ମୁମ୍ବାଇରେ ଅଛି ବୁଦ୍ଧିଆ : ଜାତୀୟ ଗଣମାଧ୍ୟମକୁ ଫିଲ୍ମ ନିର୍ଦେଶକଙ୍କ ସୂଚନା

19

କନକ ବ୍ୟୁରୋ : କେଉଁଠି ଅଛି ବିସ୍ମୟ ବାଳକ ବୁଦ୍ଧିଆ ସିଂ। ନିଖୋଜ ବୁଦ୍ଧିଆର ଠିକଣା ଜାଣିବାକୁ ଉଦ୍ୟମ ଆରମ୍ଭ କରିଛି ଶିଶୁ କଲ୍ୟାଣ ସମିତି। ଏଥିପାଇଁ କ୍ରୀଡା ଛାତ୍ରାବାସ ଓ ରାଜ୍ୟ ସରକାରଙ୍କ କ୍ରୀଡା ବିଭାଗକୁ ଚିଠି ଲେଖିଛି। କେମିତି ଓ କେଉଁ ପରିସ୍ଥିତିରେ ବୁଦ୍ଧିଆ ନିଖୋଜ ହୋଇଗଲା ଓ ତାକୁ ଖୋଜିବାକୁ କଣ ଉଦ୍ୟମ କରାଯାଇଛି, ସେ ନେଇ ସବିଶେଷ ତଥ୍ୟ ଦେବାକୁ ୩ ଦିନର ଡେଡଲାଇନ୍ ଦେଇଛି ସିଡବ୍ଲୁସି । ସେପଟେ ବର୍ଣ୍ଣ ଟୁ ରନ୍ ଫିଲ୍ମର ନିର୍ଦେଶକ ସୌମେନ୍ଦ୍ର ପାଢୀଙ୍କ ସୂଚନା ଘଟଣାକୁ ଆହୁରି ରହସ୍ୟମୟ କରିଦେଇଛି।

ତେବେ ବୁଦ୍ଧିଆ ଭୁବନେଶ୍ୱରରେ ନାହିଁ । ପ୍ରଥମରୁ ସମସ୍ତଙ୍କ ସନ୍ଦେହ ଥିଲା ଫିଲ୍ମ ନିର୍ମାଣକାରୀ ସଂସ୍ଥା ପ୍ରମୋଶନ ପାଇଁ ତାଙ୍କୁ ମୁମ୍ବାଇ ଡାକିଥିବେ । ଏପିରିକି ଗତମାସ ଶେଷ ଆଡକୁ ବୁଦ୍ଧିଆ ଓ ତାଙ୍କ ମା ମୁମ୍ବାଇ ଯାଇଥିବାର ପ୍ରମାଣ ମଧ୍ୟ ମିଳିସାରିଛି । ତେବେ ଏକଥାକୁ ସ୍ପଷ୍ଟ କରିନଥିଲେ ନିର୍ଦେଶକ ସୌମେନ୍ଦ୍ର ପାଢୀ। କିନ୍ତୁ ଗତକାଲି ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେବା ବେଳେ ନିଖୋଜ ବୁଦ୍ଧିଆକୁ ନେଇ ସାମ୍ବାଦିକଙ୍କ ପ୍ରଶ୍ନକୁ ସାମ୍ନା କରିବାକୁ ପଡିଥିଲା । ଆଉ ସୌମେନ୍ଦ୍ର କହିଥିଲେ ବୁଦ୍ଧିଆ ଓ ତାଙ୍କ ମା’ଙ୍କ ପ୍ରାଇଭେସିକୁ ପ୍ରୋଟେକ୍ଟ କରିବା ତାଙ୍କ ଦାୟିତ୍ୱ ।

ସେ ଦିନର ବିସ୍ମୟ ଆଜି ରହସ୍ୟମୟ । ହେଲେ ଏ ଅପେକ୍ଷା ଖୁବ୍ କମ୍ ଦିନର । କାରଣ ଚଳିତ ମାସ ଶେଷ ସପ୍ତାହରେ ବୁଦ୍ଧିଆ ଫିଲ୍ମର ପ୍ରମୋଶନ କରିବା ଏକ ପ୍ରକାର ଚୁଡାନ୍ତ ହୋଇ ଯାଇଛି ।