ପୁଣେ ହିଟ ଆଣ୍ଡ ରନ ମାମଲାରେ ଖୁଲ୍ଲାସା,ଅଳିଆ ଗଦାରୁ ମିଳିଲା ଅଭିଯୁକ୍ତର ରକ୍ତ ନମୁନା । ପ୍ରମାଣ ନଷ୍ଟ ଅଭିଯୋଗରେ ଦୁଇ ଡାକ୍ତର ଗିରଫ

164

କନକବ୍ୟୁରୋ: ପୁଣେ ହିଟ ଆଣ୍ଡ ରନ ମାମଲାରେ ଚାଂଚଲ୍ୟକର ଖୁଲ୍ଲାସା ହୋଇଛି ।ଅପରାଧୀ ରକ୍ତ ନମୁନାକୁ ଅଳିଆଗଦରେ ଫିଙ୍ଗି ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରାଯାଇଥିବା ଘଟଣା ସାମ୍ନାକୁ ଆସିଛି । ଅଭିଯୋଗ ଆଧାରରେ ଦୁଇ ଜଣ ଡାକ୍ତରଙ୍କୁ ଗିରଫ କରାଯାଇଛି । ସେପଟେ ନ୍ୟାୟ ଦାବି କରି ପୁଣେ ରାସ୍ତାରେ ଜୋରଦାର ଆରମ୍ଭ ହୋଇଛି ବିକ୍ଷୋଭ । କିଛି ଦିନ ହେବ ଖବରର ଶିରୋନାମା ପାଲଟିଥିବା ପୁଣେ ହିଟ ଆଣ୍ଡ ରନ ମାମଲାରେ ଏବେ ସାମ୍ନାକୁ ଆସିଛି ନୂଆ ଖୁଲ୍ଲାସା ।

ଅପରାଧୀର ରକ୍ତ ନମୁନାକୁ ନଷ୍ଟ କରି ପ୍ରମାଣ ଲୁଚାଇବାକୁ ହୋଇଛି ଅପଚେଷ୍ଟା । ଘଟଣାର ପର୍ଦ୍ଦାଫାଶ ହେବା ପରେ ଘରୋଇ ଡାକ୍ତରଖାନାର ଦୁଇଜଣ ଡାକ୍ତରଙ୍କୁ ଗିରଫ କରିଛି ପୁଣେ ପୁଲିସ । ଘଟଣା ଦିନ ଅପରାଧୀ ନିଶାସକ୍ତ ଅବସ୍ଥାରେ ଗାଡି ଚଳାଉଥିବା ଅଭିଯୋଗ ଆସିବା ପରେ ତଦନ୍ତକୁ ଜୋରଦାର କରିଥିଲା ପୁଲିସ । ତେବେ ଅପରାଧୀର ରକ୍ତ ନମୁନାକୁ ନଷ୍ଟ କରି ଅନ୍ୟ ବ୍ୟକ୍ତିଙ୍କ ରକ୍ତ ନମୁନା ରିପୋର୍ଟକୁ ଫୋରେନ୍ସିକ ଡିପାର୍ଟମେଂଟକୁ ପଠାଇଥିଲେ ଉଭୟ ଅଭିଯୁକ୍ତ ଡାକ୍ତର । ଏହା ବଦଳରେ ନେଇଥିଲେ ୪ଲକ୍ଷ ଟଙ୍କା । ସେପଟେ ହିଟ ଆଣ୍ଡ ରନ ଘଟଣାରେ ମୃତ୍ୟୁବରଣ କରିଥିବା ଅଶ୍ୱୀନୀ ଓ ଆନିଙ୍କ ପରିବାର ଜୋରଦାର କରିଛନ୍ତି ବିକ୍ଷୋଭ । ନ୍ୟାୟ ଦାବି କରି ପୁଣେ ରାସ୍ତାକୁ ଓହ୍ଲାଇଛନ୍ତି ଉଭୟଙ୍କ ସହକର୍ମୀ ଓ ସର୍ମ୍ପକୀୟ ।

ମେ ୧୯ରେ ଅଫିସର ଫେରୁଥିବା ସମୟରେ ଅଶ୍ୱୀନୀ ଓ ଆନିଙ୍କ ବାଇକକୁ ପଛପଟୁ ଦ୍ରୁତ ଗତିରେ ଧକ୍କା ଦେଇଥିଲେ ନାବାଳକ ଅଭିଯୁକ୍ତର ପୋର୍ସେ କାର । ପୂରା ଘଟଣାକୁ ନେଇ ମହାରାଷ୍ଟ୍ର ସରକାରଙ୍କୁ ଘେରିଛନ୍ତି ବିରୋଧୀ । ରଚନା ଲେଖି ଅଭିଯୁକ୍ତକୁ ପୁଲିସ ଛାଡି ଦେବା ଘଟଣାରେ ସିନ୍ଦେ ସରକାର ପ୍ରଶ୍ନ ଘେରକୁ ଆସିବା ପରେ ଘଟଣା ନୂଆ ମୋଡ ନେଇଥିଲା । ତେବେ ଏବେ ସୁଦ୍ଧା ନାବାଳକ ଅପରାଧୀ, ଅପରାଧୀର ବାପାଙ୍କ ସମେତ ୧୧ଜଣଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତଙ୍କ ବାପା ପୁଣେର ଜଣେ ବରିଷ୍ଠ ବ୍ୟବସାୟୀ ହୋଇଥିବାରୁ ମାମଲାରକୁ ଚାପି ଦିଆଯାଉଥିବା ଅଭିଯୋଗ ହେଉଛି । ଅନ୍ୟପଟେ ପୁଣେ ପୁଲିସ କହୁଛି ପ୍ରମାଣ ଓ ଆଇନ ଆଧାରରେ କାର୍ଯ୍ୟାନୁଷ୍ଠାନ କରାଯାଉଛି ।