ସମଲିଙ୍ଗୀ ସପକ୍ଷରେ ସୁପ୍ରିମକୋର୍ଟଙ୍କ ମତ : ଖଣ୍ଡପୀଠ କହିଲେ ଦୁଇଜଣ ପ୍ରାପ୍ତ ବୟସ୍କ ନିଜ ଇଛା ଅନୁସାରେ ରଖିପାରିବେ ଯୌନ ସମ୍ପର୍କ

40

କନକ ବ୍ୟୁରୋ : ଭାରତୀୟ ଦଣ୍ଡ ସଂହିତା ବା ଆଇପିସି ଧାରା ୩୭୭ ଅନୁଯାୟୀ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ବିବେଚନା କରାଯିବ କି ନାହିଁ ସେ ନେଇ ସୁପ୍ରିମକୋର୍ଟ ହିଁ ଚୂଡାନ୍ତ ନିଷ୍ପତି ନେବେ । କେନ୍ଦ୍ର ସରକାର ଏ ସଂକ୍ରାନ୍ତରେ ନିଜ ପକ୍ଷରୁ କୌଣସି ଯୁକ୍ତି ଉପସ୍ଥାପନ ନକରି ଶେଷରେ ସୁପ୍ରିମକୋର୍ଟଙ୍କ ଉପରେ ଛାଡି ଦେଇଛନ୍ତି । କହିଛନ୍ତି ୩୭୭ ଧାରାର ସାମ୍ବିଧାନିକ ବୈଧତା ସମ୍ପର୍କରେ ସର୍ବୋଚ୍ଚ ଅଦାଲତ ଯାହା କିଛି ବି ନିଷ୍ପତ୍ତି ନେବେ, ସେଥିରେ ସରକାର କୌଣସି ହସ୍ତକ୍ଷେପ କରିବେ ନାହିଁ କି ଭବିଷ୍ୟତରେ ଏହା ଉପରେ ଆପତ୍ତି ଉଠାଇବେ ନାହିଁ । ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ନେତୃତ୍ୱରେ ଗଠିତ ୫ଜଣିଆ ଖଣ୍ଡପୀଠ ନିଜ ଜ୍ଞାନ ଆଧାରରେ ଯେଉଁ ନିଷ୍ପତି ନେବେ ତାହା ହିଁ ଚୂଡାନ୍ତ ହେବ ।

ଅନ୍ୟପକ୍ଷରେ ସୁପ୍ରିମକୋର୍ଟ କହିଛନ୍ତି ଧାରା ୩୭୭କୁ ଅବୈଧ ଘୋଷଣା କରାଯିବା ଦ୍ୱାରା ଏଲଜିବିଟି ସମ୍ପ୍ରଦାୟ ସୁରୁଖୁରୁରେ ବଂଚିପାରିବେ । ସେହିପରି ଦୁଇଜଣ ସମଲିଙ୍ଗୀ ବ୍ୟକ୍ତି ହାତ ଧରାଧରି ହୋଇ ମୁମ୍ବାଇର ମେରାଇନ୍ ଡ୍ରାଇଭରେ ଚାଲୁଥିବା ସମୟରେ କୌଣସି ପୋଲିସ ସେମାନଙ୍କୁ ଗିରଫ କରୁ ବୋଲି ସର୍ବୋଚ୍ଚ ଅଦାଲତ କଦାପି ଚାହିଁବେ ନାହିଁ । ଏହି ଧାରା ଦ୍ୱାରା ଯେମିତି କୌଣସି ଲୋକଙ୍କୁ କ୍ଷତି ନ ପହଂଚେ ତାହା ଆମେ ଚାହୁଁ ବୋଲି ଖଣ୍ଡପୀଠ ଦର୍ଶାଇଛନ୍ତି । ଖଣ୍ଡପୀଠଙ୍କ କହିବାନୁସାରେ ନିଯୁକ୍ତି ଓ ଅନ୍ୟ ସୁବିଧା ସୁଯୋଗ କ୍ଷେତ୍ରରେ ଏଲଜିବିଟି ସମ୍ପ୍ରଦାୟ ଯେଉଁ ବୈଷମ୍ୟର ଶିକାର ହେଉଛନ୍ତି ତାହା ଧାରା ୩୭୭ର ଉଛେଦ ଦ୍ୱାରା ଆଉ ରହିବ ନାହିଁ । ସମାଜରେ ସେମାନଙ୍କର ଅଧିକାର ବ୍ୟାପକ ହେବ । ସେମାନେ ନିଜ ଜୀବନକୁ ଇଛା ଅନୁସାରେ ଜିଇଁପାରିବେ । ଦୁଇଜଣ ପ୍ରାପ୍ତ ବୟସ୍କ ନିଜ ଇଛା ଅନୁସାରେ ପରସ୍ପର ସହ କୌଣସି ଅପ୍ରାକୃତିକ ଯୌନସମ୍ପର୍କ ରଖିଲେ ବି ସେମାନଙ୍କୁ କୌଣସି ଅପରାଧ ପାଇଁ ମାମଲାର ସମ୍ମୁଖୀନ ହେବାକୁ ପଡିବ ନାହିଁ ।