‘ୱାନାକ୍ରାଏ ରାନସମୱେର୍’ ଭାଇରସ୍ ଆତଙ୍କ ! ଏଟିଏମ୍ ଓ କମ୍ପ୍ୟୁଟର ଅପଗ୍ରେଡ୍ କରିବା ପାଇଁ ବ୍ୟାଙ୍କଗୁଡିକୁ ଆରବିଆଇର ନିର୍ଦେଶ

32

କନକ ବ୍ୟୁରୋ : ସାଇବର ଆକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ବ୍ୟାଙ୍କଗୁଡିକୁ ସେମାନଙ୍କ ଏଙ୍କିଏମଗୁଡିକୁ ଅପଗ୍ରେଡ କରିବାକୁ କୁହାଯାଇଛି । ଏଟିଏମ ଓ ଏହାର ପରିଚାଳନାରେ ବ୍ୟବହୃତ ହେଉଥିବା ସମସ୍ତ କମ୍ପ୍ୟୁଟରର ଅପରେଟିଂ ସିଷ୍ଟମ ଅପଗ୍ରେଡ କରାଇନେବାକୁ ବ୍ୟାଙ୍କଗୁଡିକୁ କୁହାଯାଇଛି । ଏଟିଏମର ନିରାପତା ବ୍ୟବସ୍ଥାକୁ ସୁଦୃଡ କରିବା ଓ ସାଇବର ଆଟାକରୁ ସୁରକ୍ଷା ପ୍ରଦାନ ପାଇଁ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି ।

ଯଦିଓ ବି ସାଇବର ଆଟାକର ପ୍ରଭାବ ଭାରତ ଉପରେ ପଡିନାହିଁ, ତଥାପି ପ୍ରତିଷେଧକମୂଳକ ବ୍ୟବସ୍ଥା ସ୍ୱରୂପ ଆରବିଆଇ ଏଭଳି ନିର୍ଦ୍ଦେଶନାମା ଜାରି କରିଛି । ତେବେ ଏଟିଏମ ପରିଚାଳନା ଦାୟିତ୍ୱରେ ଥିବା କମ୍ପାନୀଗୁଡିକ ପକ୍ଷରୁ କୁହାଯାଇଛି ଯେ, ଏଟିଏମ ସହିତ ଇଂଟରନେଟର କୌଣସି ସମ୍ପର୍କ ନାହିଁ । ତେଣୁ ଏଟିଏମ ନେଟୱର୍କ ଉପରେ ସାଇବର ଆଟାକର ଆକ୍ରମଣ ଏତେ ସହଜ ନୁହେଁ । ତେବେ ଏଭଳି ଆକ୍ରମଣରେ ଏଟିଏମ ଅଚଳ ହୋଇପାରେ ବୋଲି ଅପରେଟର ସ୍ୱୀକାର କରିଛନ୍ତି । ଦେଶରେ ଥିବା ସବୁ ଏଟିଏମ ଓିଣ୍ଡୋଜ ସଫଟୱୟାର ଦ୍ୱାରା ପରିଚାଳିତ ହେଉଛି । ଏହା ଏଯାଏଁ ଅପଗ୍ରେଡ ହୋଇନାହିଁ ।