ଫୋନ କରି ‘କେବିସି’ରେ ୨୫ ଲକ୍ଷ ଟଙ୍କା ଜିତିଥିବାର କହିଲେ! ମେସେଜ ଓ ଭିଡିଓ ପଠାଇ ୧୬ ହଜାର ଟଙ୍କା ଚୁନା ଲଗାଇଲେ ।

37

କନକ ବ୍ୟୁରୋ : ଆରମ୍ଭ ହୋଇଛି ଲୋକପ୍ରିୟ କ୍ୱିଜ ଭିତିକ ରିଆଲିଟି ସୋ କୌନ ବନେଗା କରୋଡପତି । ତେବେ ସୋ ଆରମ୍ଭ ହେବା ସହ କେବିସି ନାଁରେ ଠକେଇ ହୋଇଥିବା ନେଇ ଆସିଛି ସାଙ୍ଘାତିକ ଅଭିଯୋଗ । ସମ୍ବଲପୁର ବରଗାଁର ଗୋବିନ୍ଦଙ୍କ ପାଖକୁ ଗତ ୩ ତାରିଖ ଦିନ କେବିସିରୁ ୨୫ଲକ୍ଷ ଟଙ୍କା ଲଟେରୀ ଜିତିଥିବା ନେଇ ୧୬ ହଜାର ଟଙ୍କା ଠକାମିର ଶିକାର ହୋଇଛିନ୍ତି ।

ସୂଚନା ମୁତାବକ, ସମ୍ବଲପୁର ବର ଗାଁରେ ବାସ କରୁଥିବା ଗୋବିନ୍ଦଙ୍କ ପାଖକୁ ଗତ ୩ ତାରିଖରେ ଏକ ମେସେଜ ଆସିଥିଲା । ସେଥିରେ ଗୋବିନ୍ଦ ୨୫ଲକ୍ଷ ଟଙ୍କାର ଲଟେରି ଜିତିଥିବା କଥା ଲେଖା ଥିଲା । ଏହା ଦେଖି ଗୋବିନ୍ଦ ଅତ୍ୟନ୍ତ ଖୁସି ହୋଇଯାଇଥିଲେ । ପରେ ଏହି ଅର୍ଥକୁ କିପରି ପାଇପାରିବେ ସେନେଇ ମଧ୍ୟ ଆଉ ଏକ ଭଏସ ମେସେଜ ଆସିଥିଲା । ଗୋବିନ୍ଦଙ୍କ ମନରେ ବିଶ୍ୱାସ ଜନ୍ମାଇବା ପାଇଁ ଟ୍ୟାଗ କରାଯାଇଥିଲା କିଛି ଭିଡିଓ ।

ବ୍ୟାଙ୍କରେ ଚାକିରି କରୁଥିବା ଜଣେ ବ୍ୟକ୍ତିଙ୍କୁ ହ୍ୱାଟ୍ସଆପ ନମ୍ବରରେ ଫୋନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଗୋବିନ୍ଦ ଏହି ବ୍ୟକ୍ତିଙ୍କ ସହ କଥା ହୋଇ ନିର୍ଦ୍ଦେଶ ଅନୁସାରେ ୨୫ଲକ୍ଷ ଟଙ୍କା ପାଇବା ପାଇଁ ୧୬୧୦୦ ଟଙ୍କା ଏକ ଆକାଉଂଟରେ ଡିପୋଜିଟ କରିଥିଲେ । ହେଲେ ପୁଣିଥରେ ୨୫ହଜାର ଟଙ୍କା ଡିପୋଜିଟ ପାଇଁ କୁହାଯିବାରୁ ଗୋବିନ୍ଦଙ୍କ ମନରେ ସନ୍ଦେହ ହୋଇଥିଲା କିନ୍ତୁ ସେତବେଳେକୁ ସେ ଠକାମୀର ଶିକାର ହୋଇସାରିଥିଲେ । ଠକାମୀର ଶିକାର ହୋଇଥିବା କଥା ଜାଣିବା ପରେ ସମ୍ବଲପୁର ଏସପିଙ୍କ ନିକଟରେ ଅଭିଯୋଗ କରିଥିଲେ ଗୋବିନ୍ଦ । ତେବେ ଅଭିଯୋଗ ପରେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଏହା ପଛରେ ଏକ ବଡ ର‌୍ୟାକେଟ ରହିଥିବା ନେଇ ସନ୍ଦେହ କରୁଛି ।