କଣ କହିଗଲେ ଅମିତ ଶାହ? ଡିଡିଏଲଜେ ଷ୍ଟାଇଲରେ ପ୍ରତିକ୍ରିୟା, ବଡ ବଡ ଦେଶରେ ଏମିତି ଘଟଣା ଘଟେ! ଗୋରଖପୁର ଘଟଣାରେ ଖୋଲିଲା ବିଜେପି ମୁଖା

60

ଗୋରଖପୁରରେ ଘଟିଥିବା ଶିଶୁ ମଡକ ଘଟଣାରେ ପ୍ରଥମ ଥର ପାଇଁ ମୁହଁ ଖୋଲି ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । କହିଛନ୍ତି, ଗୋରଖପୁରରେ ଘଟିଥିବା ଘଟଣା ଏକ ପ୍ରକାରର ଭୁଲ, ଯାହାର ଯାଂଚ ଚାଲିଛି । ଯେଉଁ ପର୍ଯ୍ୟନ୍ତ ଏହାର ଯାଂଚ ସଂପୁର୍ଣ୍ଣ ଭାବେ ସରିନାହିଁ, କାହାକୁ ଦୋଷୀ କହିବା ଠିକ ନୁହେଁ । ଅମିତ ଶାହ କହିଛନ୍ତି, ସରକାରଙ୍କର ଉଦ୍ୟମ ଗରିବ ଲୋକଙ୍କୁ ସାହାଯ୍ୟ କରିବା ।

ତେବେ ଅମିତ ଶାହ କରିଥିବା ସାମ୍ବାଦିକ ସମ୍ମିଳନୀରେ କିଛି ଏମିତି କଥା ଥିଲା, ଯାହା ବିଜେପିର ବାସ୍ତବତାକୁ ସାମ୍ନାକୁ ନେଇଆସିଛି । ଗୋରଖପୁର ଘଟଣାକୁ ଦଳ କେତେ ସମ୍ବେଦନଶୀଳତାର ସହ ନେଉଛି, ତାର ବାସ୍ତବତା ସାମ୍ନାକୁ ଆସିଯାଇଛି । କଂଗ୍ରେସ ପକ୍ଷରୁ ଯୋଗୀ ଆଦିତ୍ୟନାଥଙ୍କ ଇସ୍ତଫା ଦାବି କରାଯାଉଥିବା ବେଳେ, ଏହାକୁ ସଂପୂର୍ଣ୍ଣ ଭାବେ ଖଣ୍ଡନ କରିଛନ୍ତି ଅମିତ ଶାହ । କହିଛନ୍ତି, ଭାରତ ଭଳି ଦେଶରେ ଏଭଳି ଘଟଣା ଘଟିଥାଏ । କଂଗ୍ରେସର କାମ ହେଉଛି ଇସ୍ତଫା ମାଗିବା । ଏତେ ବଡ ଦେଶରେ ବହୁତ କିଛି ଘଟଣା ଘଟିଛି । ପ୍ରଥମଥର ପାଇଁ ଏଭଳି ଘଟଣା ଘଟିନାହିଁ । ଏହି ବୟାନ ଏବେ ବିଜେପିର ଅସଲ ମୁଖା ଖୋଲିଦେଇଛି ।

ପାଳନ ହେବ ଜନ୍ମାଷ୍ଟମୀ

ଅଗଷ୍ଟ ୭ ତାରିଖରୁ ଅକ୍ସିଜେନ ଅଭାବରୁ ବିଆରଡି ମେଡିକାଲ କଲେଜରେ ପାଖାପାଖି ୭୦ ଶିଶୁଙ୍କର ମୃତ୍ୟୁ ହୋଇସାରିଲାଣି । ଜାତୀୟ ମାନବାଧିକାର କମିଶନ ଏହାରି ଭିତରେ ରାଜ୍ୟ ସରକାରଙ୍କୁ ନୋଟିସ୍ କରି ଉତ୍ତର ମାଗିଛି । ଏତେ ବଡ ଘଟଣା ଘଟିଥିବା ବେଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜନ୍ମାଷ୍ଟମୀକୁ ଧୁମଧାମରେ ପାଳନ କରିବାକୁ ଦେଇଥିବା ନିର୍ଦ୍ଦେଶ ପରିପ୍ରେକ୍ଷୀରେ ଅମିତ ଶାହା କହିଛନ୍ତି, ଜନ୍ମାଷ୍ଟମୀ ନିଜ ଜାଗାରେ । ଯେମିତି ସାରା ଦେଶରେ ଜନ୍ମାଷ୍ଟମୀ ଧୁମଧାମରେ ପାଳନ ହେଉଛି, ସେମିତି ୟୁପୁରେ ବି ହେବ । ଏହା ଲୋକଙ୍କର ବିଶ୍ୱାସର କଥା, ସରକାରୀ ଉତ୍ସବ ନୁହେଁ ।

ମୋଦିଙ୍କର ଟ୍ୱିଟ୍ କୁଆଡେ ଗଲା?

ଗୋରଖପୁରର ଏହି ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ମୋଦି ଚୁପ ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କେବଳ ଗୋଟିଏ ଟ୍ୱିଟ୍ କରାଯାଇଛି । ଯେଉଁଥିରେ କୁହାଯାଇଛି, ପ୍ରଧାନମନ୍ତ୍ରୀ ଏହି ଘଟଣା ଉପରେ ନଜର ରଖିଛନ୍ତି । ତେବେ ଏତେ ବଡ ଘଟଣାରେ ମୋଦି ନିଜ ବ୍ୟକ୍ତିଗତ ଟ୍ୱିଟର ଆକାଉଂଟରୁ ùKøଣସି ଟ୍ୱିଟ୍ ନକରିବା ରାଜନୀତିକୁ ସରଗରମ କରିଛି । ସବୁବେଳେ ଟ୍ୱିଟ୍ ମାଧ୍ୟମରେ ନିଜ ମତକୁ ଦେଶ ସାମ୍ନାରେ ରଖୁଥିବା ମୋଦି, କାହିଁକି ଚୁପ ଅଛନ୍ତି ତାହା ବୁଝାପଡୁନି । ବିଜେପି ଶାସିତ ରାଜ୍ୟରେ ଘଟୁଥିବା ଘଟଣା ପ୍ରତି କଣ ମୋଦି ଆଖି ବୁଜିଦେଉଛନ୍ତି କି?

ପୂର୍ବାଂଚଳକୁ ମୋଦି କଣ ଖାଲି ଭୋଟ ନେବେ?

ଜାପାନୀ ଜ୍ୱର ଉତ୍ତରପ୍ରଦେଶର ପୁର୍ବାଂଚଳ ପାଇଁ ଏକ ଅଭିଶାପ । ସ୍ଥାନୀୟ ଖବରକାଗଜରେ ଏହି ପ୍ରସଙ୍ଗ ଛାଇ ରହିଥିବା ବେଳେ ମୁଦ୍ଦା ଦିଲ୍ଲୀ ଯାଏଁ ପହଂଚୁନି । ୩୯ ବର୍ଷରେ ୧୦ ହଜାରରୁ ଅଧିକ ଶିଶୁଙ୍କର ମୃତ୍ୟୁ ଘଟିଥିଲେ ବି ଏଯାଏଁ ଯଥେଷ୍ଟ ପଦକ୍ଷେପ ନିଆନଯିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ଏବେ ନଜର ପକାନ୍ତୁ ମୋଦି ଏହି ଅଂଚଳରୁ କଣ ପାଇଛନ୍ତି । ପୂର୍ବାଂଚଳ ସବୁବେଳେ ବିଜେଡିର ଗଡ ଭାବେ ରହିଆସିଛି । ଲୋକସଭା ଓ ବିଧାନସଭା ନିର୍ବାଚନରେ ବିଜେପିକୁ ସବୁଠାରୁ ଅଧିକ ସିଟ୍ ଏହି ଅଂଚଳରୁ ମିଳିଲା ।

ଆଜମଗଡରୁ ମୁଲାୟମ ସିଂ ଜିତିଥିବା ବେଳେ ବାକି ସମସ୍ତ ସଂସଦୀୟ କ୍ଷେତ୍ରରେ ବିଜେପି ବାନା ଉଡିଥିଲା । ସେହିଭଳି ବିଧାନସଭା ନିର୍ବାଚନରେ ୨୫ ଜିଲ୍ଲାର ୧୪୧ ସିଟରୁ ୧୧୧ଟିରେ ଜିତିଥିଲା ବିଜେପି । ୧୦ଟି ଜିଲ୍ଲା ଏମିତି ଥିଲା ଯେଉଁଠି ଅନ୍ୟ କୌଣସି ଦଳର ଖାତା ବି ଖୋଲିନଥିଲା । ଏହି ଅଂଚଳ ଉପରେ ବିଜେପିର ନଜର ଥିଲା, ଖାସ ଏଥିପାଇଁ ମୋଦିଙ୍କର ଏଠି ସର୍ବାଧିକ ରାଲି ହେବା ସହ ବାରାଣାସୀରେ ମୋଦି ୩ ଦିନ ଧରି ରହିଥିଲେ । ଦୀର୍ଘ ଦିନ ଧରି ଏଠି ଏମ୍ସ ସ୍ଥାପନ ପାଇଁ ପ୍ରସ୍ତାବ ଥିଲେ ମଧ୍ୟ କାର୍ଯ୍ୟକାରୀ ହୋଇନାହିଁ । ବରଂ ଦିନକୁ ଦିନ ଜାପାନିଜ ଏନସେଫାଲାଇଟିସରେ ଶିଶୁମୃତ୍ୟୁ ସଂଖ୍ୟା ବଢିବାରେ ଲାଗୁଛି ।

ନେତା ଚୁପ୍, ମିଡିଆ ଚୁପ୍

ଅମିତ ଶାହଙ୍କ ବିବାଦୀୟ ବୟାନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରସଙ୍ଗରେ ଚୁପ ରହିବା କଣ ଦର୍ଶାଉଛି? ଲାଗୁଛି, ୭୦ ଜଣ ଶିଶୁଙ୍କର ମୃତ୍ୟୁ ଉଭୟ ନେତାଙ୍କ ପାଇଁ ଗୁରୁତ୍ୱ ବହନ କରୁନାହିଁ । ନଚେତ, କୌଣସି ବି ପ୍ରଦେଶରେ କିଛି ବି ଘଟଣା ଘଟିଲେ ବିଜେପି ଯେଉଁଭଳି ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଏ, ହଠାତ ସେହି ପ୍ରସଙ୍ଗରେ ସେମାନେ ଆଜି ନିଜେ ଛନ୍ଦି ହୋଇଯାଇଛନ୍ତି । ଜାତୀୟ ସ୍ତରର ଗଣମାଧ୍ୟମ ମଧ୍ୟ ହଠାତ ଏହି ପ୍ରସଙ୍ଗ ପ୍ରତି ଆଖି ବୁଜିଦେବା ମଧ୍ୟ ନାନା ପ୍ରଶ୍ନବାଚୀ ତିଆରି କରିଛି । ରାହୁଲ ଗାନ୍ଧୀ ବସିଥିବା ଗାଡିରେ ଯଦି ଜୟ ଶ୍ରୀରାମ ଲେଖାଯାଉଛି ତେବେ ଏହା ଜାତୀୟ ସ୍ତରରେ ବିତର୍କ ପାଲଟିଯାଉଛି, ହେଲେ ଅକ୍ସିଜେନ ଅଭାବରୁ ୭୦ ଜଣ ନୀରିହ ଶିଶୁଙ୍କର ଜୀବନ ଯାଉଛି, ସେତେବେଳେ ମିଡିଆ ବନ୍ଦେ ମାତରମ୍ ପ୍ରସଙ୍ଗରେ ଦୌଡିବା ଅନେକ ବିବାଦୀୟ ଦିଗକୁ ସାମ୍ନାକୁ ଆଣିଛି ।

ଓଡିଶାରେ ଆଭିମୁଖ୍ୟ କାହିଁକି ଅଲଗା?

ଅମିତ ଶାହଙ୍କ କଥା ଯଦି ମାନିନେବା, ବଡ ବଡ ଦେଶରେ ଏମିତି ଘଟଣା ଘଟିଥାଏ । ତେବେ ଓଡିଶା ଭଳି ରାଜ୍ୟରେ ବିଜେପି ତାର ଆଭିମୁଖ୍ୟ ବଦଳାଉ । କାରଣ ଗତବର୍ଷ ମାଲକାନଗିରିରେ ଯେତେବେଳେ ଜାପାନୀ ଜ୍ୱରରେ ଶିଶୁ ପ୍ରାଣ ହରାଉଥିଲେ, ସେତେବେଳେ ବିଜେପି ରାଜ୍ୟରେ ହୁଲସ୍ତୁଲ କରିଥିଲା । ମୁଖ୍ୟମନ୍ତ୍ରୀ ଅପାରଗ, ବିଜେଡି ସରକାର ରାଜ୍ୟକୁ ଲଜ୍ଜା, ଇସ୍ତଫା ଦାବି ପ୍ରସଙ୍ଗ ପ୍ରତିଦିନ ଗଣମାଧ୍ୟମରେ ଛାଇ ରହିଥିଲା । ସେତେବେଳେ କେନ୍ଦ୍ରମନ୍ତ୍ରୀ ମାଲକାନଗିରି ଗସ୍ତ କରିବା ନେଇ ରାଜନୀତି ଜୋର ଧରିଥିଲା । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଆସିବାକୁ ନେଇ ମଧ୍ୟ ଟଣାଓଟରା ଚାଲିଥିଲା । ଆଉ ଆଜି ପ୍ରଶ୍ନ ଉଠିବା ସ୍ୱାଭାବିକ ଏହା କଣ ରାଜନୈତିକ ଗୋଟିଚାଳନାର ଅଂଶବିଶେଷ ଥିଲା । ଯଦି ଅମିତ ଶାହ ୟୁପି ସନ୍ଦର୍ଭରେ କହିପାରୁଛନ୍ତି, ବଡ ବଡ ଦେଶରେ ଏଭଳି ଘଟଣା ଘଟେ ତେବେ ଓଡିଶା ଭଳି ରାଜ୍ୟରେ ବିଜେପି ଗର୍ଜୁଛି କାହିଁକି?

ସର୍ବୋପରି, ଉତ୍ତରପ୍ରଦେଶରେ ଯାହା ଘଟିଗଲା, ତାକୁ ଯେତେ ନିନ୍ଦା କଲେ ବି କମ୍ । ହେଲେ ବିଜେପି ନେତାଙ୍କ ଆଭିମୁଖ୍ୟ ଦେଖିଲେ ଆହୁରି ଅପମାନ ଲାଗୁଛି, କାହିଁକି ନା ଏଠି କାହାର ମୃତ୍ୟୁ ବା ଜୀବନହାନୀ ସେତେବେଳେ ଗୁରୁତ୍ୱପୂର୍ଣ୍ଣ, ଯେତେବେଳେ ଏହା ରାଜନୈତିକ ଫାଇଦା ଦେଇଥାଏ । ଆଉ ଅମିତ ଶାହ ମଧ୍ୟ ବେଶ ଭଲଭାବେ ଜାଣିଛନ୍ତି, ଦେଶରେ ରାଜନୈତିକ ଗୋଟିଚାଳନାରେ ସେ ମାହିର । ଗୋଟିଏ ପଟେ ମୁଖ୍ୟ ମିଡିଆରେ ପ୍ରସଙ୍ଗ ଧୀରେ ଧୀରେ ଲୁଚିଯାଉଛି, ହେଲେ ବଡ ପ୍ରଶ୍ନ କିନ୍ତୁ ଛାଡିଯାଉଛି, ବଡ ବଡ ଦେଶରେ ଜନ୍ମ ନେବା କଣ ଭୁଲ୍?