କଂଗ୍ରେସ ରାଜନୀତିରେ ଝଡ, କିଏ ମୁଣ୍ଡାଇବ ପରାଜୟର ଦୋଷ ! ସୁର କହିଲେ, ପଛରୁ ଛୁରା ଭୁସାଯାଇ ହୋଇଥିଲା ଷଡଯନ୍ତ୍ର, ବିକ୍ରି ହୋଇଯାଇଥିଲା କଂଗ୍ରେସ

33

କନକ ବ୍ୟୁରୋ : ବିଜେପୁର ଫଳାଫଳ ପରେ ବିଜେଡି ଉତ୍ସବ ମନାଉଥିବା ବେଳେ ବିଜେପି ଓ କଂଗ୍ରେସ କରୁଛି ଆତ୍ମ ସମୀକ୍ଷା । ହେଲେ ଏହି ପରାଜୟ କିନ୍ତୁ କଂଗ୍ରେସ ଶିବିରରେ ସୃଷ୍ଟି କରିଛି ଝଡ଼ । ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ଦେଇଥିବା ବୟାନ୍ ୧୪0ବର୍ଷର ପାର୍ଟିକୁ ଦୋହଲାଇ ଦେଇଛି । ଗୋଟିଏ ପଟେ ପିସିସି ସଭାପତିଙ୍କ ଇସ୍ତଫା, ଆଉ ଗୋଟେ ପଟେ ଦଳୀୟ ନେତାଙ୍କ ବିରୋଧରେ ବର୍ଷିଛନ୍ତି ସୁର । କହିଛନ୍ତି-ବିଜେପୁରରେ କଂଗ୍ରେସର ପରାଜୟ ପାଇଁ ପଛରୁ ଛୁରା ମାରିଛନ୍ତି ନେତା ।

ବିଜେପୁର ଉପ-ନିର୍ବାଚନରେ ଅମାନତ୍ ପରାଜୟ ଏବଂ ନୈତିକ ଦାୟିତ୍ୱ ନେଇ ପିସିସି ମୁଖିଆଙ୍କ ଇସ୍ତଫା ପରେ କଂଗ୍ରେସ ଶିବିରରେ ସୃଷ୍ଟି ହୋଇଛି ବଡଧରଣର କମ୍ପନ । କଂଗ୍ରେସର ଗଡ଼ କୁହାଯାଉଥିବା ବିଜେପୁରରେ ପରାଜୟକୁ ସହଜରେ ହଜମ୍ କରିପାରୁ ନାହିଁନ୍ତି ଦଳର ବରିଷ୍ଠ ନେତା ସୁର ରାଉତରାୟ । ସିଧାସଳଖ ଦଳୀୟ ନେତାଙ୍କୁ ଆକ୍ଷେପ କରି କହିଛନ୍ତି-ପଛରୁ ଛୁରା ମାରିଛନ୍ତି ନେତା । ଏପରିକି କଂଗ୍ରେସର ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବ୍ଲକ ସଭାପତିଙ୍କ ପର୍ଯ୍ୟନ୍ତ ସମସ୍ତେ ବିକ୍ରି ହୋଇଯାଇଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ସୁର ରାଉତରାୟ । ପ୍ରଶ୍ନ ଉଠିଛି ପ୍ରକୃତରେ କାହାର ଷଡଯନ୍ତ୍ର କାରଣରୁ କଂଗ୍ରେସର ଏତେ ବଡ ଶୋଚନୀୟ ପରାଜୟ ହେଲା ନା’ ଦଳର ପ୍ରସ୍ତୁତି, ରଣନୀତିର ଅଭାବ କିମ୍ବା ସ୍ଥାଣୁ ସଂଗଠନ ଯୋଗୁଁ ପରାଜୟର ମୁହଁ ଦେଖିଲା ଦଳ । ଆଉ ପରାଜୟ ପାଇଁ ସିଧାସଳଖ ଅଙ୍ଗୁଳି ଉଠିଛି-ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ଆଡକୁ ।

ବିଜେପୁର ନିର୍ବାଚନ ଫଳାଫଳ ପ୍ରକାଶ ପାଉ ପାଉ, ଏପଟେ ଖବର ଆସିଲା-ପିସିସି ସଭାପତି ଇସ୍ତଫା ଦେଇଛନ୍ତି । ଠିକ୍ ଯେମିତି ପଂଚାୟତ ନିର୍ବାଚନ ଫଳାଫଳ ପରେ ହୋଇଥିଲା । ଆଉ ନୈତିକତା ଦୃଷ୍ଟିରୁ ପ୍ରସାଦ ଇସ୍ତଫା ଦେଇଥିବା ମଧ୍ୟ କହିଥିଲେ ସୁର । କିନ୍ତୁ ଏହି କଥାକୁ ଠିକ ଭାବରେ ଗ୍ରହଣ କରି ପାରି ନଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ବାହିନିପତୀ । ତାରା କହିଛନ୍ତି, ପ୍ରସାଦ ଯଦି ପିସିସି ସଭାପତି ରହିବେ ତେବେ ଅଧିକାଂଶ ଲୋକ ଦଳ ଛାଡି ଚାଲିଯିବେ । ସ୍ୱାଭିମାନୀ ଲୋକ ନିର୍ବାଚନ ଲଢିବେନି ବୋଲି କହି ବଡଧରଣର ହଟଚମଟ ସୃଷ୍ଟି କରିଛନ୍ତି ।

ବିଜେପୁର ଉପ-ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସ ରାଜନୀତିରେ ଝଡ଼ ଉଠିଛି । ପୁଣି ଥରେ ପିସିସି ସଭାପତିଙ୍କ ପାରିବାପଣିଆକୁ ନେଇ ପ୍ରଶ୍ନ ଉଠିଛି । କାରଣ ୩-୩ଥର କ୍ରମାଗତ ଭାବରେ ବିଜେଡି ବିଜେପିକୁ ଧୁଳି ଚଟାଇଥିବା କଂଗ୍ରେସ, ଏଥର ନିଜ ଗଡ଼ରେ ମାଟି କାମୁଡ଼ି ପଡ଼ିଯାଇଛି । ବିଜେପୁର ପରାଜୟ ଯେମିତି ପୁଣି ଥରେ ଦଳ ଭିତରେ ଥିବା ଅନ୍ତକନ୍ଦଳକୁ ପଦାରେ ପକାଇ ଦେଇଛି । ଆଉ ତାକୁ ନେଇ ଆରମ୍ଭ ହୋଇଥିବା ଆରୋପ-ପ୍ରତ୍ୟାରୋପ ଭିତରେ ପୁଣି ଥରେ ନେତୃତ୍ୱ ପରିବର୍ତନର ସ୍ୱର ଉଠିଛି ।