ମହଙ୍ଗା ପଡିଲା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଦ ଛୁଇଁବା ଉଦ୍ୟମ । ମହିଳା ଇଂଜିନିୟରଙ୍କୁ ସସପେଣ୍ଡ କଲେ ରାଜସ୍ଥାନ ସରକାର

4,078

କନକ ବ୍ୟୁରୋ : ମହଙ୍ଗା ପଡିଲା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଦ ଛୁଇଁବା ଉଦ୍ୟମ । ମହିଳା ଇଂଜିନିୟରଙ୍କୁ ସସ୍ପେଣ୍ଡ କରିଛନ୍ତି ରାଜସ୍ଥାନ ସରକାର । ସ୍କାଉଟ୍ ଗାଇଡ୍ ଜମ୍ବୁରୀ ଉଦଘାଟନ ଉତ୍ସବରେ ଯୋଗ ଦେବାକୁ ଜାନୁଆରୀ ୪ ତାରିଖରେ ରାଜସ୍ଥାନ ଗସ୍ତରେ ଯାଇଥିଲେ ରାଷ୍ଟ୍ରପତି । ଏହି ଅବସରରେ ରାଷ୍ଟ୍ରପତିଙ୍କ ପାଦ ଛୁଇଁବା ପାଇଁ ପବ୍ଲିକ୍ ହେଲଥ ଇଂଜିନିୟରିଂ ଡିପାର୍ଟମେଂଟରେ କାର୍ଯ୍ୟ କରୁଥିବା ଜୁନିୟର ଇଂଜିନିୟର ଅମ୍ବା ସିଓଲ୍ ଉଦ୍ୟମ କରିଥିଲେ । ରାଷ୍ଟ୍ରପତି ହେଲିକଫ୍ଟରରୁ ଓହ୍ଲାଇଲା ବେଳେ ଅନ୍ୟ ପଦାଧିକାରୀଙ୍କ ସମେତ ଅମ୍ବା ସିଓଲ ମଧ୍ୟ ହେଲିପ୍ୟାଡରେ ଉପସ୍ଥିତ ଥିଲେ । ରାଷ୍ଟ୍ରପତିଙ୍କୁ ପାଖରେ ପାଇ ତାଙ୍କ ପାଦ ଛୁଇଁବାକୁ ଚେଷ୍ଟା କରିଥିଲେ । ଯାହା ସୁରକ୍ଷା ପ୍ରୋଟୋକଲକୁ ଉଲଂଘନ କରିଥିଲା । ଏହି ଭିଜୁଆଲ୍ ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା ।

ଘଟଣାକୁ ଗମ୍ଭୀରତାର ସହ ନେଇ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବାକୁ କହିଥିଲା ଗୃହ ମନ୍ତ୍ରାଳୟ । ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥାରେ ବଡ଼ ତ୍ରୁଟି ବୋଲି କହିଥିଲା । ଘଟଣାର ସପ୍ତାହକ ପରେ ଅର୍ଥାତ ଜାନୁଆରୀ ୧୨ ତାରିଖରେ ଜୁନିୟର ଇଂଜିନିୟର ଅମ୍ବା ସିଓଲଙ୍କୁ ସସପେଣ୍ଡ କରିଛନ୍ତି ରାଜ୍ୟ ସରକାର । ରାଷ୍ଟ୍ରପତିଙ୍କ ସୁରକ୍ଷା ପ୍ରୋଟୋକଲ୍ ଉଲଂଘନ ଅଭିଯୋଗରେ ରାଜସ୍ଥାନ ଜଳ ଯୋଗାଣ ବିଭାଗର ମୁଖ୍ୟଯନ୍ତ୍ରୀ ସସପେନସନ୍ ଅର୍ଡର ଇସ୍ୟୁ କରିଛନ୍ତି । ନିଲମ୍ବନ ଆଦେଶକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।