ବ୍ଲାକପାଗୋଡ଼ାକୁ ଶ୍ରୀହୀନ କରିବାକୁ ଷଡଯନ୍ତ୍ର । କାଢ଼ି ନେଲେ କୋଣାର୍କ କାରୁକାର୍ଯ୍ୟ

କାରୁକାର୍ଯ୍ୟପୂର୍ଣ୍ଣ ମୂର୍ତି ବଦଳରେ ଲାଗିଛି ସାଧା ପଥର ।

139

କନକ ବ୍ୟୁରୋ: ବ୍ଲାକପାଗୋଡ଼ାରୁ ହଜି ଯାଇଛି ୧୨ଶହ ବଢେଇଙ୍କ କାରୁକାର୍ଯ୍ୟ । ଲହୁକୁ ପାଣି କରି ନିହାଣ ମୁନରେ ତିଆରି କରିଥିବା ମୂର୍ତି ବା ବିଗ୍ରହ ସ୍ଥାନରେ ଲାଗିଛି ସାଧା ପଥର । ବିଶ୍ୱ ଐତିହ୍ୟ ଏହି ମନ୍ଦିରର ମରାମତି ଆଳରେ ଶ୍ରୀହୀନ କରିବାକୁ ଷଡଯନ୍ତ୍ର କରାଯାଉଥିବା ଅଭିଯୋଗ ହୋଇଛି । ଜଣେ ଅଣଓଡିଆ ଏଏସ୍ଆଇ ଅଧିକାରୀଙ୍କ ହାତରେ କୋଣାର୍କ ମନ୍ଦିରର ଭାଗ୍ୟ ରହିଥିବାରୁ ଦିନକୁ ଦିନ ଶ୍ରୀହୀନ ହୋଇଯାଉଥିବା କହିଛି କୋଣାର୍କ ଆଂଚଳିକ ବିକାଶ ପରିଷଦ ।

 

କୋଣାର୍କ ମନ୍ଦିର ବିରୋଧରେ ବଡ ଷଡଯନ୍ତ୍ର ହେଉଥିବା ଅଭିଯୋଗ । ସର୍ବପୁରାତନ କୀର୍ତିରାଜିରେ ଭରପୁର ବିଶ୍ୱଐତିହ୍ୟ କୋଣାର୍କରୁ ହଜିଯାଇଛି ୧୨ଶହ ବଢେଇଙ୍କ ସୁକ୍ଷ୍ମ କାରୁକାର୍ଯ୍ୟ । କାରୁକାର୍ଯ୍ୟପୂର୍ଣ୍ଣ ମୂର୍ତି ବଦଳରେ ଲାଗିଛି ସାଧା ପଥର । କୋଣାର୍କ ମନ୍ଦିରରେ ଶୋଭା ପାଉଥିବା ବିଭିନ୍ନ ବିଗ୍ରହ ହଟାଯାଇ ସେହି ସ୍ଥାନରେ ସାଧା ପଥର ସବୁ ଲାଗିଛି । ମରାମତି ନାଁରେ କାରୁକାର୍ଯ୍ୟପୂର୍ଣ୍ଣ ମୂର୍ତି ସବୁ ହଟାଯିବା ପରେ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।

ସୂର୍ଯ୍ୟ ମନ୍ଦିରକୁ ଲୁହା ରଡ୍ ଭାରାରେ ଘୋଡେଇ ରଖି ବର୍ଷ ବର୍ଷ ଧରି ଚାଲିଛି ମରାମତି କାର୍ଯ୍ୟ । ବିଶ୍ୱ ଦରବାରରେ କଳା କାରୁକାର୍ଯ୍ୟ ପାଇଁ ସ୍ୱତନ୍ତ୍ର ପ୍ରତିଷ୍ଠା ଲାଭ କରିଥିବା କୋଣାର୍କ ସୂର୍ଯ୍ୟମନ୍ଦିରକୁ ବରବାଦ କରିଦେବା ପାଇଁ ଷଡଯନ୍ତ୍ର ହେଉଥିବା ଅଭିଯୋଗ ହେଉଛି । ଆଜିର ସ୍ଥିତିକୁ ଅନୁଧ୍ୟାନ କଲେ ଅନୁମାନ କରାଯାଇପାରେ, ବିଶ୍ୱ ଐତିହ୍ୟ ସ୍ଥଳୀ ଯେକୌଣସି ମୂହୁର୍ତରେ କେବଳ ପଥରସ୍ତୁପରେ ପରିଣତ ହୋଇଯାଇ ପାରେ । ଗୋଟିଏ କି ଦୁଇଟି ନୁହେଁ, ମୁଖଶାଳାର ପ୍ରାୟ ୪୦ ପ୍ରତିଶତ କାରୁକାର୍ଯ୍ୟ ହଜି ଯାଇ ତା ସ୍ଥାନରେ ଲାଗିଛି ସାଧା ପଥର ଖଣ୍ଡ ।

ତେବେ ମନ୍ଦିରର ମରାମତି ପାଇଁ କାରୁକାର୍ଯ୍ୟ ପୂର୍ଣ୍ଣ ମୂର୍ତ୍ତି ହଟାଇବା ଜରୁରୀ ଥିଲା କି? ଯଦି ହଟିଲା ସେ ସବୁ ମୂର୍ତ୍ତି ଗଲା କୁଆଡେ? ଏମିତି ଅନେକ ପ୍ରଶ୍ନ ଏବେ ସାଧାରଣ ଲୋକଙ୍କ ମନରେ ଉଙ୍କି ମାରୁଛି ।