ବିଜେପି ପାଇଁ ବିଜେଡି ଭିତରେ କଳି ? ହଜମ ହେଲାନି ଧର୍ମେନ୍ଦ୍ରଙ୍କ ପ୍ରଶଂସା, ଭର୍ତ୍ତୃହରିଙ୍କୁ ଘେରିଲେ ଦାମ

26

କନକ ବ୍ୟୁରୋ: ଡାକ୍ତର ଦାମ ରାଉତଙ୍କ ଗୋଟିଏ ତୀର ଦୁଇଟି ଶିକାର । ଟାର୍ଗେଟ୍ କରିଛନ୍ତି ବିଜେପି ଓ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏବଂ ଲକ୍ଷ୍ୟଭେଦ ହୋଇଛି ବିଜେଡିର ଅବୁଝା ସାଂସଦଙ୍କ ଉପରେ । ବିଜେଡି ସାଂସଦ ଭତୃହରି ମହତାବଙ୍କ ଲେଖା ଉପରେ ବୟାନ ରଖି ଉଭୟ ଧର୍ମେନ୍ଦ୍ର ଓ ଭର୍ତୃହରିଙ୍କୁ କଡ଼ା ଭାଷାରେ କଟାକ୍ଷ କରିଛନ୍ତି ଦାମବାବୁ । ଗୋଟିଏ ଦଳରେ ରହି ଆଉ ଗୋଟିଏ ଦଳର କଥା କହୁଥିବା ଏହି କୁହାଳିଆ ସାଂସଦଙ୍କୁ ଘେରିଛନ୍ତି ଡାକ୍ତର ଦାମୋଦର ରାଉତ ।

ତେବେ କାହିଁକି ରାଗିଲେ ଦାମ । ରାଗିବା ପଛର କାରଣ ହେଉଛି ଏହି ଲେଖା । ଯେଉଁଥିରେ ଭର୍ତୃହରି ଲେଖିଥିଲେ- ‘କୌଣସି ଯୋଜନାକୁ କିପରି ଢଙ୍ଗରେ ଲାଗୁ କରାଯାଏ, ତାହାର ଉଦାହରଣ ହେଉଛି ଉଜ୍ୱଳା ଯୋଜନା । ଗୋଟିଏ ବର୍ଷ ଭିତରେ ଦେଢ଼କୋଟି ରୋଷେଇ ଗ୍ୟାସ କନେକ୍ସନ ପ୍ରଦାନ କରାଯିବାର ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା ଓ ଦୁଇଶହ ୨୫ କୋଟି ଗରିବଙ୍କ ଘରେ ରୋଷଇ ଗ୍ୟାସ ପହଂଚାଇବାରେ ସଫଳତା ମିଳିଥିଲା । କଥା କେବଳ ଏତିକି ନୁହେଁ । ଏତେ ପରିମାଣର ଗ୍ୟାସ୍ କନେକ୍ସନ ଦିଆଯାଇଥିବା ବେଳେ, ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଗୋଟିଏ ବି ଦୁର୍ନୀତି କି ଭ୍ରଷ୍ଟାଚାର ଅଭିଯୋଗ ହୋଇନାହିଁ’ ।

ତେବେ ମୋଦି ସରକାରର ଲୋକପ୍ରିୟତା ଓ ବିକାଶ ଯୋଜନା ନେଇ ନିଜ ଲେଖାରେ ବିସ୍ତୃତ ବିବରଣୀ ରଖିଥିଲେ ଭର୍ତୃହରି । ଯାହାକୁ କଡ଼ା ସମାଲୋଚନା କରିଛନ୍ତି ଦାମ ରାଉତ । ବିଜେଡି ବିକାଶ କରୁନି ଏବଂ ବିଜେପି ବିକାଶ କରୁଛି, ତାହା ଓଡ଼ିଶା ଲୋକଙ୍କୁ ଆସି ଦେଖାଇ ଦିଅନ୍ତୁ ବୋଲି ଭତୃହରିଙ୍କୁ କଟାକ୍ଷ କରି କହିଛନ୍ତି ଦାମ ।

ବିଜେଡି ପଦାଧିକାରୀ ବୈଠକରେ ସାଂସଦଙ୍କ ତଥାଗତଙ୍କ ମନ୍ତବ୍ୟର ଉଦାହରଣ ଦେଇ- ବିଜେଡିର ଦୁଇ ଅବୁଝା ସାଂସଦ ଭର୍ତୃହରି ମହତାବ ଏବଂ ବୈଜୟନ୍ତ ପଣ୍ଡଙ୍କୁ କଡ଼ା ସମାଲୋଚନା କରିଛନ୍ତି ଦାମ । ସେହିପରି ବିଜେପି ବିରୋଧରେ ଆଂଚଳିତ ଦଳ ଏକାଠି ହେବା ଏବଂ ସମନ୍ୱୟ ରକ୍ଷା କରିବା ନେଇ ଯେଉଁ ପରାମର୍ଶ ଦେଇଥିଲେ ଭର୍ତୃହରି, ସେ ଉପରେ ପ୍ରତିକ୍ରିୟା ରଖି କଟାକ୍ଷ କଲା ଢ଼ଙ୍ଗରେ କହିଛନ୍ତି-ସେ ଦିଲ୍ଲୀରେ ରହୁଛନ୍ତି ଆଂଚଳିକ ଦଳ ସହ ସଂପର୍କରେ ଥିବେ କଥା ହୁଅନ୍ତୁ ।

ଖାଲି ସେତିକି ନୁହେଁ ଏହି ପ୍ରସଙ୍ଗରେ ଭତୃହରି ଲେଖିଥିଲେ-‘ଭାଜପା ବିରୋଧରେ ଏବେ କେବଳ ଆଂଚଳିକ ଦଳଗୁଡ଼ିକ ହିଁ ଆଜି ଛିଡ଼ା ହେବା ଅବସ୍ଥାରେ ଅଛନ୍ତି । ସେମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇପାରିଲେ ତାହା ଏକ ବିକଳ୍ପ ଶକ୍ତି ଭାବେ ଉଭା ହୋଇପାରିବ’ । ତେବେ ଗୋଟିଏ ଗୁଳିରେ ଦାମଙ୍କ ଦୁଇଟି ଟାର୍ଗେଟ୍ । ପ୍ରଥମ ଗୁଳିରେ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ୍ କରିବା ସହ ବିଜେପିର ବିକାଶମନ୍ତ୍ର ଉପରେ ପ୍ରଶ୍ନ ଚିହ୍ନ ଲଗାଇଛନ୍ତି । ଏବଂ ଆଉ ଏକ ଗୁଳିରେ ନିଜ ଦଳର ସାଂସଦଙ୍କ ମୁହଁ ବନ୍ଦ କରି ଦେଇଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –