ବୈଜୟନ୍ତଙ୍କ ଇସ୍ତଫାପତ୍ର ଗ୍ରହଣ କରିବାକୁ ଲୋକସଭା ବାଚସ୍ପତିଙ୍କୁ ଭର୍ତ୍ତୃହରିଙ୍କ ଚିଠି । ସେପଟେ ଟ୍ୱିଟ୍ କରି ବୈଜୟନ୍ତ କହିଲେ, ଆତ୍ମସମ୍ମାନ ରଖୁ ବିଜେଡି ।

60

କନକ ବ୍ୟୁରୋ : ବିଜେଡି ଓ ବୈଜୟନ୍ତ ବିବାଦ ମଧ୍ୟରେ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କୁ ଚିଠି ଲେଖିଛନ୍ତି ବିଜେଡି ସଂସଦୀୟ ଦଳର ନେତା ଭର୍ତ୍ତୃହରି ମହତାବ । ଯେଉଁଥିରେ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଇସ୍ତଫା ଗ୍ରହଣ କରିବାକୁ ଅନୁରୋଧ କରାଯାଇଛି । ବାଚସ୍ପତିଙ୍କୁ ଲେଖିଥିବା ଚିଠିରେ ଭର୍ତୃହରି ଲେଖିିଛନ୍ତି, ଦୀର୍ଘଦିନ ଧରି ବୈଜୟନ୍ତ ଦଳବିରୋଧୀ କାମରେ ଲିପ୍ତ ଥିଲେ । ତେଣୁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିଲା । ବୈଜୟନ୍ତ, ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ମଧ୍ୟ ଦେଇସାରିଛନ୍ତି । ତେଣୁ ସାଂସଦ ଭାବରେ ରହିବାର ତାଙ୍କ କୌଣସି ଅଧିକାର ନାହିଁ । ତେଣୁ ବୈଜୟନ୍ତଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରାଯାଉ ।

ବୈଜୟନ୍ତଙ୍କୁ ଦଳ ନିଲମ୍ବନ କରିବା ଏବଂ ସେ ବିଜେଡିରୁ ଇସ୍ତଫା ଦେବା ପରେ ବି ବିଜେଡି ଓ ବୈଜୟନ୍ତଙ୍କୁ ନେଇ ବିବାଦ ଥମିବାର ନାଁ ନେଉନି । ବୈଜୟନ୍ତ ସାଂସଦ ପଦରୁ ଇସ୍ତଫା ଦେଇଥିଲେ ବି ବାଚସ୍ପତି ତାଙ୍କର ଇସ୍ତଫା ପତ୍ର ଏଯାଏଁ ଗ୍ରହଣ କରିନାହାଁନ୍ତି । ଫଳରେ ସଂସଦୀୟ ଦଳର ନେତା ବୈଜୟନ୍ତଙ୍କ ଇସ୍ତଫା ପତ୍ର ଗ୍ରହଣ କରିବା ପାଇଁ ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି ।

ଭର୍ତୃହରିଙ୍କ ଚିଠି ପରେ ଟୁଇଟ୍ କରି ବୈଜୟନ୍ତ ପଣ୍ଡା ଲେଖିଛନ୍ତି ତାଙ୍କର ସ୍ୱାଭିମାନ ଅଛି ତେଣୁ ସେ ଇସ୍ତଫା ଦେଇ ସାରିଛନ୍ତି । ଦଳ ତରଫରୁ ତାଙ୍କୁ ସାଂସଦ ପଦରୁ ହଟାଇବା ପାଇଁ କୌଣସି ପକ୍ରିୟା ଆରମ୍ଭ କରିବାର ଆବଶ୍ୟକତା ନାହିଁ । ପ୍ରଶ୍ନ ଉଠୁଛି, ସଂସଦୀୟ ଦଳ ନେତା ଭର୍ତୃହରିଙ୍କ ଚିଠି, ବୈଜୟନ୍ତଙ୍କ ଇସ୍ତଫା ଗ୍ରହଣ ପାଇଁ ବାଚସ୍ପତିଙ୍କ ଉପରେ ଚାପ ସୃଷ୍ଟି କରିବ କି ? ଏବେ ବାଚସ୍ପତି, ବୈଜୟନ୍ତଙ୍କ ଇସ୍ତଫାପତ୍ର ଗ୍ରହଣ କରିବେ ନା ଆଗାମୀ ନିର୍ବାଚନ ଯାଏଁ ତାଙ୍କ ସଦସ୍ୟ ପଦ କାଏମ ରହିବ, ଏବେ ତାଉପରେ ରହିଛି ସମସ୍ତଙ୍କ ନଜର ।