ଲୋକସଭା ଉପବାଚସ୍ପତି ପଦକୁ ନେଇ ବିଜେପିର ନୂଆ ରଣନୀତି। ୱାଇଏସଆର କଂଗ୍ରେସକୁ ବିଜେପି ପଦ ଅଫର କରିଥିବା ଚର୍ଚ୍ଚା

ସମୟ ମାଗିଲେ ଜଗନ୍ନ ରେଡ୍ଡୀ

563

କନକ ବ୍ୟୁରୋ: ୱାଇଏସଆର କଂଗ୍ରେସକୁ ଲୋକସଭା ଉପବାଚସ୍ପତି ପଦ ଅଫର କଲା ବିଜେପି । ବିଜେପି ସାଂସଦ ଜିଭିଏଲ ନରସିହ୍ମାରାଓ ମଙ୍ଗଳବାର ବଜୟୱାଡାରେ ୱାଇଏସଆର ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗମୋହନ ରେଡ୍ଡୀଙ୍କୁ ଭେଟି ଏହି ଅଫର ଦେଇଛନ୍ତି । ୱାଇଏସଆର କଂଗ୍ରେସର ନିର୍ବାଚିତ ୨୨ସାଂସଦଙ୍କ ମଧ୍ୟରୁ ଜଣଙ୍କୁ ଉପବାଚସ୍ପତି କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ଜିଭିଏଲ । ତେବେ ୱାଇଏସଆର ନେତୃତ୍ୱ ଏହି ଅଫର ନେଇ ନୀରବ ରହିଛନ୍ତି ।

https://zeenews.india.com

ସୂଚନା ଅନୁସାରେ ଜଗନ ଏଥିପାଇଁ ଅଧିକ ସମୟ ମାଗିଛନ୍ତି । ଉଭୟ ମୁସିଲମ ଓ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ଭୋଟର ୱାଇଏସଆର କଂଗ୍ରେସକୁ ବହୁ ସଂଖ୍ୟାରେ ଭୋଟ ଦେଇ ନିର୍ବାଚନରେ ବିଜୟୀ କରିଥିବାରୁ ସବୁ ଦିଗରୁ ତର୍ଜମା କରୁଛନ୍ତି ଜଗନ । ଜଗନ ଓ ନରସିହ୍ମା ପ୍ରାୟ ଅଧ ଘଂଟା ଧରି ଆଲୋଚନା କରିଥିଲେ । ପ୍ରଥମେ ଏହି ଭେଟଘାଟକୁ ସୌଜନ୍ୟମୂଳକ ସାକ୍ଷାତ ବୋଲି କୁହାଯାଉଥିଲା । କିନ୍ତୁ ପରେ ଜଣାପଡିଥିଲା ନରସିହ୍ମା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରିୟ ସଭାପତି ଅମିତ ଶାହାଙ୍କ ପ୍ରତିନିଧି ଭାବେ ଉପବାଚସ୍ପତି ପଦ ଅଫର ନେଇ ଜଗନଙ୍କୁ ଭେଟିଥିଲେ । ଆସନ୍ତା ୧୭ରେ ସଂସଦୀୟ ଅଧିବେଶନ ଆରମ୍ଭ ହେବ ।

ଅଧିବେଶନ ଆରମ୍ଭରେ ନୂଆ ସାଂସଦମାନେ ଶପଥ ଗ୍ରହଣ କରିବେ । ତାପରେ ଖୁବ୍ ଶୀଘ୍ର ବାଚସ୍ପତି ଓ ଉପବାଚସ୍ପତି ନିର୍ବାଚନ ହେବ । ବିଜେପି ସାଂସଦ ବାଚସ୍ପତି ହେବା ନିଶ୍ଚିତ ଥିବାବେଳେ କିଏ ହେବ ଉପବାଚସ୍ପତି ସେ ନେଇ ଜାରି ରହିଛି ବିଭିନ୍ନ ଚର୍ଚ୍ଚା । ବିଜେଡିକୁ ଏହି ପଦ ମିଳିବ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଏହାକୁ ଖୋଲାଖୋଲି ବିରୋଧ କରିଥିଲା ବିଜେପିର ସହଯୋଗୀ ଦଳ ଶିବସେନା । ବିଜେଡି ବିଜେପି ବିରୋଧରେ ନିର୍ବାଚନ ଲଢ଼ିଥିବାରୁ ଏହି ପଦ ଦେବା ଉଚିତ୍ ନୁହେଁ ବୋଲି କହିଥିଲେ ଶିବସେନା ସାଂସଦ ସଞ୍ଜୟ ରାଉତ । ତେବେ କାହାକୁ ମିଳିବ ଏହି ପଦ ତା ଉପରେ ରହିଛି ସମସ୍ତଙ୍କ ନଜର ।