ଆଉ ଜଣେ ବଦନାମ୍ ବାବାଙ୍କ କାହାଣୀ : ଫୋନ୍ କରି ସଂପର୍କ ରଖିବାକୁ କରୁଥିଲେ ବାଧ୍ୟ, ନହେଲେ ତନ୍ତ୍ରବିଦ୍ୟାରେ ମାରି ଦେବାକୁ ଯୁବତୀଙ୍କୁ ଦେଉଥିଲେ ଧମକ

241

କନକ ବ୍ୟୁରୋ : ପୁଣି ବାବାଙ୍କୁ ନେଇ ବିବାଦ । ସୁର ଓ ସାରଥୀ ଭଳି ଭଣ୍ଡ ବାବାଙ୍କୁ ନେଇ ବହୁ ବାଦ ବିବାଦ ପରେ ସାମ୍ନାକୁ ଆସିଛି ଆଉ ଜଣେ ବାବାଙ୍କ ବିରୋଧରେ ଅଭିଯୋଗ । ଜଣେ ଯୁବତୀ ଏନେଇ କନକ ନ୍ୟୁଜକୁ ଚିଠି ଲେଖି ଅଭିଯୋଗ ଜଣାଇଛନ୍ତି । ନିଜକୁ ତ୍ରିକାଳଦର୍ଶୀ ଜ୍ୟୋତିଷ ବୋଲାଉଥିବା ଗଂଜାମ ଜିଲ୍ଲାର ଜଣେ ବାବା, ଯୁବତୀଙ୍କ ହାତ ଦେଖି ଡେଉଁରିଆ ଦେବା ବାହାନାରେ ଅସଦାଚରଣ କରିଥିବା ଯୁବତୀ ଚିଠିରେ ଲେଖିଛନ୍ତି । ଏପରିକି ବାବା ତାଙ୍କ ଅଶ୍ଳୀଳ ଫଟୋ ଉଠାଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିବା ଯୁବତୀ ଅଭିଯୋଗ କରିଛନ୍ତି । ସେପଟେ ବାବା ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

କନକ ନ୍ୟୁଜ୍କୁ ଆସିଥିବା ଏହି ଚିଠିରେ ରହିଛି ଜଣେ ବାବାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ । ଯୁବତୀ ଲେଖିଛନ୍ତି ମୁଁ ଯୁକ୍ତ ଦୁଇ ପରୀକ୍ଷା ଦେବା ପରେ କ୍ୟାରିୟର ନେଇ ଜ୍ୟୋତିଷଙ୍କ ପାଖକୁ ଯାଇଥିଲି । ସେ ମୋତେ ଗୋଟିଏ କୁପନ ଦେଇ କ୍ରମ ଅନୁସାରେ ଆସିବାକୁ କହିଲେ । ସକାଳ ୭ଟାରୁ ଦିନ ୩ଟାରେ ମୋ ନମ୍ବର ଆସିଲା । ସେ ମୋ ହାତ ଦେଖି ଡେଉଁରିଆ ଦେବାକୁ ଘର ଉପରକୁ ଡାକିଲେ । ଉପର ଘରେ ହାଡ, କାତି, ଖଣ୍ଡା ସହ ମହିଳା ଓ ଯୁବତୀଙ୍କ ପୋଷାକ ପଡିଥିଲା । ସେ କହିଲେ, ଯଦି ମୋ କଥାରେ ରାଜି ନହେବ ତେବେ ତମ ଫ୍ୟାମିିଲିକୁ ତନ୍ତ୍ର କରି ମାରିଦେବି । ବାବା ମୋତେ ପାଦୁକା ପିଇବାକୁ ଦେଲେ ଆଉ ତାହା ପିଇବା ପରେ ମୁଁ ଅଚେତ ହୋଇଗଲି । ଚେତା ଫେରିବା ପରେ ମୋ ଦେହରେ ଡ୍ରେସ ନଥିଲା । ଏକଥା ବାହାରେ କହିଲେ ଜୀବନରେ ମାରିଦେବାକୁ ସେ ମୋତେ ଧମକ ଦେଲେ । ଏବେ ମୁଁ ୫ ମାସର ଗର୍ଭବତୀ ।

ଏହାହସହ ଯୁବତୀ ଅଭିଯୋଗ କରିଛନ୍ତି ବାବା ତାଙ୍କର ଅଶ୍ଳୀଳ ଫୋଟ ଉଠାଇ ବ୍ଲାକମେଲ୍ କରୁଛନ୍ତି । ବାରମ୍ବାର ଶାରୀରିକ ସମ୍ପର୍କ ରଖିବାକୁ ଫୋନ୍ କରି ବାଧ୍ୟ କରୁଛନ୍ତି । ଆଉ ଯଦି ସେ ତାହା ନକଲେ ତେବେ ଘର ଲୋକଙ୍କୁ ତନ୍ତ୍ର କରି ମାରିଦେବେ ବୋଲି ଧମକ ଦେଉଛନ୍ତି ।

ବାବା ଦିଲ୍ଲୀପ ତ୍ରିପାଠୀ ଙ୍କ ବୟସ ୪୦ ରୁ ୪୫ ବର୍ଷ ହେବ । ଘର- ଗଂଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଦୟାନିଧିପୁର । ଜ୍ୟୋତିଷଶାସ୍ତ୍ରରେ ପାରଙ୍ଗମ ବାବା ଦିଲ୍ଲୀପ, ଗାଁରେ ବହୁଦିନ ହେଲା ଲୋକଙ୍କ ହାତ ଦେଖନ୍ତି । ଖଡି ପାଂଜି ପକାଇ ଭବିଷ୍ୟତ କହନ୍ତି । ଆଉ ସମସ୍ୟାର ସମାଧାନ ପାଇଁ ଡେଉଁରିଆ ଦିଅନ୍ତି । ଏଥିପାଇଁ ଦୂର ଦୂରରୁ ବହୁ ସଂଖ୍ୟାରେ ଲୋକ ବାବାଙ୍କ ଘର ଆଗରେ ଲମ୍ବା ଲାଇନ୍ ଲଗାନ୍ତି । ବାବାଙ୍କୁ ଦେଖା କରିବା ପାଇଁ ଟିକେଟ୍ କରିବାକୁ ପଡେ । ଆଉ ତାସହ ଘଂଟା ଘଂଟା ଧରି ଅପେକ୍ଷା । ବାବା କୁଆଡେ ତନ୍ତ୍ରମନ୍ତ୍ର ଜାଣନ୍ତି । ସେଥିପାଇଁ ଭୟରେ ବାବାଙ୍କୁ ସମସ୍ତେ ମାନନ୍ତି । କେହି ବି ବାବାଙ୍କ ବିରୋଧରେ ମୁହଁ ଖୋଲନ୍ତି ନାହିଁ । ସାରଥୀ ଓ ସୁର ଭଳି ଭଣ୍ଡ ବାବାଙ୍କୁ ପୋଲିସ ବାନ୍ଧିବା ପରେ ରାଜ୍ୟରେ ତଥାକଥିତ ବାବା ବନ୍ଦ କରିଦେଇଥିଲେ ସେମାନଙ୍କ ବେପାର । ବାବା ଦିଲ୍ଲୀପ ତ୍ରିପାଠୀ ବି ହାତ ଦେଖା ବନ୍ଦ କରିଦେଇଥିଲେ । ହେଲେ ସ୍ଥାନୀୟ ଅଂଚଳରେ ବାବାଙ୍କ କାଟତି ଯୋଗୁଁ ପୁଣି ଖୋଲିଥିଲା ବାବାଙ୍କ ଆଶ୍ରମ ।

ଯୁବତୀ ଚିଠି ଲେଖି ଏଭଳି ଅଭିଯୋଗ ପରେ ବାବାଙ୍କ ପାଖରେ ପହଁଚିଥିଲା କନକ ନ୍ୟୁଜ୍ । ତେବେ ବାବା କହିଛନ୍ତି, ସେ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ । ଗାଁରେ ଗୋଷ୍ଠୀ କନ୍ଦଳ ଯୋଗୁଁ ତାଙ୍କ ବିରୋଧରେ ମିଥ୍ୟା ଅଭିଯୋଗ କରାଯାଉଛି । ସେପଟେ ଯୁବତୀ ଜଣକ ବର୍ତ୍ତମାନ ବଦନାମ ଭୟରେ ବାହାରକୁ ଆସୁନାହାଁନ୍ତି । ତେବେ ଯଦି ଯୁବତୀଙ୍କ ଅଭିଯୋଗ ସତ ତେବେ ଏହି ଘଟଣାର ତଦନ୍ତ ଜରୁରୀ ହୋଇପଡିଛି । ଏବଂ ସାରଥୀ ଓ ସୁର ଭଳି ଭଣ୍ଡ ବାବାଙ୍କ ସହ ଯାହା ଘଟିଲା ସେଭଳି କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ।