ନିର୍ବାଚନ ପାଇଁ କଂଗ୍ରେସର ବଡ଼ କସରତ ! ଭୂପେଶ ବାଘେଲଙ୍କ ସହ ଓଡ଼ିଶା ଆସି ପ୍ରଚାର କରିବେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ।

149

କନକ ବ୍ୟୁରୋ : ଓଡିଶାକୁ ପ୍ରଚାରରେ ଆସିବେ ଛତିଶଗଡ ମୁଖ୍ୟମନ୍ତ୍ରୀ । ପଶ୍ଚିମ ଓ ଉପକୂଳ ଓଡିଶାରେ ସମାବେଶ କରିବେ ଭୂପେଶ ବାଘେଲ । ଏଥି ସହ ଓଡିଶାରେ ପ୍ରଚାର ପାଇଁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥ, ପଂଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ସଚିନ ପାଇଲଟଙ୍କୁ ନିମନ୍ତ୍ରଣ କରାଯାଇଥିବା ପିସିସି ସଭାପତି ନିରଂଜନ ପଟନାୟକ ସୂଚନା ଦେଇଛନ୍ତି ।

ସେପଟେ ଏହାର ଜବାବ ରଖିଛି ବିଜେଡି । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ଛତିଶଗଡ ମୁଖ୍ୟମନ୍ତ୍ରୀ ଓଡିଶା ପ୍ରଚାର ପାଇଁ ଆସିଲେ, ଲୋକ ତାଙ୍କୁ ମହାନଦୀ ପାଣି କଥା ପଚାରିବେ । ଏହା ସହ ସେ କହିଛନ୍ତି, ଆଗରୁ ମଧ୍ୟ ଅନେକ କେନ୍ଦ୍ରୀୟ ନେତା ଓ ମୁଖ୍ୟମନ୍ତ୍ରୀ ଓଡିଶା ଆସି ପ୍ରଚାର କରିଛନ୍ତି । ତେବେ ଏହାର ପ୍ରଭାବ ଓଡିଶା ଉପରେ କେବେ ପଡିନି । ଆଉ ଏବେବି କିଛି ପ୍ରଭାବ ପଡିବନି ।

୨୦୧୯ ନିର୍ବାଚନ ପାଇଁ ସମୟର କଣ୍ଟା ଯେତେ ଆଗେଇ ଆଗେଇ ଚାଲିଛି, ରାଜନୈତିକ ଦଳ ଗୁଡିକ ମଧ୍ୟରେ ସେତିକି ଉଷ୍ମତା ପରିଲକ୍ଷିତ ହେଉଛି । ବିଶେଷ କରି ଶାସନ ଗାଦିରେ ବସିଥିବା ବିଜେଡି ସରକାରକୁ ହଟାଇବା ପାଇଁ ଉଦ୍ୟମ କରୁଛନ୍ତି ଦୁଇ ଜାତୀୟ ଦଳ । ଆଉ ସେଥିପାଇଁ କେନ୍ଦ୍ରୀୟ ନେତାଙ୍କୁ ଓଡିଶାକୁ ଆଣି ପ୍ରଚାର କରିବାରେ ଲାଗିଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘନ ଘନ ଓଡିଶା ଗସ୍ତ ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଧ୍ୟ ଓଡିଶା ଆସି ନିର୍ବାଚନୀ ବିଗୁଲ ବଜାଇଛନ୍ତି ।