ବିରୋଧୀଙ୍କ ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ । ନାଁ ନନେଇ ବୈଜୟନ୍ତ ପଣ୍ଡାଙ୍କୁ କଲେ ଟାର୍ଗେଟ୍ । ଏପଟେ ବାଲେଶ୍ୱରରେ ଧର୍ମେନ୍ଦ୍ର ପ୍ରଧାନଙ୍କ ରୋଡ୍ ସୋ, ନୀଳଗିରିରେ ଜନସଭା

107

କନକ ବ୍ୟୁରୋ: ଶେଷ ପର୍ଯ୍ୟାୟ ପାଇଁ ଶେଷ ଲଢେଇ । ଆଜି ଉପକୂଳ ଓଡିଶାରେ ମାରାଥନ ପ୍ରଚାର କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । କେନ୍ଦ୍ରାପଡାରେ ପ୍ରଚାର କରି ମୁଖ୍ୟମନ୍ତ୍ରୀ ବିଜେପି ଲୋକସଭା ପ୍ରାର୍ଥୀଙ୍କୁ ଟାର୍ଗେଟ କରିଛନ୍ତି । ସେହିଭଳି ସରକାର ଓ ପାଣ୍ଡିଆନଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଆସାମ ମୁଖ୍ୟମନ୍ତ୍ରୀ ।

  • ଶେଷ ପର୍ଯ୍ୟାୟ ପାଇଁ ଶେଷ ଲଢେଇ
  • ପ୍ରଚାରରେ ଜୋର ଲଗାଇଛନ୍ତି ବିଜେଡି, ବିଜେପି

ରାଜ୍ୟରେ ଚତୁଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ମାରାଥନ ପ୍ରଚାରରେ ଲାଗିପଡିଛନ୍ତି ବିଜେଡି, ବିଜେପିର ଶୀର୍ଷ ନେତା । ବିଜେଡି ପାଇଁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଚାର କରିଥିବାବେଳେ, ବିଜେପି ପାଇଁ ରଣହୁଙ୍କାର ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ।

  • ବିଜେଡିର ମିଶନ ଉପକୂଳ
  • କେନ୍ଦ୍ରପଡାରେ ବୈଜୟନ୍ତଙ୍କୁ ଟାର୍ଗେଟ

କେନ୍ଦ୍ରାପଡାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ପ୍ରଚାର କରି ପରୋକ୍ଷରେ ବୈଜୟନ୍ତ ପଣ୍ଡାଙ୍କୁ ଟାର୍ଗେଟ କରିଥିଲେ । ନବୀନ କହିଥିଲେ, କେନ୍ଦ୍ରାପଡାରୁ ଜଣଙ୍କୁ ୧୦ ବର୍ଷ ସାଂସଦ କରାଯାଇଥିଲା, ସେ କେବଳ ନିଜ ପାଇଁ ଓ ତାଙ୍କ କମ୍ପାନୀର ଲାଭ ପାଇଁ କାମ କଲେ । କେନ୍ଦ୍ରପଡାବାସୀ ଓ ତାଙ୍କ ସହିତ ବିଶ୍ୱାସଘାତକତା କଲେ । ବିରୋଧୀ ଦଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି କହିଛନ୍ତି ନବୀନ ।

  • ବାଲେଶ୍ୱରରେ ଧର୍ମେନ୍ଦ୍ରଙ୍କ ରୋଡ ସୋ’
  • ପ୍ରଚାର ବେଳେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ

ବାଲେଶ୍ୱରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମାରାଥନ ଜନସଭା କରିବା ସହ ରୋଡ ସୋ କରିଛନ୍ତି । ନୀଳଗିରି, ବଡସାହିରେ ଜନସଭା କରିଥିବାବେଳେ ବାଲେଶ୍ୱରରେ ରୋଡ ସୋ କରିଛନ୍ତି । ବାଲେଶ୍ୱରରେ ଅପରାହ୍ନରେ ରୋଡ ସୋ କରିଥିଲେ କେନ୍ଦ୍ରମନ୍ତ୍ରୀ । ଆଉ ସବୁ ସଭାରେ ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବା ସହ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ । ନୀଳଗିରିରେ ଧର୍ମେନ୍ଦ୍ର କହିଥିଲେ, ମୁଖ୍ୟମନ୍ତ୍ରୀ ତାମିଲନାଡୁରୁ ନେତା ଭଡାରେ ଆଣିଛନ୍ତି । ଆମେ କ’ଣ ଏହାକୁ ସ୍ୱୀକାର କରିବା କି? ଓଡିଶାର ନେତା ଜଣେ ଓଡିଆ ହେବେ ନା ବାହାରିଆ ହେବେ?

ସେହିଭଳି କେନ୍ଦ୍ରାପଡାର ପାଟକୁରା ସଭାରେ କେନ୍ଦ୍ରାପଡା ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଓ ପାଟକୁରା ବିଧାନସଭା ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ସେ ଏହି ସଭାରେ ବିଜେଡି ନେତା ଭି.କେ.ପାଣ୍ଡିଆନଙ୍କୁ ଟାର୍ଗେଟ କରିଥିଲେ । କହିଥିଲେ, ଓଡିଶାରେ ବିଜେପି ପ୍ରାୟତଃ ଜିତିସାରିଲାଣି । ଆଉ ଯାହା ବାକି ଅଛି ଶେଷ ପର୍ଯ୍ୟାୟରେ ଏହା ହୋଇଯିବ । ଓଡିଶାରେ ଯୋଡି ଶଙ୍ଖ ନୁହେଁ, ଯୋଡା ପଦ୍ମ ଦରକାର । ଜୁନ ୪ ପରେ ପାଣ୍ଡିଆନଙ୍କୁ ତାମିଲନାଡୁ ପଠାଇ ଦିଆଯିବ । ଚାଉଳ ଦେଲେ ମୋଦି, ଖାଲି ବ୍ୟାଗ ଦେଲେ ପାଣ୍ଡିଆନ ବୋଲି କହି କଟାକ୍ଷ କରିଛନ୍ତି । ସୂଚନାଯୋଗ୍ୟ ଯେ, ଚତୁର୍ଥ ଓ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଗୁରୁବାର ସନ୍ଧ୍ୟାରେ ପ୍ରଚାର ସରିବ । ଆଗକୁ ମୋଦି, ଶାହ, ରାହୁଲ ଆସି ପ୍ରଚାରକୁ ଶେଷ ସ୍ପର୍ଶ ଦେବେ ।