ସମ୍ବଲପୁରକୁ ମୁଖ୍ୟମନ୍ତ୍ରୀଙ୍କ ୭ଶହ କୋଟିର ଭେଟି । ନବୀନ କହିଲେ, ନୂଆ ଓଡିଶା ଗଠନରେ ପ୍ରମୁଖ ଭୂମିକା ନେବ ବିଜୁ ଯୁବ ବାହିନୀ

182

କନକ ବ୍ୟୁରୋ: ସମ୍ବଲପୁର ପାଇଁ ୭ ଶହ କୋଟିର ଭେଟି । ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଆଜି ସମ୍ବଲପୁରରେ ୧୧୭ କୋଟି ୭୨ ଲକ୍ଷରେ ତିଆରି ହାଇଲେଭଲ ସେତୁର ଉଦଘାଟନ କରିଛନ୍ତି । ଏଥିସହ ୧୦୦ କୋଟି ଟଙ୍କାର ୧୯ ଟି ପ୍ରକଳ୍ପର ଉଦଘାଟନ କରିବା ସହ ୩୩୮ କୋଟି ଟଙ୍କା ବ୍ୟୟ ଅଟକଳରେ ୧୪ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ବିଜୁ ଯୁବବାହିନୀ ଆଂଚଳିକ ସମାବେଶରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ସମ୍ବଲପୁର ପାଇଁ ୮୮ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଛନ୍ତି ।

ସମ୍ବଲପୁର ବାସୀଙ୍କ ପାଇଁ ମହାନଦୀ ଉପରେ ନିର୍ମିତ ହାଇଲେଭଲ୍ ସେତୁର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୧୭ କୋଟି ୭୨ ଲକ୍ଷରେ ତିଆରି ଏହି ଦେଢ କିଲୋମିଟରର ସେତୁ, ଚାଉଁରପୁର, ଗୋଶାଳା ଓ ଚିପିଲିମା ଅଂଚଳବାସୀଙ୍କୁ ସମ୍ବଲପୁର ସହର ସହ ସିଧାସଳଖ ଯୋଡିଛି । ସ୍ଥାନୀୟ ଅଂଚଳବାସୀଙ୍କ ସାମାଜିକ ଓ ଅର୍ଥନୈତିକ ଉନ୍ନତି ପାଇଁ ସହାୟକ ହେବ ଏହି ହାଇଲେଭଲ ସେତୁ ।

ବିଜୁ ଯୁବବାହିନୀ ଆଂଚଳିକ ସମାବେଶରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ସମ୍ବଲପୁର ପାଇଁ ୮୮ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଛନ୍ତି । ୨୦ କୋଟି ଟଙ୍କାରେ ମାଳତୀଯୋର ସେତୁ ଏବଂ ୧୦ କୋଟି ଟଙ୍କାରେ ବାଲିବନ୍ଧ ସେତୁ ନିର୍ମାଣ କରାଯିବ । ଏଥିସହ ଜିଲ୍ଲା ସ୍କୁଲ ଠାରୁ ନକ୍ସପଲୀ ରୋଡ୍ ଯାଏଁ ୪୦ କୋଟି ଏବଂ ଦୁର୍ଗାପାଲୀ ଠାରୁ ଜାତୀୟ ରାଜପଥ ଯାଏଁ ୧୫ କୋଟି ଟଙ୍କାରେ ଚାରିଥାକିଆ ରାସ୍ତା ନିର୍ମାଣ କରାଯିବ । ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ଷ୍ଟାଡିଅମ୍ର ଉନ୍ନତୀକରଣ ପାଇଁ ମୁଖ୍ୟମନ୍ତ୍ରୀ ୩ କୋଟି ଟଙ୍କା ଅନୁମୋଦନ କରିଛନ୍ତି ।

ଏଥିସହ ମୁଖ୍ୟମନ୍ତ୍ରୀ ୧୦୦ କୋଟି ଟଙ୍କାର ୧୯ ଟି ପ୍ରକଳ୍ପର ଉଦଘାଟନ କରିବା ସହ ୩୩୮ କୋଟି ଟଙ୍କା ବ୍ୟୟ ଅଟକଳରେ ୧୪ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ସମ୍ବଲପୁରର ବିଜୁ ଯୁବବାହୀନୀ ସମାବେଶରେ ୬ଟି ଜିଲ୍ଲାରୁ ୩୦ ହଜାରରୁ ଅଧିକ ଯୁବକ ଯୁବତୀ ସାମିଲ ହୋଇଥିଲେ । ଯୁବକ ମାନଙ୍କୁ ଏକାଠି କରିବା ଏକ ବଳିଷ୍ଠ ଉଦ୍ୟମ ଏବଂ ଏହି ଯୁବବାହୀନି ନୂଆ ଓଡିଶା ଗଠନରେ ପ୍ରମୁଖ ଭୂମିକା ନେବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।