୧୨ ଦିନରେ ବ୍ଲକଗ୍ରାଂଟ୍ ଶିକ୍ଷକଙ୍କ ଆନ୍ଦୋଳନ ! ଲୋୟର ପିଏମଜିରେ ଶିକ୍ଷକ ଓ ଅଧ୍ୟାପକଙ୍କ ଅହୋରାତ୍ର ଧାରଣା

32

କନକ ବ୍ୟୁରୋ : ୧୨ ଦିନରେ ପହଁଚିଲା ବ୍ଲକଗ୍ରାଂଟ୍ ଶିକ୍ଷକ ଓ ଅଧ୍ୟାପକଙ୍କ ଆନ୍ଦୋଳନ । ବ୍ଲକଗ୍ରାଂଟ୍ ପରମ୍ପରା ଉଚ୍ଛେଦ ଦାବିରେ ଲୋୟର ପିଏମଜିରେ ଅହୋରାତ୍ର ଧାରଣା ଓ ଆନ୍ଦୋଳନ ଚଳାଇଛନ୍ତି ଶିକ୍ଷକ ଓ ଅଧ୍ୟାପକ ମିଳିତ ମଂଚ । ରାତି ସାରା ରାଜରାସ୍ତାରେ ଶୋଇ ରହୁଛନ୍ତି ଶିକ୍ଷକ ।

ଗଣେଶ ଚତୁର୍ଥୀରେ ରାସ୍ତା ଉପରେ ଗଣେଶଙ୍କ ପୂଜାର୍ଚ୍ଚନା କରିବା ସହ ଗତକାଲି ରାସ୍ତା ଉପରେ ନୂଆଁଖାଇ ପାଳିଛନ୍ତି ଆନ୍ଦୋଳନରତ ଶିକ୍ଷକ ଓ ଅଧ୍ୟାପକ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ବିଦ୍ୟାଳୟଠାରୁ ମହାବିଦ୍ୟାଳୟ ପର୍ଯ୍ୟନ୍ତ ସମସ୍ତ ଶିକ୍ଷକ, ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଏକାଠି ହୋଇ ନୂଆଁଖାଇ ପାଳନ କରିଥିଲେ ।

ଆନ୍ଦୋଳନ ସ୍ଥଳରେ ମା’ ସମଲେଇଙ୍କ ଫଟୋ ରଖି ଶିକ୍ଷକ ଶିକ୍ଷୟିତ୍ରୀ ଯଥାରୀତି ପୂଜାର୍ଚ୍ଚନା କରିବା ସହ ପ୍ରସାଦ ସେବନ କରିଥିଲେ । ସୋମବାର ପୁଣିଥରେ ମିଳିତ ବୈଠକ ବସିବାକୁ ସ୍ଥିର ହୋଇଥିଲେ ମଧ୍ୟ ଅନ୍ୟ ଶିକ୍ଷକ ସଙ୍ଗଠନମାନେ ଏହି ଆନ୍ଦୋଳନରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛନ୍ତି । ସୋମବାର ସବୁ ବର୍ଗର ଶିକ୍ଷକ, ଅଧ୍ୟାପକ ଆନ୍ଦୋଳନରେ ସାମିଲ ହୋଇ ରାଜ୍ୟ ସରକାରଙ୍କ ବିରୋଧରେ ରଣହୁଙ୍କାର ଦେବେ ବୋଲି ମିଳିତ ମଞ୍ଚର ଆବାହକ ମଣ୍ଡଳୀ ସଦସ୍ୟ ପ୍ରକାଶ ଚନ୍ଦ୍ର ମହାନ୍ତି, ଗୋଲକ ନାୟକ, ପବିତ୍ର ମହାଲା କହିଛନ୍ତି ।

ଅନ୍ୟପକ୍ଷରେ ରାଜନୈତିକ ଦଳ ପରେ ଶନିବାର ବିଭିନ୍ନ ଶ୍ରମିକ ସଙ୍ଗଠନର ସଦସ୍ୟମାନେ ମିଳିତ ମଞ୍ଚର ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି । ୧୦ଟି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ଶ୍ରମିକ ନେତା ଶିବାଜୀ ପଟ୍ଟନାୟକ, ଆଇଏନଟିୟୁସିର ରାଜ୍ୟ ସଭାପତି ରାମଚନ୍ଦ୍ର ଖୁଣ୍ଟିଆ, ସାଧାରଣ ସମ୍ପାଦକ କିଶୋର ଜେନା, ହିନ୍ଦ୍ ମଜଦୁର ସଭାର ସଭାପତି ଲକ୍ଷ୍ମୀପ୍ରିୟା ଦେବୀ, ଏଆଇୟୁଟିସିର ସଭାପତି ଜୟସେନ ମେହେର, ଚୁକ୍ତିଭିତ୍ତିକ ଶିକ୍ଷକ ସଂଘର ସଭାପତି ପ୍ରଦୀପ୍ତ ପ୍ରଧାନ, ସମ୍ପାଦକ ଅମରେନ୍ଦ୍ର ସ୍ୱାଇଁ ଧାରଣାସ୍ଥଳରେ ପହଞ୍ଚି ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ ।