ଚୀନକୁ ଡରାଇବ ବ୍ରହ୍ମୋସ: ଡ୍ରାଗନକୁ ଉସକାଇଲା ଭାରତ, ଭିଏତନାମକୁ ବିକିଲା ବ୍ରହ୍ମୋସ ମିସାଇଲ

50

କନକ ବ୍ୟୁରୋ : ଡୋକଲାମ ବିବାଦକୁ ନେଇ ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଛି । କେହି କାହାକୁ ଛାଡ଼ିବାକୁ ପ୍ରସ୍ତୁତ ନୁହଁନ୍ତି । କିନ୍ତୁ ଏସବୁ ଭିତରେ ଚୀନକୁ ବିଚଳିତ କରିବା ଭଳି ନିଷ୍ପତି ନେଇଛି ଭାରତ । ରିପୋର୍ଟ ଅନୁଯାୟୀ, ଚୀନର ଶତ୍ରୁ ଭିଏତନାମକୁ ବ୍ରହ୍ମୋସ କ୍ରୁଜ୍ ମିସାଇଲ ବିକ୍ରି କରିଛି ଭାରତ । ପୂର୍ବରୁ ଭାରତର ଏହି ମିସାଇଲ ପରୀକ୍ଷଣ କରିବାକୁ ନେଇ ଚୀନ୍ ଆପତ୍ତି ଉଠାଇଥିଲା । ଏହି ସୁପରସୋନିକ କ୍ରୁଜ ମିସାଇଲ ଅନ୍ୟ ମିସାଇଲ ତୁଳନାରେ ବହୁତ ଶକ୍ତିଶାଳୀ । ୪୫୦ କିଲୋମିଟର ଦୂରରେ ଥିବା ଟାର୍ଗେଟକୁ ଲକ୍ଷ୍ୟଭେଦ କରି ପାରୁଥିବା ଏହି ମିସାଇଲ ଚୀନ ପାଇଁ ଚିନ୍ତା ବଢାଇଦେଇଛି ।

ଭିଏତନାମ ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ଲି ଥି ହ୍ୟାଙ୍ଗଙ୍କ କହିବା ଅନୁୂଯାୟୀ, ଭିଏତନାମ ନିଜର ଆତ୍ମରକ୍ଷା ଓ ରାଷ୍ଟ୍ରହିତ ପାଇଁ ଭାରତ ଠାରୁ ଏହି କ୍ରୁଜ ମିସାଇଲ କିଣିଛି । ଦୁଇ ଦେଶର ସୁରକ୍ଷା ଦୃଷ୍ଟିରୁ ଏହି ଚୁକ୍ତି ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଭାରତ ଠାରୁ କେତୋଟି ବ୍ରହ୍ମୋସ ମିସାଇଲ କିଣିବାକୁ ଚୁକ୍ତି ହୋଇଛି ସେ ନେଇ ଦୁଇ ଦେଶ ପକ୍ଷରୁ କୌଣସି ସୂଚନା ମିଳିନାହିଁ । କିନ୍ତୁ ଭିଏତନାମର ଏକ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ,କିଛିଦିନ ପୂର୍ବେ ପ୍ରଥମ ପର୍ଯ୍ୟାୟରେ କିଛି ମିସାଇଲ ଭିଏତନାମରେ ପହଞ୍ଚିସାରିଛି ।

ତେବେ ଭିଏତନାମକୁ ଭାରତ ବ୍ରହ୍ମୋସ ମିସାଇଲ ବିକ୍ରି କରିବା ଚୀନକୁ ବିଚଳିତ କରିଛି । କାରଣ ଦକ୍ଷିଣ ଚୀନ ସାଗରରେ ଚୀନର ଆଧିପତ୍ୟକୁ ଭିଏତନାମ ବିରୋଧ କରୁଛି । କିନ୍ତୁୁ ବ୍ରହ୍ମୋସ ମିସାଇଲ ଭିଏତନାମ ହାତେଇବା ପରେ ଚୀନର ଚେତା ପଶିଛି । କାରଣ ଏହି ମିସାଇଲ ଗୋଟିଏ ସେକେଣ୍ଡରେ ଚୀନର ଯୁଦ୍ଧ ଜାହାଜକୁ ଧ୍ୱଂସ କରିବାକୁ ସକ୍ଷମ ।