ବୌଦ୍ଧ : ଆଦର୍ଶ ବିଦ୍ୟାଳୟ ତିଆରିରେ ଅନିୟମିତତା, ଛାତ୍ରଛାତ୍ରୀଙ୍କ ପ୍ରବେଶ ପରୀକ୍ଷା ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତିରେ ଦୁର୍ନୀତି ଅଭିଯୋଗ

17

କନକ ବ୍ୟୁରୋ : ସରକାର ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ନିମନ୍ତେ ରାଜ୍ୟର ପ୍ରତିଟି ବ୍ଲକରେ ଗୋଟାଏ ଲେଖାଏଁ ଆଦର୍ଶ ବିଦ୍ୟାଳୟ ଖୋଲିଛନ୍ତି । ଆଉ ତା ସହିତ ଛାତ୍ରଛାତ୍ରୀ ମାନଙ୍କ ରହିବା ନିମନ୍ତେ ହଷ୍ଟେଲ ମଧ୍ୟ ନିର୍ମାଣ କରିଛନ୍ତି । ହେଲେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅଇଁଳାଚୂଆଁ ଠାରେ ନିର୍ମାଣାଧୀନ ଥିବା ହଷ୍ଟେଲଟି ସଂପୂର୍ଣ୍ଣ ହେବାର ନାଁ ଧରୁ ନଥିବାବେଳେ ନିମ୍ନ ମାନର କାର୍ଯ୍ୟ ହେତୁ ଅନେକ ସ୍ଥାନରେ ଦେଖାଦେଇଛି ଫାଟ । ଯାହାଦ୍ୱାରା ଛାତ୍ରଛାତ୍ରୀ ମାନଙ୍କ ଜୀବନ ପ୍ରତି ଦେଖାଦେଇଛି ବିପଦ । ସେପଟେ ଛାତ୍ରଛାତ୍ରୀଙ୍କ ପ୍ରବେଶ ପରୀକ୍ଷାରୁ ଆରମ୍ଭ କରି ଚତୁର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତି ଏବଂ ହଷ୍ଟେଲ୍ ନିର୍ମାଣରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି ।

ଆଦର୍ଶ ବିଦ୍ୟାଳୟ ହଷ୍ଟେଲ ନିର୍ମାଣରେ ଅନିୟମିତତା । ୨୦୧୬ ସୁଦ୍ଧା ବୌଦ୍ଧ କଂଟାମାଳ ବ୍ଲକ ଅଇଁଳାଚୂଆରେ ଥିବା ନିର୍ମାଣଧୀନ ହଷ୍ଟେଲ ନିର୍ମାଣ ସରିବା କଥା । କିନ୍ତୁ ଏଯାଏ କାମ ସରିନଥିବା ବେଳେ ଯେତିକି ନିର୍ମାଣ ହୋଇଛି ସେଥିରେ ଫାଟ ଦେଖାଦେଇଛି । ନିମ୍ନମାନକ କାର୍ଯ୍ୟଯୋଗୁଁ ଅନେକ ସ୍ଥାନରେ ଫାଟ ହେତୁ ଛାତ୍ରଛାତ୍ରୀଙ୍କ ଜୀବନ ପ୍ରତି ବିପଦ ଦେଖାଦେଇଛି । ବିଦ୍ୟାଳୟରେ ମଧ୍ୟ ବିଭିନ୍ନ ସମସ୍ୟା ଦେଖାଦେଇଛି । ବିଦ୍ୟାଳୟ ଭିତରେ ବିଦ୍ୟୁତ୍ ତାର ବିପଦ ସଙ୍କୁୁଳ ଅବସ୍ଥାରେ ଝୁଲୁଛି ।

ପ୍ରବେଶ ପରୀକ୍ଷାରେ ଦୁର୍ନୀତି ଯୋଗୁଁ ଅନେକ ମେଧାବୀ ଛାତ୍ର ଛାତ୍ରୀ ଶିକ୍ଷା ଲାଭରୁ ବଂଚିତ ହୋଇଥିବାବେଳେ ଚତୁର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତିରେ ମଧ୍ୟ ଅନିୟମତା ହୋଇଥିବା ଅଭିଯୋଗ ହୋଇଛି । କିନ୍ତୁ ଏପଟେ ଜିଲ୍ଲା ଶିକ୍ଷାଧିକାରୀ ଛାତ୍ରଛାତ୍ରୀଙ୍କ ପ୍ରବେଶ ପରୀକ୍ଷାରେ ହୋଇଥିବା ଅନିୟମିତତାକୁ ଅସ୍ୱୀକାର କରିବା ସହିତ ଚତୁର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତି ସଂପର୍କରେ କିଛି କହିବା ପାଇଁ ମନାକରିଦେଇଛନ୍ତି । ତେବେ ଏ କିଛି ଅଘଟଣ ଘଟିବା ପୂର୍ବରୁ ଏଥିପ୍ରତି ସରକାର ତୁରନ୍ତ ଦୃଷ୍ଟି ଦେବା ସହ ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ସାଧାରଣରେ ଦାବୀ ହେଉଛି ।