ଭଦ୍ରକ ବିଜେଡିର ଅପ୍ରତିଦ୍ବନ୍ଦ୍ବୀ ଅର୍ଜୁନ ଏବେ ଅଲୋଡ଼ା ! ଦଳରୁ ଟିକେଟ ମିଳିଲାନି, ପୁଅ କଥା ବି ବିଚାର କଲେନି

371

କନକ ବ୍ୟୁରୋ: ଭଦ୍ରକ ବିଜେଡିର ଅପ୍ରତିଦ୍ବନ୍ଦ୍ବୀ ଅର୍ଜୁନ ଏବେ ଅଲୋଡ଼ା। ଭଦ୍ରକକୁ ଅଣକଂଗ୍ରେସ ଗଡ଼ରେ ପରିଣତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବରିଷ୍ଠ ନେତା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଅର୍ଜୁନ ସେଠୀଙ୍କୁ ଭଦ୍ରକ ଲୋକସଭା କ୍ଷେତ୍ରରୁ ଏଥର ଦଳରୁ ଟିକେଟ ମିଳିନାହିଁ। ଏପରିକି ଟିକେଟ ପାଇଁ ଆଶାୟୀ ଥିବା ତାଙ୍କ ପୁଅ ଯୁବନେତା ଅଭିମନ୍ୟୁ ସେଠୀଙ୍କୁ ମଧ୍ୟ ଦଳ ବିଚାରକୁ ନେଇନାହିଁ। ବାପପୁଅଙ୍କୁ ଶେଷରେ ନିରାଶ କରାଯିବା ଘଟଣା ଭଦ୍ରକ ଜିଲ୍ଲା ବିଜେଡି ରାଜନୀତିରେ କମ୍ପନ ସୃଷ୍ଟି କରିଛି। ଭଦ୍ରକରୁ ୮ଥର ସାଂସଦ ଓ ଥରେ ବିଧାୟକ ହୋଇଥିବା ଅର୍ଜୁନଙ୍କୁ ବିଜେଡି ଟିକେଟରୁ ଅନ୍ତର କରାଯିବା ପରେ ବିଜେଡି ରାଜନୀତିରେ ଅର୍ଜୁନ ଯୁଗର ଅବସାନ ଘଟିଛି। ଅର୍ଜୁନଙ୍କ ସ୍ଥାନରେ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ପତ୍ନୀ ମଂଜୁଲତା ମଣ୍ଡଳଙ୍କୁ ଭଦ୍ରକ ଲୋକସଭା ପାଇଁ ପ୍ରାର୍ଥୀ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ବୁଧବାର ରାତି ଓ ଗତକାଲି ଦିନତମାମ ଅର୍ଜୁନଙ୍କ ଭଦ୍ରକସ୍ଥିତ ଘରେ ହଜାର ହଜାର ବିଜେଡି କର୍ମୀ ତାଙ୍କୁ ଦେଖା କରିବା ସହ ଦଳ କାହିଁକି ଏଭଳି ନିଷ୍ପତ୍ତି ନେଲା ବୋଲି ପ୍ରଶ୍ନ କରିଥିଲେ। କିଛି ଅର୍ଜୁନ ସମର୍ଥକ ମଧ୍ୟ ତାଙ୍କୁ ଦଳ ଛାଡି ଦେବାକୁ ପ୍ରବର୍ତ୍ତାଉଥିବା ଦେଖିବାକୁ ମିଳିଥିଲା। ତେବେ ଏଯାଏ ସେ ସେମିତି କିଛି ନିଷ୍ପତ୍ତି ନେଇ ନାହାନ୍ତି। ତେବେ, ଜିଲ୍ଲା ସଭାପତି ଥିବା ସାଂସଦ ଅର୍ଜୁନଙ୍କୁ ଏଭଳି ଭାବେ ଟିକଟରୁ ବଞ୍ଚିତ କରାଯିବା ଘଟଣାକୁ ସହ୍ୟ କରିପାରୁ ନାହାନ୍ତି ଦଳର ପୁରୁଖା ନେତା ଓ କର୍ମୀ। ସାରା ଜିଲ୍ଲାରେ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଗତକାଲି ପୁଣି ଅର୍ଜୁନଙ୍କୁ ନବୀନ ନିବାସ ଡକାଯାଇଛି ।ଏଭଳି ଭାବେ ଟିକଟ କଟାଯିବା ଘଟଣାକୁ ନେଇ ସେ ନିଜେ ମଧ୍ୟ ବେଶ୍ କ୍ଷୁବ୍ଧ ଥିବାବେଳେ ଠିକଣା ବେଳେ ଠିକଣା ନିଷ୍ପତ୍ତି ନେବେ ବୋଲି କହିଛନ୍ତି। ରାଜନୀତି କରୁଥିଲି,ଟିକଟ ନମିଳିଲା ନାହିଁ। ଏବେ ପୁଣି ରାଜନୀତି କରିବି ବୋଲି ଅର୍ଜୁନ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

ଅର୍ଜୁନ ୮ଥର ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇଥିବା ବେଳେ ଥରେ ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀରୁ ବିଧାୟକ ଜିତିଥିଲେ। ୧୯୯୮ରୁ ୨୦୦୪ କେନ୍ଦ୍ରରେ ଅଟଳ ବିହାରୀ ବାଜପାୟୀଙ୍କ ନେତୃତ୍ବାଧୀନ ମନ୍ତ୍ରିମଣ୍ଡଳରେ ଜଳସଂପଦ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗର କ୍ୟାବିନେଟ୍ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ। ଭଦ୍ରକ ପାଇଁ ସେ ସମୟରେ ସେ ସାଳନ୍ଦୀ ସଂସ୍କାର ଯୋଜନାରେ ୧୦୦ କୋଟି ଟଙ୍କାର ଅନୁଦାନ ଆଣିଥିଲେ। ଏହାଥିଲା ତାଙ୍କର ଭଦ୍ରକ ପ୍ରତି ବଡ଼ ଅବଦାନ। ସାଳନ୍ଦୀ ନଦୀ ଉପରେ ଯେଉଁସବୁ ସେତୁ ନିର୍ମାଣ କରାଯାଇଛି, ସେସବୁ ଅର୍ଜୁନଙ୍କର ଜଳସଂପଦ ମନ୍ତ୍ରୀତ୍ବ କାଳରେ ନିର୍ମାଣ ହୋଇଥିଲା। ୧୯୭୧ରେ ସେ ପ୍ରଥମେ କଂଗ୍ରେସ ଦଳରୁ ସାଂସଦ ଭାବେ ନିର୍ବାଚିତ ହୋଇ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ୧୯୭୭ରେ ଲୋକସଭା ପ୍ରାର୍ଥୀ ଭାବେ ପରାଜିତ ହୋଇଥିଲେ।

୧୯୮୦ରେ ଦ୍ବିତୀୟବାର ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଜନତା ଦଳକୁ ଆସି ୧୯୮୫ରେ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀରୁ ବିଧାନସଭା ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବିତା କରି ପରାଜିତ ହୋଇଥିଲେ। ୧୯୯୦ରୁ ୧୯୯୧ ଜନତା ଦଳରୁ ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୧୯୯୧ରୁ ୯୫ ସେ ପୁଣି ଜନତା ଦଳରୁ ଭଦ୍ରକ ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ୧୯୯୮ରୁ ସେ ଲଗାତାର ବିଜେଡି ଦଳରୁ ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇ ଜଣେ ଅପ୍ରତିଦ୍ବନ୍ଦ୍ବୀ ନେତା ଭାବେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ତେବେ ଆଗାମୀ ନିର୍ବାଚନ ପାଇଁ ଅର୍ଜୁନଙ୍କୁ ଓ ତାଙ୍କ ପୁତ୍ର ଅଭିମନ୍ୟୁଙ୍କୁ ଟିକେଟରୁ ଅନ୍ତର କରାଯିବା ପରେ ବିଜେଡି ରାଜନୀତିରେ ଅର୍ଜୁନ ଯୁଗର ଅବସାନ ହେଲା ବୋଲି ଆଲୋଚନା ହେଉଥିବାବେଳେ ତାଙ୍କର ପରବର୍ତ୍ତୀ ପଦକ୍ଷେପକୁ ସମସ୍ତେ ଅନାଇ ବସିଛନ୍ତି।