ଆନ୍ଧ୍ରକୁ ଆସୁଛି ‘ପେଥାଇ’: ଆଜି ଅପରାହ୍ଣରେ ସ୍ଥଳ ଭାଗରେ ମାଡହେବ ବାତ୍ୟା, ପ୍ରଭାବରେ ଓଡିଶାର ୪ ଜିଲ୍ଲାରେ ପ୍ରବଳ ବର୍ଷା ଅନୁମାନ

ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇପାରେ ବାତ୍ୟା ‘ପେଥାଇ’

265

କନକ ବ୍ୟୁରୋ: ଆନ୍ଧ୍ରକୁ ଆସୁଛି ପେଥାଇ । ତିତଲି ପରେ ଆଉ ଏକ ସାମୁଦ୍ରିକ ଝଡ ପେଥାଇ, ଆନ୍ଧ୍ର ମୁହାଁ ହୋଇଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାଇକ୍ଲୋନିକ୍ ଷ୍ଟର୍ମ ଆଉ କିଛି ଘଂଟା ଭିତରେ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେବା ସମ୍ଭାବନା ରହିଛି । ଏହା ଉତର ଓ ଉତର ପଶ୍ଚିମ ଦିଗରେ ଗତି କରୁଛି । ଆଜି ଅପରାହ୍ନରେ ଆନ୍ଧ୍ରପ୍ରଦେଶର ମଛଲିପଟନମ୍ ଏବଂ କାକିନାଡା ମଧ୍ୟରେ ବାତ୍ୟା ପେଥାଇ ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

ପେଥାଇ ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଂଟାପ୍ରତି ୯୦ରୁ ୧୧୦ କିଲୋମିଟର ରହିପାରେ ବୋଲି ଅନୁମାନ କରାଯାଉଛି । ଏବେ ଠାରୁ ଆନ୍ଧ୍ର ଉପକୂଳରେ ସମୁଦ୍ର ଅଶାନ୍ତ ରହିଛି । ସାମୁଦ୍ରକ ଝଡ ପ୍ରଭାବରେ ଓଡିଶାର ୪ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବାତ୍ୟା ତିତଲି ଦ୍ୱାରା ବିଶେଷ ପ୍ରଭାବିତ ହୋଇଥିବା ଗଜପତି, ରାୟଗଡା, ଗଂଜାମ ଓ କୋରାପୁଟରେ ପ୍ରବଳ ବର୍ଷା ହେବାର ଅନୁମାନ କରାଯାଉଛି ।

ଅପରପକ୍ଷେ ବାତ୍ୟା ଜନିତ ବର୍ଷା ପ୍ରଭାବରେ ୧୮ତାରିଖ ପର ଠାରୁ ରାଜ୍ୟରେ ରାତିର ତାପମାତ୍ରା କମିବ। ଏପରିକି ସର୍ବନିମ୍ନ ତାପମାତ୍ରା ତିନିରୁ ୪ଡିଗ୍ରି ପର‌୍ୟ୍ୟନ୍ତ କମିପାରେ ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ବାତ୍ୟା ପେଥାଇ ଉପରେ ସୂଚନା ଦେଇ ଭାରତୀୟ ପାଣିପାଗ ବିଭାଗ କହିଛି ଯେ, ଏବେ ଏହା ଶ୍ରୀଲଙ୍କାର ତ୍ରିଣୋମାଲି ଠାରୁ ୫୬୦କିମି, ଚେନ୍ନାଇ ଠାରୁ ୩୦୦କିମି, ଆନ୍ଧ୍ରପ୍ରଦେଶର କାକିନାଡା ଠାରୁ ୪୧୦କିମି, ମଛଲିପାଟଣମ୍ ଠାରୁ ୩୮୦କିମି ଦୂରରେ ଅଛି। ଏହା ଏବେ ୨୬କିମି ବେଗରେ ଆସୁଥିବାବେଳେ ଗତକାଲି ରାତିରେ ଏହା ଭୀଷଣ ବାତ୍ୟାରେ ପରିଣତ ହେବ। ଏହି ସମୟରେ ସମୁଦ୍ର ମଧ୍ୟରେ ୯୫ରୁ ୧୦୫କିମି ବେଗରେ ପବନ ବହିବ। କିନ୍ତୁ ଅନୁକୂଳ ପାଗ ନଥିବାରୁ ଭୀଷଣ ବାତ୍ୟା ସମୁଦ୍ର ଭିତରେ ହିଁ ଦୁର୍ବଳ ହୋଇଯିବ। ସ୍ଥଳଭାଗ ଛୁଇଁବା ସମୟରେ ୭୦ରୁ ୮୦କିମି ବେଗରେ ଏବଂ ଏହା ପରେ ପରେ ୪୦ରୁ ୫୦କିମି ବେଗରେ ପବନ ବହିବ।