ମୁକାବିଲା ରଣନୀତି ! ବିଜେପିର ହିନ୍ଦୁତ୍ୱ ଧାରାକୁ ଚ୍ୟାଲେଂଜ୍ କଲା ବିଜେଡି

48

କନକ ବ୍ୟୁରୋ : ବିଜେପିର ହିନ୍ଦୁତ୍ୱ ବିଚାରଧାରାକୁ ଚ୍ୟାଲେଞ୍ଜ କଲା ବିଜେଡି । ଭୁବନେଶ୍ୱରରେ ଭାରତୀୟ ଜନତା ପାର୍ଟିର ଦୁଇ ଦିନିଆ ଜାତୀୟ କାର୍ଯ୍ୟାକାରିଣୀ ଶେଷ ହେବା ପରେ ବିଜେଡିର କାଉଂଟର ଷ୍ଟ୍ରାଟେଜୀ । ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକୀ ପାଳନ ଅବସରରେ ସର୍ବଧର୍ମ ସମନ୍ୱୟର ବାର୍ତା ଦେବାକୁ ପ୍ରୟାସ ।

ବିଜେଡି କାର୍ଯ୍ୟାଳୟରେ ମୁସଲମାନମାନଙ୍କ ନମାଜ ପାଠ, ହିନ୍ଦୁମାନଙ୍କ ଗାୟତ୍ରୀ ବେଦପାଠ, ଖ୍ରୀଷ୍ଟିଆନଙ୍କ ବାଇବେଲ ପାଠ ସହ ଶିଖ ଧର୍ମାବଲମ୍ବୀଙ୍କ ସ୍ୱତନ୍ତ୍ର ପ୍ରର୍ଥନା ମଧ୍ୟ ଦେଖିବାକୁ ମିଳିଛି । ହିନ୍ଦୁତ୍ୱ ବିଚାରଧାରାକୁ ନେଇ ବିଜେପି ସବୁବେଳେ ତାର ଅଭିମୁଖ୍ୟ ରଖି ଆସୁଥିବାବେଳେ, ସର୍ବଧର୍ମକୁ ସମର୍ଥନ ଆଳରେ ବିଜେପିକୁ ଘେରିଛି ବିଜେଡି ।

୨୦୦୮ କନ୍ଧମାଳ ଦଙ୍ଗା ପରେ ସାଂପ୍ରଦାୟୀକ ଦଳ କହି ବିଜେପିର ହାତ ଛାଡି ଦେଇଥିଲେ ନବୀନ ପଟ୍ଟନାୟକ । ଆଉ ଏବେ ରାଜ୍ୟରେ ବିଜେପି ତାର ଶକ୍ତି ପ୍ରଦର୍ଶନ କରୁଥିବାବେଳେ, ପୁଣିଥରେ ବିଜେପିର ହିନ୍ଦୁତ୍ୱବାଦୀ ଚେହେରାକୁ ଟାର୍ଗେଟ କରିଛି ବିଜେଡି । ତେବେ ବିଜୁ ବାବୁଙ୍କ ଶ୍ରାଦ୍ଧବାର୍ଷିକୀରେ ନବୀନ କହିଛନ୍ତି ତାଙ୍କରି ନାଁରେ ପ୍ରତିଷ୍ଠା ହୋଇଥିବା ବିଜେଡି ଗରିବଙ୍କ କଲ୍ୟାଣ ପାଇଁ କାମ କରୁଛି । ଏବଂ ରାଜ୍ୟର ବିକାଶ କ୍ଷେତ୍ରରେ ମହିଳାଙ୍କ ପ୍ରମୁଖ ଭୂମିକା ରହିଥିବା ସେ କହିଛନ୍ତି ।