୩୦ ହଜାର ଭୋଟରେ ହାରିବେ ବିଜେଡି ପ୍ରାର୍ଥୀ ! ବିଜେପୁରକୁ ନେଇ ଅଙ୍କ କଷିଲେ ବିଜେପି ପ୍ରାର୍ଥୀ

27

କନକ ବ୍ୟୁରୋ : ବିଜେପୁରରେ ମାତ ଖାଇବ ବିଜେଡି । ଉପନିର୍ବାଚନରେ ବିଜେପୁରବାସୀ ନବୀନଙ୍କୁ ପ୍ରତ୍ୟାଖାନ କରିବେ । ପ୍ରାୟ ୩୦ ହଜାର ଭୋଟ ବ୍ୟବଧାନରେ ହାରିବ ବିଜେଡି । ସରକାରଙ୍କ ଅର୍ଥବଳ, ବାହୁବଳ କିଛି କାମ କରିବନି । ମୋଦି ହାୱାରେ ସବୁ କିଛି ଫିକା ପଡିଯିବ । କଂଗ୍ରେସ ଗଡରେ ଉଡିବ ପଦ୍ମ ପତାକା । ବିଜେପୁରକୁ ନେଇ ବିଜେଡି ଯେଉଁ ଆଶା ବାନ୍ଧିଛି ତାହା ପାଣି ଫୋଟକା ପରି ମିଳେଇଯିବ । କିଛି ଏଭଳି ଅନ୍ଦାଜରେ ଆଜି ଦୃଢୋକ୍ତି ପ୍ରକାଶ କରିଛନ୍ତି ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ । ବିଜେପୁରକୁ ନେଇ ସେ କଷିଥିବା ଅଙ୍କର ଫଳାଫଳ କିଛି ଏମିତି ହେବ ବୋଲି ଆଶା କରିଛନ୍ତି ଅଶୋକ ।

bijepurଆଜି ଏକ ବିଶାଳ ଶୋଭାଯାତ୍ରାରେ ଆସି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ । ବିଜେପୁରରେ ବିଜେପିର ବିଜୟକୁ ନେଇ ଶତପ୍ରତିଶତ ଆଶାବାଦୀ ଅଛନ୍ତି ଅଶୋକ । କାରଣ ନାମାଙ୍କନ ପତ୍ର ଦାଖଲ ସମୟରେ ତାଙ୍କ ସହ ହଜାର ହଜାର କର୍ମୀ ସାମିଲ ହୋଇଥିବାରୁ ଏଭଳି ଅନ୍ଦାଜ ଲଗାଇଛନ୍ତି ଅଶୋକ । ତେବେ ଅଶୋକଙ୍କ କହିବା ଅନୁଯାୟୀ ବିଜେପୁରରେ ପ୍ରାୟ ୩୦ ହଜାର ଭୋଟରେ ବିଜେପିର ବିଜୟ ହେବ । ତେବେ ଅଶୋକଙ୍କର ଏଭଳି ବୟାନ ପଛରେ କେଉଁ ରଣନୀତି କାମ କରୁଛି । କାରଣ ପୂର୍ବରୁ ବିଜେପୁର ପାଇଁ ବିଜେପି ଏକ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି । ଏପରିକି ବିଜେପୁର ଆସନ ହାତେଇବା ପାଇଁ ବିଜେପି ବହୁ ଦିନ ପୂର୍ବରୁ କସରତ ଆରମ୍ଭ କରିଛି । ବିଜେପିର କେନ୍ଦ୍ରୀୟ ନେତା, ରାଜ୍ୟ ସଭାପତି, ବରିଷ୍ଠ ନେତା ଯେତେବେଳେ ଦଳର ସଂଗଠନ ମଜବୁତ କରିବା ପାଇଁ ଚେଷ୍ଟା ଚଳାଇଛନ୍ତି ସେହି ସମୟରେ ଅଶୋକଙ୍କ ଏହି ବୟାନ ବିଜେପି ପାଇଁ ଅନେକ ମହତ୍ତ୍ୱ ରଖୁଛି ।

BIJEPURତେବେ ପ୍ରଶ୍ନ ଉଠୁଛି କେଉଁ ଆଧାରରେ ଅଶୋକ ୩୦ ହଜାର ଭୋଟରେ ବିଜେଡିକୁ ମାତ ଦେବା କଥା କହୁଛନ୍ତି ? କାରଣ ବିଜେପୁର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ କରିଥିବା ରୀତା ସାହୁ ଅନୁକମ୍ପାମୂଳକ ଭୋଟ ହାତେଇବାରେ ସକ୍ଷମ ହେବେ ନିଶ୍ଚୟ । ତେବେ ସ୍ୱାମୀ ତଥା କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ମୃତ୍ୟୁ ପରେ ରୀତା ସାହୁ ବିଜେଡିର ହାତ ଧରିଥିବାରୁ ଅନୁକମ୍ପାମୂଳକ ଭୋଟରେ କିଛି ମାତ୍ରାରେ ବ୍ରେକ ଲାଗିପାରେ । ଯାହାର ଫାଇଦା ବିଜେପିକୁ ମିଳିବ ବୋଲି ଆଶା କରୁଛନ୍ତି ଅଶୋକ । ତେବେ ଏସବୁ ବ୍ୟତୀତ ଅଶୋକଙ୍କ ଦୃଢୋକ୍ତି ଉପରେ ଏଥିପାଇଁ ପ୍ରଶ୍ନ ଉଠୁଛି କାରଣ ପୂର୍ବ ୩ଟି ବିଧାନସଭା ନିର୍ବାଚନରେ ବିଜେପୁର କଂଗ୍ରେସର ଗଡରେ ପରିଣତ ହୋଇଥିଲା । ତେବେ କଂଗ୍ରେସ ଗଡରେ ପଦ୍ମ ଫୁଟାଇବା ଏତେ ସହଜ ହେବନି ଅଶୋକଙ୍କ ପାଇଁ ।

bijepur electionତେବେ ଅଶୋକଙ୍କ ଏଭଳି ଦୃଢୋକ୍ତି ପଛରେ କେଉଁ ଫ୍ୟାକ୍ଟର କାମ କରୁଛି । ଯଦି ଆମେ ଅଶୋକଙ୍କ ନିଜସ୍ୱ ଭୋଟ ଉପରେ ନଜର ପକାଇବା ତେବେ ୨୦୧୪ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଛିଡା ହୋଇ ୧୮ ହଜାରରୁ ଉଦ୍ଧ୍ୱର୍ ଭୋଟ ହାସଲ କରିଥିଲେ ଅଶୋକ । ଯାହା ବିଜେପୁରରେ ତାଙ୍କ ଲୋକପ୍ରିୟତାକୁ ଦର୍ଶାଇଥିଲା ।ଅନ୍ୟୃପଟରେ ଯଦି ପଞ୍ଚାୟତ ନିର୍ବାଚନ ଉପରେ ଦୃଷ୍ଟି ପକାଇବା ତେବେ ବିଜେପୁରରେ ବିଜେପିର ବିଜୟ ଉଡିଥିବାର ଦେଖିବାକୁ ମିଳିଥିଲା । ମୋଟ ୭ଟି ଜୋନରୁ ୬ଟି ଜୋନରେ ବିଜୟୀ ହୋଇ ଦମ ଦେଖାଇଥିଲା ବିଜେପି । ଏହାଛଡା ପଞ୍ଚାୟତ ନିର୍ବାଚନରେ ବିଜେପି ପ୍ରତି ଲୋକଙ୍କ ସମର୍ଥନ ମଧ୍ୟ ଦେଖିବାକୁ ମିଳିଥିଲା । ମୋଟ ୯୨ ହଜାରରୁ ଉଦ୍ଧ୍ୱର୍ ଭୋଟ ହାତେଇବାରେ ସକ୍ଷମ ହୋଇଥିଲା ବିଜେପି । ଯେଉଁ ଫଳାଫଳ ବିଜେପୁର ଉପନିର୍ବାଚନରେ ଦଳ ପାଇଁ ଟ୍ରମ୍ପକାର୍ଡ ସାଜିପାରେ । ହୁଏତ ଏଭଳି କିଛି ଦିଗକୁ ଦୃଷ୍ଟିରେ ରଖି ବିଜେପୁର ପାଇଁ ବ୍ଲୁ ପ୍ରିଣ୍ଟ ରଚନା କରିଛନ୍ତି ଅଶୋକ । ଅଶୋକଙ୍କ ନିଜସ୍ୱ ଭୋଟ ଓ ପଞ୍ଚାୟତ ନିର୍ବାଚନର ଫଳାଫଳକୁ ପୁଞ୍ଜି କରି ବିଜେପୁର ହାତେଇବାକୁ ଲକ୍ଷ୍ୟ ରଖିଛି ବିଜେପି ।