ଆଜି ରାତି ୧୧.୩୦ରେ ବାତ୍ୟା ‘ତିତଲି’ ଭୟଙ୍କର ସାମୁଦ୍ରିକ ଝଡର ରୂପ ନେବ । ସ୍ଥଳଭାଗ ଛୁଇଁବା ସମୟରେ ଘଣ୍ଟାପ୍ରତି ୧୪୫ କମି ବେଗରେ ବହିପାରେ ପବନ

46

କନକ ବ୍ୟୁରୋ : ଆସୁଛି ବାତ୍ୟା ତିତଲି । ମିଳିଥିବା ସୂଚନା ଅନୁସାରେ ବର୍ତମାନ ସମୟରେ ବାତ୍ୟା ତିତଲି ଗୋପାଳପୁରଠାରୁ ମାତ୍ର ୩୭୦ କିଲୋମିଟର ଦୂରରେ ରହିଛି । ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବାତ୍ୟା ବର୍ତମାନ ସମୟରେ ଘଣ୍ଟାପ୍ରତି ମାତ୍ର ୧୦ କମି ବେଗରେ ସ୍ଥଳ ଭାଗ ଆଡକୁ ମୁହାଁଉଛି । ତେବେ ଏହା ପ୍ରଭାବରେ ଓଡିଶାରେ ବର୍ଷା ଆରମ୍ଭ ହୋଇଯିବା ସହ ୧୪୫ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆଜିରାତି ୧୧.୩୦ରେ ବାତ୍ୟା ଭୟଙ୍କର ସାମୁଦ୍ରିକ ଝଡର ରୂପ ନେବ ବୋଲି ସୂଚନା ମିଳିଛି । ବାତ୍ୟା ସମୁଦ୍ର ମଝିରେ ଯେତିକି ଅଧିକ ସମୟ ରହିବ ସେତିକି ପରିମାଣର କ୍ଷତି କରିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଏପଟେ ବାତ୍ୟାକୁ ଦୃଷ୍ଟିରେ ରଖି ସରକାର ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଦେଲେଣି । ସେପଟେ ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଗଲାଣି । ପୁରୀ, ପାରାଦ୍ୱୀପ, କୋଣାର୍କ, ଅସ୍ତରଙ୍ଗ, ଯାଜପୁର, କଟକ ସମେତ ଅନେକ ସ୍ଥାନରେ ବର୍ଷା ଆରମ୍ଭ ହୋଇଥିବା ସୂଚନା ମିଳିଛି ।

 

ଆସନ୍ତାକାଲି ସକାଳ ବାତ୍ୟା ଉପକୂଳ ଛୁଇଁପାରେ ବୋଲି ଜଣାପଡିଛି । ସମୁଦ୍ର ଉପକୂଳ ବର୍ତ୍ତୀ ଅଞ୍ଚଳରେ ଥିବା ଲୋକମାନଙ୍କୁ ସତର୍କ କରାଇବା ସହ ମତ୍ସଜିବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି । ଏହାସହ ବର୍ଷା ହେବାକୁ ଥିବା ସମସ୍ତ ଜିଲ୍ଲାର ସରକାରୀ କର୍ମଚାରୀଙ୍କ ଛୁଟି ମଧ୍ୟ ବାତିଲ କରାଯାଇଛି । ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସରକାରୀ ସ୍ତରରେ ମଧ୍ୟ ଅନେକ ପ୍ରସ୍ତୁତି ଆରମ୍ଭ ହୋଇଥିବା ସୂଚନା ମିଳିଛି । ବର୍ଷାର ପରିମାଣ ଦେଖି ଲୋକମାନଙ୍କୁ ସ୍ଥାନାନ୍ତର କରାଯାଇପାରେ ବୋଲି ମଧ୍ୟ ସୂଚନା ମିଳିଛି । ପରିସ୍ଥିତିକୁ ଦେଖି ସଜାଗ ରହିବା ପାଇଁ ସମସ୍ତ ଅଫିସରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସମୁୁଦ୍ର ଅଶାନ୍ତ ରହିବା କାରଣରୁ ସ୍ଥାନୀୟ ଅଚଂଳର ଲୋକମାନଙ୍କୁ ସତର୍କ ରହିବା ସହ ଦରକାର ପଡିଲେ ଉଚ୍ଚ ସ୍ଥାନକୁ ପଳାଇବା ପାଇଁ କୁହାଯାଇଥିବା ଜଣାପଡିଛି । ବାତ୍ୟା ପାଇଁ ସରକାରଙ୍କ ପକ୍ଷରୁ ହେଲପ ଲାଇନ ନମ୍ବର ମଧ୍ୟ ଜାରି କରାଯାଇଛି ।