ବ୍ରାହ୍ଣଣୀ ପୋଲ ଉପରେ ଅଭାବନୀୟ ଦୃଶ୍ୟ : ମାଲଗାଡି ଡବାକୁ ଛାଡି ଇଞ୍ଜିନ ଛୁ

ମାଲବାହୀ ଟ୍ରେନର ଇଞ୍ଜିନ ୱାଗନଗୁଡ଼ିକୁ ଛାଡି ଛୁ’ ହୋଇଯାଇଛି

138

କନକ ବ୍ୟୁରୋ : ଦକ୍ଷିଣ ପୂର୍ବ ରେଳପଥର ରାଉରକେଲା ଷ୍ଟେସନ୍ ଠାରୁ ପ୍ରାୟ ୮ କିଲୋମିଟର ଦୂର ବ୍ରାହ୍ମଣୀ ରେଳ ପୋଲ ଉପରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ମାଲବାହୀ ଟ୍ରେନର ଇଞ୍ଜିନ ୱାଗନଗୁଡ଼ିକୁ ଛାଡି ଛୁ’ ହୋଇଯାଇଛି। ଇଞ୍ଜିନଟି ପ୍ରାୟ ୨୦୦ ମିଟର ଦୂରକୁ ପଳାଇଯାଇଥିଲା। ସୌଭାଗ୍ୟବଶତଃ ଡ୍ରାଇଭର ଜାଣିବା ମାତ୍ରେ ଇଞ୍ଜିନକୁ ପଛକୁ ଫେରାଇ ୱାଗନ୍ ସହ ସଂଯୋଗ କରିଥିଲେ। ମାଲବାହୀ ଟ୍ରେନଟି ପ୍ରାୟ ଅଧଘଣ୍ଟା ପରେ ଆଗକୁ ବଢ଼ିଥିଲା।

 

ଘଟଣାରୁ ପ୍ରକାଶ, ରାଉରକେଲାରୁ ଝାରସୁଗୁଡା ଯାଉଥିବା ଏକ କୋଇଲା ବୋଝେଇ ମାଲବାହୀ ଟ୍ରେନ ପାନପୋଷ ବ୍ରାହ୍ମଣୀ ପୋଲ ଉପରେ ଦେଇ ଯାଉଥିବାବେଳେ କୌଣସି କାରଣରୁ ୱାଗନ୍ ଓ ଇଞ୍ଜିନକୁ ସଂଯୋଗ କରୁଥିବା ଲୁହା ପ୍ଲେଟ ବାହାରି ଯାଇଥିଲା। ଫଳରେ ଇଞ୍ଜିନଟି ୱାଗନଗୁଡ଼ିକୁ ଛାଡି ଚାଲିଯାଇଥିଲା। ଖବର ପାଇବା ପରେ ରାଉରକେଲାରୁ ରେଳବିଭାଗର ବରିଷ୍ଠ ଅଧିକାରୀ ଓ ଟେକ୍ନିକାଲ ଟିମ୍ ଘଟଣାସ୍ଥଳରେ ପହଞ୍ଚି ୱାଗନ ସହ ଇଞ୍ଜିନକୁ ସଂଯୋଗ କରିଥିଲେ। ଏହି କାମ ଚାଲିଥିବାବେଳେ ପ୍ରାୟ ଅଧଘଣ୍ଟା ଧରି ପୋଲ ଉପରେ ମାଲବାହୀ ଟ୍ରେନ ଅଟକ ରହିଥିବାରୁ ବମ୍ବେ- ହାୱଡା ଅପ୍ ଲାଇନ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।

ସୂଚନାଯୋଗ୍ୟ ଯେ ରାଉରକେଲା-ଝାରସୁଗୁଡା ରେଳପଥରେ ବାରମ୍ବାର ଏଭଳି ଅଦ୍ଭୁତ ଅଘଟଣ ଘଟୁଛି। ଏହି ଘଟଣା କତ୍ତୃର୍ପକ୍ଷଙ୍କ ଦାୟିତ୍ବ ଓ କର୍ତ୍ତବ୍ୟବୋଧ ପ୍ରତି ଗୁରୁତର ପ୍ରଶ୍ନବାଚୀ ସୃଷ୍ଟି କରୁଛି। ରାଉରକେଲା-ଝାରସୁଗୁଡା ରେଳପଥରେ ଏଭଳି ୫ଟି ପ୍ରମୁଖ ଅଘଟଣ ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି।