ତେଲ ତାତିରେ ଉଠିଲା ପଡିଲା ବିଧାନସଭା ! ଗୃହ ଭିତରେ ନେତାଙ୍କ ହଙ୍ଗାମା, କିଏ କେତେ ଟିକସ ନେଉଛି ତାହା ଉପରୁ ପରଦା ଉଠାଇଲେ ଅର୍ଥ ସଚିବ

32

କନକ ବ୍ୟୁରୋ : ତେଲଦର ବୃଦ୍ଧି ପ୍ରତିବାଦରେ ବିଧାନସଭା ଅଚଳ । ଗୃହ ଆରମ୍ଭରୁ ଆଜି ତେଲଦର ବୃଦ୍ଧି ନେଇ ହଟ୍ଟଗୋଳ କରିଥିଲେ କଂଗ୍ରେସ ସଦସ୍ୟ । ଗୃହରେ ପାଟିତୁଣ୍ଡ କରିବା ସହ ବାଚସ୍ପତିଙ୍କ ପୋଡିୟମ ତଳେ କଂଗ୍ରେସ ବିଧାୟକ ନାରାବାଜି କରିଥିଲେ । ଫଳରେ ଗୃହକୁ ବାରମ୍ବାର ମୁଲତବୀ କରିଥିଲେ ବାଚସ୍ପତି । ସ୍ଥିତିରେ କୌଣସି ସୁଧାର ନଆସିବାରୁ ଶେଷରେ ଗୁରୁବାର ଯାଏଁ ଗୃହକୁ ମୁଲତବୀ ରଖିଛନ୍ତି ବାଚସ୍ପତି ।

କ୍ରମାଗତ ଭାବରେ ବଢ଼ି ଚାଲିଥିବା ତେଲ ଦର ଜନତାଙ୍କୁ ଯେମିତିିି ଅସୁବିଧାରେ ପକାଉଛି, ସେମିତି କେନ୍ଦ୍ର ସରକାରଙ୍କୁ ଘେରିବା ପାଇଁ ବିରୋଧୀଙ୍କୁ ସେତିକି ବଡ ମୌକା ଆଣି ଦେଇଛି । ଯାହାର ପ୍ରତିଫଳନ ଆଜି ବିଧାନସଭାରେ ଦେଖିବାକୁ ମିଳିଛି । ଗୃହର ମଧ୍ୟ ଭାଗରେ କଂଗ୍ରେସ ସଦସ୍ୟମାନେ ତେଲଦର ବୃଦ୍ଧି ପ୍ରତିବାଦରେ ଧାରଣା ଦେବା ଯୋଗୁଁ ପ୍ରଭାବିତ ହୋଇଛି ଗୃହ କାର୍ଯ୍ୟ । ଯାହା ଫଳରେ ଗୃହକୁ ବାରମ୍ବାର ମୁଲବତୀ କରିବାକୁ ପଡ଼ିଛି ।

source : Google

ଗୃହ ମଧ୍ୟରେ ସଦସ୍ୟଙ୍କ ହଙ୍ଗାମା ଯୋଗୁଁ ବାଚସ୍ପଚିଙ୍କୁ ଦୁଇ ଦୁଇ ଥର ଗୃହକୁ ମୁଲତବୀ କରିବାକୁ ପଡିଥିଲା । ହେଲେ ସ୍ଥିତିରେ କୌଣସି ସୁଧାର ନ ଆସିବାରୁ ଶେଷରେ ଗୁରୁବାର ଯାଏଁ ଗୃହକୁ ମୁଲତବୀ କରିଛନ୍ତି ବାଚସ୍ପତି । ତେଲଦର ବୃଦ୍ଧି ପାଇଁ କଂଗ୍ରେସ, ଉଭୟ କେନ୍ଦ୍ରର ବିଜେପି ସରକାର ଏବଂ ରାଜ୍ୟର ବିଜେଡି ସରକାରଙ୍କୁ ଦାୟୀ କରିଛି । ପେଟ୍ରୋଲଜାତ ଦ୍ରବ୍ୟକୁ କେନ୍ଦ୍ର, ଜିଏସଟି ପରିସର ଭୁକ୍ତ କରିବା ପାଇଁ କଂଗ୍ରେସ ଦାବି କରୁଥିବା ବେଳେ ରାଜ୍ୟ, ଭାଟ୍ କମ୍ କରୁ ବୋଲି ଯୁକ୍ତି ରଖିଛି । ଏପଟେ ବିଜେପି ଓ ବିଜେଡି ପରସ୍ପରକୁ ଦୋଷାରୋପ କରିଛନ୍ତି ।

ରାଜନୀତିର ଏହି ଆରୋପ-ପ୍ରତ୍ୟାରୋପ ଭିତରେ ଅର୍ଥ ସଚିବ, ତୁହିନୀକାନ୍ତ ପାଣ୍ଡେ ରଖିଥିବା ତେଲ ଗଣିତର ପରିସଂଖ୍ୟାନ, କେନ୍ଦ୍ର ସରକାରଙ୍କୁ କାଠଗଡ଼ାରେ ଠିଆ କରିଦେଇଛି । କିଏ କେତେ ଟ୍ୟାକ୍ସ ଦେଉଛି ଏବଂ କିଏ କେତେ କମାଇଛି, ତାର କଚ୍ଚା ଚିଠା ରଖିଛନ୍ତି ଅର୍ଥ ସଚିବ । ପେଟ୍ରୋଲ ଲିଟର ପିଛା କେନ୍ଦ୍ର ସରକାର ୧୯.୪୮ ଟଙ୍କା ନେଉଥିବା ବେଳେ ରାଜ୍ୟ ସରକାର ମାତ୍ର ୧୫.୪୪ ଟଙ୍କା ନେଉଛନ୍ତି । ସେହିଭଳି ଡିଜେଲ ଲିଟର ପିଛା ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ୧୫.୩୩ ଟଙ୍କା ନେଉଛନ୍ତି । ଆଉ ଏସବୁ ମଧ୍ୟରେ ଗୃହ ଭିତରେ ନେତାଙ୍କ ହଙ୍ଗାମା, ଗୃହ ବାହାରେ ଜନତାଙ୍କ ଅସନ୍ତୋଷ । ଆଉ ଏସବୁ ଭିତରେ କ୍ରମାଗତ ୧୧ ଦିନ ହେଲା ବଢ଼ି ଚାଲିଛି ପେଟ୍ରୋଲ ଓ ଡିଜେଲ ଦର ।