ଛତିଶା ନିଯୋଗ ବୈଠକରେ ପ୍ରସ୍ତୁତ ହେଲା ‘ରଥଯାତ୍ରା’ ପାଇଁ ବ୍ଲୁ -ପ୍ରିଣ୍ଟ । ୯.୩୦ରେ ପହଣ୍ଡି ବିଜେ, ୪ଟାରେ ହେବ ରଥଟଣା

146

କନକ ବ୍ୟୁରୋ: ଶ୍ରୀଜୀଉଙ୍କ ରଥଯାତ୍ରା ପୂର୍ବରୁ ଶେଷ ହୋଇଛି ଛତିଶାନିଯୋଗ ବୈଠକ । ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ବୈଠକରେ ସ୍ନାନ ପୂର୍ଣ୍ଣିମାଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ନୀତିନିର୍ଘଂଟ ପ୍ରସ୍ତୁତ ହୋଇଛି । ଛତିଶାନିଯୋଗ ବୈଠକରେ ଚୂଡାନ୍ତ ହୋଇଛି ରଥଯାତ୍ରା ନୀତି । ସାଢ଼େ ୯ରେ ପହଣ୍ଡି ବିଜେ, ୪ଟାରେ ହେବ ରଥଟଣା । ଏହା ସହ ଶୃଙ୍ଖଳିତ ବ୍ୟବସ୍ଥା, ସେବାୟତ ଓ ପ୍ରଶାସନର ସମନ୍ୱୟ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି । ଅନ୍ୟପଟେ ଶ୍ରୀମନ୍ଦିର ସତ୍ୱଲିପି ଅନୁସାରେ ଦଇତାପତିମାନେ ପାଉଣା ପାଇବେ ବୋଲି ବୈଠକ ପରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଏହା ପୂର୍ବରୁ ଦଇତାପତି ନିଯୋଗଙ୍କ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସ୍ନାନଯାତ୍ରା ନେଇ ଆଲୋଚନା କରିଛନ୍ତି ।

ଆଜି ଶ୍ରୀମନ୍ଦିର କାର୍ୟ୍ୟାଳୟରେ ତିନୋଟି ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ନୀତି ସବକମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ରଥଯାତ୍ରା ନୀତି ଉପରେ ବିସ୍ତୃତ ଆଲୋଚନା ପରେ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଥିଲା। ଆସନ୍ତା ଜୁଲାଇ ୧୪ରେ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଚୂଡ଼ାନ୍ତ ନୀତି ଅନୁସାରେ ଏହି ଦିନ ସକାଳ ୬ଟାରେ ମଙ୍ଗଳ ଆଳତି କରାଯିବ। ସକାଳ ୬ଟା୧୦ରେ ମହାପ୍ରଭୁଙ୍କ ମଇଲମ ପରେ ସାଢ଼େ ୬ଟାରେ ତଡ଼ପଲାଗି ଓ ରୋଷହୋମ ନୀତି ଅନୁଷ୍ଠିତ ହେବ। ସକାଳ ୭ଟାରେ ଅବକାଶ ନୀତି, ୭ଟା୧୦ରେ ସୂର୍ୟ୍ୟପୂଜା, ୭ଟା୩୦ରେ ଦ୍ଵାରପାଳ ପୂଜା ଓ ବେଶ ଶେଷ ହେବ। ସକାଳ ୮ରୁ ୯ଟା ଭିତରେ ଗୋପାଳ ବଲ୍ଲଭ ଓ ସକାଳ ଧୂପ ନୀତି ଅନୁଷ୍ଠିତ ହେବ। ସକାଳ ୯ଟାରେ ରଥ ପ୍ରତିଷ୍ଠା କରାଯିବ। ୯ଟା୧୫ରେ ମଙ୍ଗଳାର୍ପଣ ପରେ ସାଢ଼େ ୯ଟାରେ ତିନି ଠାକୁର ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଶ୍ରୀମନ୍ଦିରରୁ ରଥ ଉପରକୁ ପହଣ୍ଡି ବିଜେ କରିବେ। ମଧ୍ୟାହ୍ନ ୧୨ଟା ୩୦ରେ ପହଣ୍ଡି ଶେଷ ପରେ ସାଢ଼େ ୧୨ଟାରୁ ଗୋଟାଏ ଭିତରେ ମଦନ ମୋହନ ରଥ ଉପରକୁ ବିଜେ କରିବେ।

ଅପରାହ୍ନ ସାଢ଼େ ଗୋଟାଏରୁ ୨ଟା ପର୍ୟ୍ୟନ୍ତ ଚିତାଲାଗି ନୀତି ଅନୁଷ୍ଠିତ ହେବ। ସାଢ଼େ ଗୋଟାଏରୁ ସାଢ଼େ ୨ଟା ଭିତରେ ବେଶ ଶେଷ ପରେ ଛେରାପହଁରା ନୀତି ଅନୁଷ୍ଠିତ ହେବ। ଅପରାହ୍ନ ୨ରୁ ୩ଟା ମଧ୍ୟରେ ଗଜପତି ମହାରାଜ ତିନି ରଥରେ ଛେରାପହଁରା କରିବେ। ଅପରାହ୍ନ ୩ରୁ ୪ଟା ପର୍ୟ୍ୟନ୍ତ ଚାରମାଳ ଫିଟା, ଘୋଡ଼ା ଓ ସାରଥୀ ଲାଗି ନୀତି ଅନୁଷ୍ଠିତ ହେବ। ଠାକୁରଙ୍କ ସବୁ ନୀତି ଶେଷ ହେବା ପରେ ଅପରାହ୍ନ୪ଟାରେ ରଥଟଣା ଆରମ୍ଭ ହେବ। ତିନି ଠାକୁର ତିନି ରଥରେ ବଡ଼ଦାଣ୍ଡରେ ଶ୍ରୀଗୁଣ୍ଡିଚା ଯାତ୍ରା ଆରମ୍ଭ କରିବେ। ନୀତି ସବକମିଟିରେ ରଥଯାତ୍ରା ନୀତି ଚୂଡ଼ାନ୍ତ ପରେ ଦଇତା ନିଯୋଗ ବୈଠକରେ ଏହା ଉପରେ ଆଲୋଚନା ହୋଇଥିଲା। ଦଇତା ନିଯୋଗ ବୈଠକ ପରେ ଛତିଶା ନିଯୋଗ ବୈଠକରେ ଚୂଡ଼ାନ୍ତ ନୀତି ଉପରେ ଆଲୋଚନା ହୋଇଥିଲା।