ଡ୍ୟାମରେ ଫାଟ ! ବର୍ଷାଦିନରେ ପାଣି କମିବାକୁ ନେଇ ଚିନ୍ତାରେ ଚାଷୀ

39

କନକ ବ୍ୟୁରୋ : ଚାଷୀର ଜମିକୁ ବର୍ଷସାରା ଜଳସେଚନ କରିବା ପାଇଁ ସରକାର ବହୁ ଯୋଜନା ପ୍ରଣୟନ କରୁଥିବା ବେଳେ ରାଜ୍ୟ ରାଜକୋଷରୁ ଅଜସ୍ର ଅର୍ଥ ବ୍ୟୟ କରୁଛନ୍ତି । କିନ୍ତୁ ଆଲୁଅରେ ଲଣ୍ଠନ ଜଳାଇବା ନୀତିରେ ଡ୍ୟାମରେ ୩ ବର୍ଷ ହେଲା ଫାଟ ସୃଷ୍ଟି ହୋଇଥିଲେ ବି ସରକାରଙ୍କ ନଜରରେ ପଡୁନି । ଆଉ ସେମିତି ଅବହେଳିତ ଅବସ୍ଥାରେ ପଡିରହିଛି ଗଂଜାମର ଘୋଡାହାଡ ଡ୍ୟାମ୍ ।

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଘୋଡାହାଡ ଜଳସେଚନ ପ୍ରକଳ୍ପର ମୁଖ୍ୟ ଫାଟକରେ ଫାଟ ସୃଷ୍ଟି ହୋଇଛି । ଯାହାଫଳରେ ଫାଟ ଯୋଗୁଁ ଅଯଥା ଜଳ ଅପଚୟ ହେଉଥିବା ସହିତ ଜଳଭଣ୍ଡାରର ଜଳପତନ କମିବାରେ ଲାଗିଛି । ବିଶେଷ କରି ବର୍ଷା ରୁତୁରେ ଡ୍ୟାମର ଜଳପତନ କମିବା ବର୍ତମାନ ଚିନ୍ତାର କାରଣ ପାଲଟିଛି । ଏହି ପ୍ରକଳ୍ପ ଦ୍ୱାରା ୭୯୧୧ ହେକ୍ଟର ଚାଷ ଜମି ଜଳସେଚିତ ହୋଇଥାଏ । କିନ୍ତୁ ପାଣି ଫାଟ ଯୋଗୁଁ ୯ଟି ପାଣି ପଂଚାୟତର ପ୍ରାୟ ୩୦୦ହେକ୍ଟର ଚାଷ ଜମିରେ ଏବେ ପାଣି ମାଡିପାରୁନାହିଁ ।

୧୯୬୦ ମସିହାରେ ଏହି ଜଳଭଣ୍ଡାର ନିର୍ମାଣ କରାଯାଇ ଚାଷ ଜମିକୁ ଜଳସେଚନ କରିବାର ଲକ୍ଷ୍ୟ ରଖାଯାଇଥିଲା । ୧୩୮ ବର୍ଗ କିଲୋମିଟରରେ ପରିବ୍ୟାପ୍ତ ଏହି ଡ୍ୟାମରେ ଦୁଇଟି ବଡ କେନାଲ୍ ଥିବାବେଳେ ୫ଟି ମାଇନର୍ ଓ ସବ୍ ମାଇନର୍ କେନାଲ୍ ରହିଛି । ଗୋଟିଏ ପଟେ ଦୀର୍ଘ ତିନିବର୍ଷରୁ ଉର୍ଦ୍ଧ ଦିନ ହେଲା ଫାଟ ହେତୁ ଚାଷଜମି ପାଣି ପାଇବାରୁ ବଂଚିତ ହେଉଥିବାବେଳେ ଅନ୍ୟପଟେ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେଉନଥିବାରୁ ଚାଷୀ ଏବେ ଆନ୍ଦୋଳନ ପାଇଁ ସଜବାଜ ହେଲେଣି ।

ସେପଟେ ନିଜ ଦୋଷ ଲୁଚାଇବାକୁ ଚାଷୀ ଆଜି ସୁଦ୍ଧା ଅଭିଯୋଗ କରିନାହାନ୍ତି ବୋଲି ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ସଫେଇ ଦେଇଛନ୍ତି । ଯାହାକି ସମସ୍ତଙ୍କୁ ଚକିତ କରିଦେଇଛି ।