କଂଗ୍ରେସ କ୍ୟାମ୍ପରୁ ବଡ ଖବର : ଓଡ଼ିଶା ପାଇଁ ଏଆଇସିସି ପ୍ରକାଶ କରିଥିବା ତାଲିକାରେ ନାହାନ୍ତି ୯ ବିଧାୟକ, ତାରା, ଯୋଗେଶ ଓ ପ୍ରଫୁଲ୍ଲ ବାଦ୍ ପଡିଥିବା ସୂଚନା

43

କନକ ବ୍ୟୁରୋ : କଂଗ୍ରେସ କ୍ୟାମ୍ପରୁ ଆସିଲା ବଡ ଖବର । ଓଡିଶା କଂଗ୍ରେସ ପାଇଁ ପ୍ରକାଶ ପାଇଥିବା ଏଆଇସିସି ତାଲିକାରେ ସ୍ଥାନ ପାଇଲେନି ୯ ବିଧାୟକ । ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତିଙ୍କ ସମେତ ବିଧାୟକ ଯୋଗେଶ ସିଂ, ପ୍ରଫୁଲ୍ଲ ମାଝୀ ଓ ବରିଷ୍ଠ ନେତା ଅନନ୍ତ ସେଠୀଙ୍କୁ ବାଦ ଦିଆଯାଇଥିବା ସୂଚନା ମିଳିଛି ।

ତେବେ ତାରା ବାହିନୀପତିଙ୍କ ପତ୍ନୀ ମିନାକ୍ଷୀ ବାହିନୀପତିଙ୍କୁ କିନ୍ତୁ ତାଲିକାରେ ସ୍ଥାନିତ କରାଯାଇଛି । ପିସିସି ନେତୃତ୍ୱ ବିରୋଧରେ ଖୋଲାଖୋଲି ସ୍ୱର ଉତ୍ତୋଳନ କରିବା ପରେ ତାରା, ଯୋଗେଶ ଓ ପ୍ରଫୁଲ୍ଲଙ୍କୁ ଏଆଇସିସି ସଭ୍ୟ ତାଲିକାରୁ ବାଦ ଦିଆଯିବା ଚର୍ଚ୍ଚାର ପ୍ରସଙ୍ଗ ହୋଇଛି । ଓଡିଶା କଂଗ୍ରେସ ପାଇଁ ମୋଟ ୭୮ଜଣିଆ ଏଆଇସିସି ତାଲିକା ପ୍ରକାଶ ପାଇଥିବାବେଳେ ଏଥିରେ ସମସ୍ତ ପୂର୍ବତନ ପିସିସି ସଭାପତିଙ୍କୁ ସ୍ଥାନ ମିଳିଛି । ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ସମେତ ଚିରଞ୍ଜୀବୀ ବିଶ୍ୱାଳ, ନବ ଦାସ, ଭୁଜବଳ ମାଝୀ, କୈଳାଶ କୁଲେସିକା, କୃଷ୍ଣ ସଗରିଆ ପ୍ରମୁଖ ଏଆଇସିସି ତାଲିକାରେ ସ୍ଥାନ ପାଇଛନ୍ତି । ତେବେ ଏଆଇସିସି ସଭ୍ୟ ତାଲିକାରେ ନଥିବା ୨୦ଜଣ ନେତାଙ୍କୁ ସହଯୋଗୀ ସଭ୍ୟ କରିବାକୁ ଯୋଜନା ଥିବା ସୂଚନା ରହିଛି । ଏହି ତାଲିକା ଆଜି ପ୍ରକାଶ ପାଇପାରେ ।

ସେପଟେ ଆଜିଠାରୁ ଦିଲ୍ଲୀରେ ଆରମ୍ଭ ହେଉଛି କଂଗ୍ରେସର ତିନି ଦିନିଆ ମହା ଅଧିବେଶନ । ରାହୁଲ ଗାନ୍ଧି କଂଗ୍ରେସ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେବା ପରେ ଏହା ପ୍ରଥମ ଅଧିବେଶନ । ସମଗ୍ର ଦେଶରୁ ପ୍ରାୟ ୧୨ ହଜାରରୁ ଅଧିକ କାର୍ଯ୍ୟକର୍ତା ଯୋଗଦେବେ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଦଳର ତୃଣମୂଳ ସ୍ତରର କାର୍ଯ୍ୟକର୍ତାଙ୍କୁ ମଧ୍ୟ ମଂଚରେ କହିବାର ସୁଯୋଗ ମିଳିବ ।

ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସକୁ ସଶକ୍ତ କରିବା ପାଇଁ ରୂପରେଖ ପ୍ରସ୍ତୁତ କରିବ ଦଳ । ଆଉ ଏହାରି ଭିତରେ ନଜର ରହିଛି ଦିଲ୍ଲୀ ଯାଇଥିବା କଂଗ୍ରେସ ନେତା ପିସିସି ନେତୃତ୍ୱ ପ୍ରସଙ୍ଗରେ କି ଆଭିମୁଖ୍ୟ ରଖିବେ । କାରଣ ପଂଚାୟତ ନିର୍ବାଚନରେ କଂଗ୍ରେସ ଦଳ ଓଡିଶାରେ ତୃତୀୟ ସ୍ଥାନକୁ ଖସିଆସିବା ଓ ବିଜେପୁର ଉପନିର୍ବାଚନରେ ଅମାନତ ହରାଇବା ପରେ ପିସିସି ନେତୃତ୍ୱ ବିରୋଧରେ ଖୋଲାଖୋଲି ବିଷୋଦଗାର ଆରମ୍ଭ କରିଦେଇଛନ୍ତି ନେତା । ଦଳୀୟ ବିଧାୟକମାନେ ଖୋଲାଖୋଲି ଘୋଷଣା କଲେଣି ଯେ, ପ୍ରସାଦଙ୍କ ନେତୃତ୍ୱରେ ସେମାନେ ଆଉ ନିର୍ବାଚନ ଲଢିବେ ନାହିଁ । ଏଭଳି ସ୍ଥିତିରେ ଓଡିଶା ପାଇଁ ପ୍ରକାଶ ପାଇଥିବା ଏଆଇସିସି ତାଲିକା ପୁଣିଏକ ବିବାଦ ତିଆରି କରିପାରେ ।