ପାର୍ଟି ପାଇଁ ପତିଆରା ! ପ୍ରଚାର ହେବ ଜୋରଦାର, ସମ୍ମାନର ଲଢେଇ ଜିତିବ କିଏ ? ବିଜେପୁର ବାଜି ଜିତିବାକୁ ଡେରା ପକାଇବେ ବିଜେଡି-ବିଜେପିର ଟପ ବସ୍

22

କନକ ବ୍ୟୁରୋ : ବିଜେପୁର ଉପନିର୍ବାଚନ ପାଇଁ ଆଉ ହାତରେ ମାତ୍ର ୫ ଦିନ ବାକି ଥିବା ବେଳେ ଉଷ୍ମ ହୋଇଛି ରାଜନୀତି । ଜୋରଦାର ହେଉଛି ପ୍ରଚାର । ବିଜେପୁର ମାଟିରେ ଡେରା ପକାଉଛନ୍ତି ମାଳ ମାଳ ମନ୍ତ୍ରୀ ଓ ନେତା । କେବଳ ମନ୍ତ୍ରୀ, ନେତା ନୁହଁନ୍ତି ରୂପେଲି ପରଦାର ହିରୋ ହିରୋଇନ ମଧ୍ୟ ବିଜେପୁରରେ କ୍ୟାମ୍ପ ପକାଇ ବସିଛନ୍ତି । କେହି କାହାରିକୁ ଆଗକୁ ଛାଡିବା ମୁଡରେ ନାହାନ୍ତି । କଳେ ବଳେ କୌଶଳେ ବିଜେପୁର ବାଜି ଜିତିବା ପାଇଁ ପ୍ରାଣମୂର୍ଚ୍ଚା ଉଦ୍ୟମ କରୁଛନ୍ତି ତିନି ପ୍ରମୁଖ ଦଳ । କିନ୍ତୁ ଏହି ରେସରେ ବିଜେଡି-ବିଜେପି ଆଗୁଆ ରହିଥିବା ଚର୍ଚ୍ଚା ହେଉଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଉପନିର୍ବାଚନ ଉଭୟ ବିଜେଡି-ବିଜେପି ପାଇଁ ସମ୍ମାନର ପ୍ରଶ୍ନ ଭାବେ ଉଭା ହୋଇଛି । ଆଉ ସିଧାସଳଖ ଏହି ଲଢେଇ ନବୀନ-ଧର୍ମେନ୍ଦ୍ରଙ୍କ ମଧ୍ୟରେ ହେଉଥିବା ସାଧାରଣରେ ଆଲୋଚନା ହେଉଛି ।

bijepurବିଜେପୁର ଉପନିର୍ବାଚନ ପାଇଁ ଆସନ୍ତା ୨୨ ତାରିଖ ହେଉଛି ପ୍ରଚାରର ଶେଷ ସନ୍ଧ୍ୟା । ଏହାପରେ ପ୍ରତି ଦଳ ପକ୍ଷରୁ ଆରମ୍ଭ ହେବ ଅନ୍ଧାରୀ ବିଜେ । କିନ୍ତୁ ଏହା ପୂର୍ବରୁ ଭୋଟରଙ୍କ ମନ ଜିଣିବା ପାଇଁ ଆରମ୍ଭ ହୋଇଛି ଜୋରଦାର ପ୍ରୟାସ । ଖାସ କରି ବିଜେଡି-ବିଜେପି ଏଥିପାଇଁ ଏକ ସ୍ୱତନ୍ତ୍ର ରଣନୀତି ଆପଣାଇଛନ୍ତି । ବିଜେଡି ପକ୍ଷରୁ ନିର୍ବାଚନୀ ମୈଦାନକୁ ଓହ୍ଲାଇବେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ଲଗାତାର ଦୁଇ ଦିନ ଧରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାରାଥନ ପ୍ରଚାର କରିବେ ନବୀନ । ଆଉ ଏଥିପାଇଁ ପୂର୍ବରୁ ପ୍ରସ୍ତୁତ ହୋଇଥିବା ପ୍ରଚାର କାର୍ଯ୍ୟକ୍ରମରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତି ନବୀନ । ୧୯ ତାରିଖ ପରିବର୍ତ୍ତେ ଆସନ୍ତା ୨୦ ଓ ୨୧ ତାରିଖରେ ନବୀନ ବିଜେପୁର ଯାଇ ସଭା ଓ ରୋଡ ସୋ କରିବେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବିଜେପୁର ଉପନିର୍ବାଚନ ପ୍ରଚାରକୁ ଗମ୍ଭୀରତାର ସହ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ଥର ପାଇଁ ଓଡିଶାରେ ପ୍ରଚାର କରିବେ ନବୀନ କିନ୍ତୁ ରାତିରେ ଘରକୁ ଫେରିବେନାହିଁ ।ନିର୍ବାଚନ ପ୍ରଚାର କରିବା ସହ ବରଗଡରେ ଗୋଟିଏ ରାତି ମଧ୍ୟ ରହିବେ ନବୀନ । ଯାହା ନବୀନଙ୍କ କ୍ୟାରିୟରର ବିରଳ ଘଟଣାର ମୁକସାକ୍ଷୀ ପାଲଟିବ ।

ନିଷ୍ପତ୍ତି ଅନୁସାରେ, ମୁଖ୍ୟମନ୍ତ୍ରୀ ଜିଲ୍ଲା ସର୍କିଟ ହାଉସ ବା ପ୍ରଦକ୍ଷଣ ଗୃହରେ ୨୦ ତାରିଖରେ ରାତ୍ରିଯାପନ କରିବେ। ସେଦିନ ରୋଡ୍ ସୋ ସହିତ ବରପାଲିର ତିନି ପଞ୍ଚାୟତ କୁମ୍ଭାରୀ, ରେମତା ଓ ଆଗଲପୁର ଯାଇ ପ୍ରଚାର କରିବେ ନବୀନ। ୨୧ ତାରିଖରେ ଗାଇସିଲାଟ୍ ଓ ବିଜେପୁରରେ ସଭା କରିବାର କାର୍ୟ୍ୟକ୍ରମ ରହିଛି। ପ୍ରଥମ ଗାଇସିଲାଟର କଲରାପାଲି ପଡିଆରେ ସଭା କରିବେ ଓ ସେଠାରୁ ପଦ୍ମପୁର ଯାଇ ମଧ୍ୟାହ୍ନ ଭୋଜନ କରିବେ। ଅପରାହ୍ନରେ ବିଜେପୁରରେ ନିର୍ବାଚନୀ ସଭାରେ ଯୋଗ ଦେଇ ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ଭୋଟ ମାଗିବେ। ଏହି ଉପନିର୍ବାଚନକୁ ନେଇ ନବୀନ କେତେ ସିରିୟସ ତାହା ଏହି ଘଟଣାରୁ ଜଣାପଡୁଛି ।

bijepurନବୀନଙ୍କ ଚକ୍ରବ୍ୟୁହକୁ ଭେଦ କରିବା ପାଇଁ ବିଜେପି ପକ୍ଷରୁ ମଧ୍ୟ ଏକ ସୁଚିନ୍ତିତି ରଣନୀତି ପ୍ରସ୍ତୁତ କରାଯାଇଛି । ୧୯ ଠାରୁ ୨୧ ଯାଏଁ ବିଜେପୁରରେ ମାଳମାଳ କେନ୍ଦ୍ରମନ୍ତ୍ରୀ ଅଶୋକ ପାଣିଗ୍ରାହୀଙ୍କ ପାଇଁ ଭୋଟ ମାଗିବେ ।ଆଉ ଏହାର ମଙ୍ଗ ଧରିବେ ଧର୍ମେନ୍ଦ୍ର । ନବୀନଙ୍କ ଭଳି ଧର୍ମେନ୍ଦ୍ର ମଧ୍ୟ ୧୯ରୁ ୨୧ ପର୍ଯ୍ୟନ୍ତ ବିଜେପୁରରେ ରହି ମାରାଥନ ପ୍ରଚାର କରିବେ ବୋଲି ବିଜେପି ସୁତ୍ରରୁ ଜଣାପଡିଛି । ଆସନ୍ତା ୧୯ ତାରିଖରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ପ୍ରଚାର କରିବାକୁ ଆସିବେ । ସେହିଭଳି ନବୀନଙ୍କ ପ୍ରଚାର ସୋ ଫିକା କରିବାକୁ ବିଜେପି ଯେଉଁ ରଣନୀତି ରଚିଛି ସେଥିରେ ମୁଖ୍ୟ ଭୂମିକାରେ ନଜର ଆସିବେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ମୋଦି ସରକାରରେ ବୟନ ଶିଳ୍ପ ମନ୍ତ୍ରୀ ଥିବା ସ୍ମୃତି ଇରାନୀକୁ ବିଜେପୁର ମୈଦାନକୁ ଓହ୍ଲାଇବାର ମୁଖ୍ୟ କାରଣ ହେଉଛି ବିଜେପୁରର ଅଧିକାଂଶ ଭୋଟର ବୁଣାକାର । ତେଣୁ ବୟନଶିଳ୍ପ ମନ୍ତ୍ରୀଙ୍କୁ ସାମ୍ନାକୁ ଆଣି ଭୋଟ ହାତେଇବାକୁ ଲକ୍ଷ୍ୟ ରଖିଛି ବିଜେପି । ଆସନ୍ତା ୨୦ ତାରିଖରେ ସ୍ମୃତି ଇରାନି ବିଜେପୁର ଆସିବାର କାର୍ଯ୍ୟକ୍ରମ ରହିଛି । ଏସବୁ ଭିତରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ମଧ୍ୟ ବିଜେପୁରରେ ଗେରୁଆ ବାନା ଉଡାଇବାକୁ କମର କସି ସାରିଲେଣି ।

bijepur-1ବିଜେଡି-ବିଜେପିର ଏଭଳି ହାଇଭୋଲଟେଜ ପ୍ରଚାରରେ ଏଣକି ଉଠିବ ପଡିବ ବିଜେପୁର । ୧୯ରୁ ୨୧ ପର୍ଯ୍ୟନ୍ତ ଜିନ୍ଦାବାଦ ଧ୍ୱନିରେ ପ୍ରକମ୍ପିତ ହେବ ବିଜେପୁର । ତେବେ ସବୁଠାରୁ ବଡ କଥା ହେଲା ଉଭୟ ଦଳ ପକ୍ଷରୁ ହେବାକୁ ଥିବା ହାଇଭୋଲଟେଜ ପ୍ରଚାର ଭୋଟରଙ୍କ ଉପରେ ପ୍ରଭାବ ପକାଇବାରେ ସକ୍ଷମ ହେବ କି ? ନାଁ ବିନା ତାରକାରେ ପ୍ରଚାର କରୁଥିବା କଂଗ୍ରେସ ଏହାର ଫାଇଦା ନେବ । ଏଭଳି ଅସମାହିତ ପ୍ରଶ୍ନର ଉତ୍ତର ଆସନ୍ତା ୨୮ ତାରିଖରେ ଜଣାପଡିବ ।