ସିଏଜି କଲେ ପର୍ଦ୍ଦାଫାସ୍‌: ୧୦୫୮ କୋଟି ଟିକସ ହରାଇଛି ରାଜ୍ୟ

50

କନକ ବ୍ୟୁରୋ: ୨୦୧୫-୧୬ ଆର୍ଥିକ ବର୍ଷରେ ରାଜ୍ୟ ସରକାର ୧୦୫୮ କୋଟି ଟଙ୍କାର ରାଜସ୍ୱ ହରାଇଛନ୍ତି । ଟିକସ ଲାଗୁ କରିବାରେ ବିଫଳ ହେବା, ସ୍ୱଳ୍ପ ପରିମାଣର ଟିକସ ଲାଗୁ କରିବା, ସୁଧ ଏବଂ ଜରିମାନା ଆଦି ବାବଦ ରାଶି ଆଦାୟ କରି ନପାରିବା ଯୋଗୁଁ ରାଜ୍ୟ ସରକାରଙ୍କୁ ୨୦୧୫-୧୬ ଆର୍ଥିକ ବର୍ଷରେ ଉପରୋକ୍ତ ରାଶିର ଆର୍ଥିକ କ୍ଷତି ହୋଇଛି ।

ଭାରତର ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକ (ସିଏଜି)ଙ୍କ ପକ୍ଷରୁ ଗତକାଲି ବିଧାନସଭାରେ ଉପସ୍ଥାପନ କରାଯାଇଥିବା ଆର୍ଥିକ କ୍ଷେତ୍ର ସମୀକ୍ଷା ରିପୋର୍ଟରୁ ଏହି ତଥ୍ୟ ପଦାକୁ ଆସିଛି । ବିକ୍ରି କର, ପ୍ରବେଶ ଶୁଳ୍କ ରାଜ୍ୟ ଅବକାରୀ ଶୁଳ୍କ ସମେତ ମୂଲ୍ୟ ଯୁକ୍ତ ଟିକସ (ଭାଟ୍) ଆଦି କ୍ଷେତ୍ରର ୩,୪୮,୮୪୯ଟି ସମୀକ୍ଷା ସିଏଜି କରିବା ପରେ ଏହା ଜାଣିବାକୁ ପାଇଛନ୍ତି ।

ବାଣିଜ୍ୟ କର ବିଭାଗର ସମୀକ୍ଷାରୁ ମଧ୍ୟ ସିଏଜି ଅନେକ ଅନିୟମିତତା ଧରିଛନ୍ତି । ବାଣିଜ୍ୟ କର ବିଭାଗରେ ମାମଲା ଦୀର୍ଘଦିନ ଧରି ପଡ଼ି ରହିବା ଯୋଗୁଁ ଏହାର ପ୍ରଭାବ ରାଜସ୍ୱ ଆଦାୟ ଉପରେ ପଡ଼ିଛି । ୨୦୧୨ ଅକ୍ଟୋବର ପର୍ୟ୍ୟନ୍ତ ମାମଲା ଗୁଡ଼ିକ କେତେଦିନ ମଧ୍ୟରେ ବିଚାର ହେବ ସେ ନେଇ କୌଣସି ନିର୍ଦେଶନାମା ସରକାରଙ୍କର ନଥିଲା । ଫଳରେ ଆପିଲେଟ୍ ଅଥରିଟି ଗୁଡ଼ିକରେ ମାମଲା ବିଚାର ଅତ୍ୟଧିକ ବିଳମ୍ବ ହୋଇଥିଲା । ଏଥିଯୋଗୁଁ ସରକାରଙ୍କ ରାଜସ୍ୱ ଫସି ରହିଥିଲା । ସିଏଜିଙ୍କ ସମୀକ୍ଷାରୁ ଜଣାଯାଇଛି ଯେ, ୧୪୦୭ଟି ମାମଲାରୁ ୭୫୧ଟି ମାମଲା(୫୩.୩୮ ପ୍ରତିଶତ) ୧୦ ବର୍ଷରୁ ଅଧିକ କାଳ ଧରି ଗଡ଼ୁଛି ।

ଅବକାରୀ ବିଭାଗ ପକ୍ଷରୁ ମଦ ଦୋକାନ ଖୋଲିବା ପାଇଁ ଲାଇସେନ୍ସ ଇସ୍ୟୁ ଏବଂ ଅନୁମତି ପ୍ରଦାନ ଆଦିର ସମୀକ୍ଷା ସିଏଜି କରିଥିଲେ । ସିଏଜି ତାଙ୍କ ସମୀକ୍ଷାରେ ଏହି ବିଭାଗର ଅନେକଗୁଡ଼ିଏ ଅନିୟମିତତାକୁ ଧରିଛନ୍ତି । ଅଧିକ ପରିମାଣର ବିଦେଶୀ ମଦ ଆଣିଲେ ବ୍ୟବସାୟୀମାନେ କେତେ ମାତ୍ରାରେ ଅଧିକ ଫି ଦେବେ ସେ ନେଇ ଅବକାରୀ ନୀତିରେ କିଛି ବ୍ୟବସ୍ଥା ନାହିଁ ବୋଲି କୁହାଯାଇଛି । ଏଥିଯୋଗୁଁ ସରକାରଙ୍କୁ ୧୧୧.୦୪ କୋଟି ଟଙ୍କାର ରାଜସ୍ୱ ପ୍ରାପ୍ତିରୁ ବଞ୍ଚିତ ହେବାକୁ ପଡ଼ିଛି ।

କେବଳ ତ୍ରୁଟିପୂର୍ଣ୍ଣ ନୀତି ପାଇଁ ନୁହେଁ ଅବକାରୀ ବିଭାଗର ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ପାଇଁ ମଧ୍ୟ ସରକାରଙ୍କୁ ୫୨.୩୧ କୋଟି ଟଙ୍କାର ରାଜସ୍ୱ ହରାଇବାକୁ ପଡ଼ିଛି । ସରକାରୀ ଜମିରେ ଲାଇସେନ୍ସପ୍ରାପ୍ତ ମଦ ଦୋକାନୀଙ୍କୁ ଅନ୍ୟତ୍ର ଉଠାଇବା ସମୟରେ ସେମାନଙ୍କୁ ବିକଳ୍ପ ସୁବିଧା ଯୋଗାଇ ଦିଆ ନଯିବା ଯୋଗୁଁ ଏହି କ୍ଷତି ହୋଇଥିବା ସିଏଜି କହିଛନ୍ତି ।

ଏତଦ୍ବ୍ୟତୀତ ସରକାର ଗ୍ରାହକଙ୍କ ଉପରେ ମଧ୍ୟ ବେଆଇନ ଭାବେ ୯୫ କୋଟି ୨୯ ଲକ୍ଷ ଟଙ୍କାର ବୋଝ ଲଦିଛନ୍ତି । ଖୁଚୁରା ମଦ ବ୍ୟବସାୟୀଙ୍କ ଆୟକରକୁ ମଦର ମୂଲ୍ୟରେ ଯୋଡ଼ି ଦିଆଯାଇଛି । ଫଳରେ ଗ୍ରାହକମାନେ ଉପରୋକ୍ତ ରାଶିର କ୍ଷତି ସହିଛନ୍ତି । ମଦ ଉତ୍ପାଦନ କରୁଥିବା କମ୍ପାନିରୁ ଓଡ଼ିଶା ରାଜ୍ୟ ମଦ ନିଗମର ଡିପୋକୁ ମଦ ପରିବହନ ବେଳେ ୨,୫୭,୬୫୩ଟି ମଦ ପେଟି ଭାଙ୍ଗି ରୁଜି ଯାଇଛି । ଏହାର ମୂଲ୍ୟ ପ୍ରାୟ ୩୨.୯୪ କୋଟି ଟଙ୍କା । ତେବେ ଏଥିରେ ଦୁର୍ନୀତି ବା ବେଆଇନ କାରବାରକୁ ସମ୍ଭାବନାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ ବୋଲି ସିଏଜି ଦର୍ଶାଇଛନ୍ତି ।

ଅନୁମତି କେତେ ଦିଆଯାଇଛି ଏବଂ ମଦ ଯୋଗାଣ କେତେ ହୋଇଛି ତାହାକୁ ବିଭାଗ ଅନୁଧ୍ୟାନ କରିବାରେ ବିଫଳ ହେବାରୁ ୨୯୩.୭୧ କୋଟି ଟଙ୍କାର ରାଜସ୍ୱ ହାନି ହୋଇଥିବା କୁହାଯାଇଛି । ମୋଟର ଯାନ ଟିକସ ଏବଂ ଅତିରିକ୍ତ ଟିକସ ବାବଦରେ ରାଜ୍ୟ ସରକାର ୧୧୪.୧୨ କୋଟି ଟଙ୍କା ହରାଇଛନ୍ତି । ଏଥିରେ ଜରିମାନା ରାଶି ମଧ୍ୟ ସାମିଲ ରହିଛି । ବିଭିନ୍ନ ବର୍ଗର ୩୬,୨୪୪ଟି ଯାନରୁ ଟିକସ, ଜରିମାନା ପୂର୍ଣ୍ଣମାତ୍ରାରେ ଆଦାୟ କରିବାରେ ବିଫଳ ହେବା ଯୋଗୁଁ ଏହି କ୍ଷତି ସରକାରଙ୍କୁ ହୋଇଛି ବୋଲି ସିଏଜି ଦର୍ଶାଇଛନ୍ତି ।

୨୦୧୫-୧୬ ଆର୍ଥିକ ବର୍ଷରେ ରାଜ୍ୟ ସରକାରଙ୍କ ମୋଟ ରାଜସ୍ୱ ୬୮,୯୪୧.୪୪ କୋଟି ଟଙ୍କା ରହିଛି, ଯାହାକି ୨୦୧୪-୧୫ ଆର୍ଥିକ ବର୍ଷରେ ୫୬,୯୯୭.୮୮ କୋଟି ଟଙ୍କା ରହିଥିଲା । ୨୦୧୫-୧୬ରେ ରାଜ୍ୟ ସରକାର ଟିକସ ରାଜସ୍ୱ ବାବଦରେ ୨୨,୫୨୬.୯୬ କୋଟି (୪୫.୩୧ ପ୍ରତିଶତ) ଆଦାୟ କରିଥିବାବେଳେ ଅଣ ଟିକସ ରାଜସ୍ୱ ବାବଦରେ ୮୭୧୧.୨୪ କୋଟି ଟଙ୍କା ଆଦାୟ କରିଛନ୍ତି । ଅବଶିଷ୍ଟ ୫୪.୬୯ ପ୍ରତିଶତ ରାଶି କେନ୍ଦ୍ର ସରକାରଙ୍କୁ ପାଇଛନ୍ତି । ଏଥିରୁ ୨୩,୫୭୩.୭୮ କୋଟି ଟଙ୍କା କେନ୍ଦ୍ରଠାରୁ ରାଜ୍ୟର ଅଂଶ ବାବଦରେ ପାଇଥିବାବେଳେ ୧୪,୧୨୯.୪୬ କୋଟି ଟଙ୍କା ସହାୟତା ବାବଦରେ ପାଇଛନ୍ତି । ବିଧାନସଭାରେ ରିପୋର୍ଟ ଉପସ୍ଥାପନ ହେବା ପରେ ପ୍ରଧାନ ମହାଲେଖାକାର ଯଶୋଧରା ରାୟ ଚୌଧରୀ ଏବଂ ମହାଲେଖାକାର ଆର୍. ଅମ୍ବାଲାଭାନନ୍ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।