ୍ଜ କରି ବିଜେପିର ଅନୁସୂଚିତ ଜାତି ମୋର୍ଚ୍ଚାର ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ପ୍ରମୋଦ କୁମାର ଛତର ରଣହୁଙ୍କାର ଦେଇଛନ୍ତି । ଅଶୋକଙ୍କୁ ଅନ୍ୟ ଦଳରୁ ପ୍ରାର୍ଥୀ କରି ଦଳ ପୁରୁଣା କର୍ମୀଙ୍କୁ ଅଣଦେଖା କରୁଛି । ତେଣୁ ପ୍ରମୋଦ ନିଜେ ସ୍ୱାଧୀନ ପ୍ରାର୍ଥୀ ଭାବେ ଅଶୋକଙ୍କ ବିରୋଧରେ ଲଢିବାକୁ ସ୍ଥିର କରିଛନ୍ତି । ଯାହା ଅଶୋକଙ୍କ ପାଇଁ ଏବେ ମୁଣ୍ଡବିନ୍ଧାର କାରଣ ପାଲଟିଛି । ତେବେ ଏସବୁ ଭିତରେ ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡୁଥିବାରୁ ବିଜେପି ପାଇଁ ବିଜେପୁରରେ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି । ଅଶୋକଙ୍କୁ ଦଳରେ ସାମିଲ କରି ଦଳ ଫାଇଦା ପାଇଛି ନା କ୍ଷତି ସହିଛି ତାହା ନିର୍ବାଚନରେ ପରେ ଜଣାପଡିବ । କିନ୍ତୁ ଗୋଟିଏ କଥା ପ୍ରମାଣିତ କରୁଛି ଅଶୋକଙ୍କୁ ସାମିଲ କରିବା ପରେ ବିଜେପିରୁ ଯେଉଁଭଳି ଭାବେ ନେତା ଛତ୍ରଭଙ୍ଗ ଦେଉଛନ୍ତି ତାହା ଏବେ ଦଳର ସଂଗଠନକୁ ଦୋହଲାଇ ଦେଇଛି ।

bjpଏସବୁ ବାଦ୍ ପ୍ରସନ୍ନ ଏକଥା ମଧ୍ୟ ମନେ ପକାଇ ଦେଇଛନ୍ତି ଯେ, ଗତ ଦୁଇଦିନ ପୂର୍ବେ ରାଜସ୍ଥାନ ଓ ପଶ୍ଚିମବଙ୍ଗରେ ହୋଇଥିବା ଉପନିର୍ବାଚନରେ ବିଜେପି ଯେଉଁଭଳି ଭାବେ ମାଟି କାମୁଡିଛି ତାହାର ପୁନରାବୃତ୍ତି ବିଜେପୁର ଉପନିର୍ବାଚନରେ ଦେଖିବାକୁ ମିଳିବ । ପ୍ରସନ୍ନଙ୍କ ଏହି ମାଇଣ୍ଡଗେମ ବିଜେପି ପାଇଁ ଚିନ୍ତା ବଢାଇଥିବା ବେଳେ ବିଜେଡିର ବିଜୟ ପାଇଁ କିନ୍ତୁ ପଥ ପରିଷ୍କାର କରୁଛି । ତେଣୁ ଦେଖିବାକୁ ବାକି ରହିଲା ଉପନିର୍ବାଚନରେ କେଉଁ ଦଳ ପ୍ରଥମ ସ୍ଥାନ ଅକ୍ତିଆର କରିବ ଆଉ କେଉଁଦଳ ମାତ୍ ଖାଇବ । କାରଣ ଦୁଇ ଦଳ ଏବେ ଉପନିର୍ବାଚନରେ ବିଜୟକୁ ନେଇ ଦେଇ ସାରିଲେଣି ବଡ଼ ବୟାନ ।