ପୁଣି ଫେରିଲା ବାର୍ଡ ଫ୍ଲୁ , କୁକୁଡା ମାଂସ ପ୍ରତି ସାବଧାନ ! ପାରାଦ୍ୱୀପରେ ବାର୍ଡ ଫ୍ଲୁ ଆତଙ୍କ, ୨ ହଜାର କୁକୁଡାକୁ ମାରିବାକୁ ଆରମ୍ଭ ହେଲା ଅଭିଯାନ

160

କନକ ବ୍ୟୁରୋ : ପୁଣି ଫେରିଛି ବାର୍ଡଫ୍ଲୁ । ପାରାଦୀପରେ କୁକୁଡା ଦେହରେ ଏଚଫାଇଭଏନୱାନ୍ ଭୂତାଣୁ ଚିହ୍ନଟ ହେବା ପରେ ପୁଣି ଭୟ ସୃଷ୍ଟି ହୋଇଛି । ଏହାକୁ ରୋକିବା ପାଇଁ ଆରମ୍ଭ ହୋଇଛି ପକ୍ଷୀ ମରା ଅଭିଯାନ । ପ୍ରଶାସନର ୬ଟି ଟିମ୍ ପାରାଦୀପରେ ଆଜି ଶହ ଶହ କୁକୁଡାକୁ ମାରିବା ସହ ପୋତି ଦେଇଛନ୍ତି । ୩ ମାସ ଯାଏ ସହରକୁ କୁକୁଡା ଆଣିବାରେ ସରକାର ରୋକ୍ ଲଗାଇଛନ୍ତି । ସେପଟେ କେନ୍ଦ୍ରାପଡାରେ ସତର୍କତାମୂଳକ ଭାବେ କୁକୁଡା ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି ।

ଚିନ୍ତା ବଢ଼ାଇଲା ବାର୍ଡ ଫ୍ଲୁ ର ଭୟ । ପାରାଦୀପରେ ଚିହ୍ନଟ ହୋଇଛି ବାର୍ଡଫ୍ଲୁ ଭୂତାଣୁ । ବଡପଡିଆ ଓ ଷଣ୍ଢକୁଦ ଅଂଚଳରେ କିଛି କୁକୁଡାଙ୍କ ନମୁନା ପରୀକ୍ଷା କରିବା ପରେ ଏହି ଐ୫ଘ୧ଭୂତାଣୁ ଥିବା ଜଣାପଡିଛି । ଆଉ ଏହି ଘଟଣା ପରେ ଆରମ୍ଭ ହୋଇଛି କୁକୁଡା ମରା ଅଭିଯାନ । କୁକୁଡା ଗୁଡିକୁ ମାରି ପୋଡିବା ସହ ମାଟି ତଳେ ପୋତି ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୨ ହଜାର କୁକୁଡା ମାରିବାକୁ ପ୍ରଶାସନ ନିଷ୍ପତି ନେଇଛି । ସେହିପରି ଅଣ୍ଡାକୁ ମଧ୍ୟ ନଷ୍ଟ କରାଯାଉଛି । ଏହା ଛଡା କୁକୁଡା, ବତକ ଓ ଅଣ୍ଡା ନଖାଇବାକୁ ଲୋକଙ୍କୁ ସଚେତନ କରୁଛି ପ୍ରଶାସନ ।

କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ନିୟମ ଅନୁସାରେ କ୍ଷତିପୂରଣ ଦିଆଯିବ ବୋଲି ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ସୂଚନା ଦେଇଛି । ଏହା ଛଡା ତିନି ମାସ ପାଇଁ ପାରାଦୀପକୁ କୁକୁଡା ଓ ବତକ ଯୋଗାଣ ବନ୍ଦ କରାଯିବା ନେଇ ନିଷ୍ପତି ହୋଇଛି । ବିଦେଶାଗତ ପକ୍ଷୀଙ୍କ ଠାରୁ ଏହି ଭୂତାଣୁ ସ୍ଥାନୀୟ ଅଂଚଳରେ ସଂକ୍ରମଣ ହୋଇଥିବା କୁହାଯାଉଛି । ସଂକ୍ରମଣ ଅଂଚଳର ଏକ କିଲୋମିଟର ବ୍ୟାସାର୍ଧ ମଧ୍ୟରେ କୁକୁଡା, ବତକ, ମାଂସ ଓ ଅଣ୍ଡା ବିକ୍ରି କରିବାକୁ ସଂପୂର୍ଣ୍ଣ ନିଷେଧ କରାଯାଇଛି । ପାରାଦୀପରେ ବାର୍ଡ ଫ୍ଲୁ ଚିହ୍ନଟ ହେବା ପରେ କେନ୍ଦ୍ରାପଡାର ମହାକାଳପଡା ଅଂଚଳରେ ମଧ୍ୟ ଏହି ସନ୍ଦେହ ଦେଖାଦେଇଛି । ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବିଭିନ୍ନ ସ୍ଥାନରୁ କୁକୁଡାଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି ।