ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅଙ୍ଗନୱାଡି କର୍ମୀ : ଦରମା ବୃଦ୍ଧିନେଇ ନବୀନଙ୍କୁ ଜଣାଇଲେ ଧନ୍ୟବାଦ

26

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅଙ୍ଗନୱାଡି ଦିଦି । ଦରମା ବୃଦ୍ଧି ଘୋଷଣା କରିଥିବାରୁ ଜଣାଇଲେ ଧନ୍ୟବାଦ । ଆନ୍ଦୋଳନ ପ୍ରତ୍ୟାହାର କରିଥିବା ଅଙ୍ଗନୱାଡି କର୍ମୀମାନେ ଆଜି ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି । ଆଉ ୨ ହଜାର ଟଙ୍କା ଦରମା ବଢାଇ ଥିବାରୁ କୃତଜ୍ଞତା ମଧ୍ୟ ଜଣାଇଛନ୍ତି ।

ଶହେରୁ ଅଧିକ ଅଙ୍ଗନୱାଡି କର୍ମୀ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଦୀର୍ଘ ୩୬ ଦିନ ଧରି ରାଜଧାନୀ ରାଜରାସ୍ତାରେ ଆନ୍ଦୋଳନ ଜାରି ରଖିଥିବା ଅଙ୍ଗନୱାଡି ଦିଦିଙ୍କ ଦରମା ବୃଦ୍ଧି ସଂପର୍କରେ ଗତକାଲି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଅଙ୍ଗନୱାଡି ଦିଦିଙ୍କ ଦରମା ୪ ହଜାରରୁ ୬ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ୨ ହଜାର ଟଙ୍କା ବୃଦ୍ଧିକୁ ନେଇ ଗୋଟିଏ ଗୋଷ୍ଠୀ ସନ୍ତୁଷ୍ଟ ଥିବାବେଳେ ଅନ୍ୟଏକ ଗୋଷ୍ଠୀ ଏହାକୁ ବିରୋଧ କରିଛନ୍ତି ।

କୁହାଯାଉଛି ସରକାରଙ୍କ ଘୋଷଣା ପରେ ବିଜେଡି ସମର୍ଥୀତ ବିଜୁ ଶ୍ରମିକ ସାମୁଖ୍ୟର ଆନ୍ଦୋଳନରୁ ଓହରି ଯାଇଛି । ହେଲେ ବିଜେପି ସମର୍ଥିତ ଭାରତୀୟ ମଜଦୁର ସଂଘ ଆନ୍ଦୋଳନରୁ ଓହରି ନାହିଁ । ଦରମା ୧୦ ହଜାର ଟଙ୍କା ନକରିବା ଯାଏଁ ସେମାନେ ଆନ୍ଦୋଳନ ଜାରି ରଖିବେ ବୋଲି ଜଣାପଡିଛି ।